Home ଓଡ଼ିଶା ଜମ୍ମୁ ଓ କଶ୍ମୀର ବିସ୍ଥାପିତ ପରିବାର ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା...

ଜମ୍ମୁ ଓ କଶ୍ମୀର ବିସ୍ଥାପିତ ପରିବାର ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା

393

– ସାମିଲ ହେବେ ବାଦ୍ ପଡ଼ିଥିବା ୫୩୦୦ ପରିବାର
– ଯୁଦ୍ଧ ଓ ପଣବନ୍ଦୀ ପିଡ଼ିତଙ୍କୁ ମିଳିବ ସ୍ଥିର ରୋଜଗାର
ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଜମ୍ମୁ ଓ କଶ୍ମୀରର ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପାକ ଅଧିକୃତ ଜମ୍ମୁ ଓ କଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜମ୍ମୁ ଓ କଶ୍ମୀର ପାଇଁ ୨୦୧୫ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅନ୍ତର୍ଗତ ପୂର୍ବଘୋଷିତ ଥଇଥାନ ଯୋଜନାରେ ସାମିଲ କରାଯିବ। ଏଥିରେ ପୂର୍ବରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏବଂ ପରେ ପୁଣି ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା ୫, ୩୦୦ ପରିବାରଙ୍କୁ ସାମିଲ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ୩୦.୧୧.୨୦୧୬ରେ କେନ୍ଦ୍ର କ୍ୟାବିନେଟ ଜମ୍ମୁ ଓ କଶ୍ମୀର ବିସ୍ଥାପିତଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ।

ଲାଭ :

ଏହି ଅନୁମୋଦନ ଫଳରେ ବିସ୍ଥାପିତ ପରିବାରଗୁଡ଼ିକ ବର୍ତମାନର ଯୋଜନା ଅନ୍ତର୍ଗତ ୫.୫ ଲକ୍ଷ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ପାଇବା ଲାଗି ଯୋଗ୍ୟ ବିବେଚିତ ହେବେ। ସେହିପରି ଏହି ଯୋଜନାର ଉଦ୍ଦେଶ୍ୟ ଅନ୍ତର୍ଗତ ସେମାନେ କିଛି ସ୍ଥିର ଆୟ ପାଇବାକୁ ଯୋଗ୍ୟ ହୋଇପାରିବେ।

ଏଠାରେ ସୂଚନାଯୋଗ୍ୟ ଯେ ୧୯୪୭ରେ ପାକିସ୍ତାନର ଆକ୍ରମଣ ଫଳରେ ପାକ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓଜେକେ)ର ୩୧, ୬୧୯ ପରିବାର ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଚାଲିଆସିଥିଲେ। ଏମାନଙ୍କ ମଧ୍ୟରୁ ୨୬, ୩୧୯ ପରିବାର ଜମ୍ମୁ ଓ କଶ୍ମୀର ରାଜ୍ୟରେ ରହିଯାଇଥିଲେ। ବାକି ୫୩୦୦ ପରିବାର ଦେଶର ଅନ୍ୟ ପ୍ରାନ୍ତକୁ ରହିବା ପାଇଁ ଚାଲିଯାଇଥିଲେ। ଆହୁରି ୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ ଅଧିକ ୧୦, ୦୬୫ଟି ପରିବାର ଛାମ୍ବ ନିୟାବତ ଅଂଚଳରୁ ବିସ୍ଥାପିତ ହୋଇଥିଲେ। ୧୯୬୫ ଯୁଦ୍ଧ ସମୟରେ ୩୫୦୦ ପରିବାର ବିସ୍ଥାପିତ ହୋଇଥିବା ବେଳେ ୧୯୭୧ ଯୁଦ୍ଧ ସମୟରେ ୬୫୬୫ ପରିବାର ବିସ୍ଥାପିତ ହୋଇଥିଲେ।

୩୦.୧୧.୨୦୧୬ରେ କ୍ୟାବିନେଟ ଅନୁମୋଦିତ ଥଇଥାନ ପ୍ୟାକେଜରେ ୩୬, ୩୮୪ ପରିବାରକୁ ସାମିଲ କରାଯାଇଥିଲା। ଏମାନଙ୍କ ମଧ୍ୟରେ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରର ୨୬, ୩୧୯ ପରିବାର ଏବଂ ଛାମ୍ବ ନିୟାବତ ଅଂଚଳରୁ ବିସ୍ଥାପିତ ୧୦, ୦୬୫ ପରିବାର ସାମିଲ ରହିଛନ୍ତି। ତେବେ ପୂର୍ବରୁ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନକୁ ଚାଲିଯାଇଥିବା ଏବଂ ପରେ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା ୫୩୦୦ ପରିବାରକୁ ଏହି ପ୍ୟାକେଜରେ ସାମିଲ କରାଯାଇନଥିଲା।

ଯୁଦ୍ଧ ଏବଂ ପଣବନ୍ଦୀ ଦ୍ୱାରା ପ୍ରପିଡ଼ିତ ହୋଇ ୧୯୪୭ରେ ବିସ୍ଥାପିତ ହୋଇଥିବା ଏହି ୫୩୦୦ ପରିବାର ବର୍ତମାନର ଯୋଜନାରେ ସାମିଲ ହେବା ଫଳରେ ସେମାନେ ସୁବିଧାଜନକ ମାସିକ ରୋଜଗାର ପାଇବାରେ ସଫଳ ହେବେ ଏବଂ ଆର୍ଥିକ ମୁଖ୍ୟ ସ୍ରୋତକୁ ଫେରିପାରିବେ। ଏପରି ବିସ୍ଥାପିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ସରକାରଙ୍କ ସାମର୍ଥ୍ୟକୁ ଏହା ମଧ୍ୟ ବୃଦ୍ଧି କରିବ। ଏହି ଯୋଜନାରେ ପୂର୍ବରୁ ମଞ୍ଜୁର ହୋଇଥିବା ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.