Home ଜିଲ୍ଲା ପରିକ୍ରମା ଚିକିତ୍ସା ଅଭାବରୁ ମେଧାବୀ ଛାତ୍ରୀ ରାଜଲକ୍ଷ୍ମୀଙ୍କ ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ମାତା ଓ ପିତାଙ୍କ...

ଚିକିତ୍ସା ଅଭାବରୁ ମେଧାବୀ ଛାତ୍ରୀ ରାଜଲକ୍ଷ୍ମୀଙ୍କ ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ମାତା ଓ ପିତାଙ୍କ ଆକୁଳ ନିବେଦନ

26

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ଖୁବ୍ କମ୍ ବୟସରେ ଅଜଣା ରୋଗରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଘରର ଏକମାତ୍ର ଝିଅ ରାଜଲକ୍ଷ୍ମୀ । ଆଉ ଝିଅର ଏ ଅବସ୍ଥା ଦେଖି କୋହକୁ ସମ୍ଭାଳି ପାରୁନାହାଁନ୍ତି ବାପା ମା’ । ୧୮ ବର୍ଷର ଝିଅକୁ ମାଡିବସିଛି ଅଜଣା ରୋଗ । ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି, କିନ୍ତୁ କିଛି ସୁଫଳ ପାଇପାରୁନାହାଁନ୍ତି । ଭଲ ହୋଇପାରୁନାହିଁ ଝିଅ । କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, କିନ୍ତୁ ସେ ସବୁ ଯୋଜନାର ଲାଭ ପାଇପାରୁନାହାଁନ୍ତି ଅନେକ ଗରିବ ଶ୍ରେଣୀର ଲୋକେ । ଫଳରେ ଆବଶ୍ୟକୀୟ ଅର୍ଥ ଅଭାବରୁ ଚିକିତ୍ସା ଓ ଔଷଧ କିଣିବା ପାଇଁ ପଇସାଟିଏ ନପାଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି ଅନେକ ଗରିବ ଶ୍ରେଣୀର ଲୋକ । ଏମିତି ହିଁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡି ବ୍ଲକ୍ ଅନ୍ତର୍ଗତ କୁବେରା ପଂଚାୟତର ଶରତ ସାହୁଙ୍କ ପରିବାରରେ । ଚାଷ କରି ଯାହା କିଛି ଆୟ କରୁଥିଲେ, ସେଥିରେ ପରିବାର ଚଳାଇବା ସଂଗେ ସଂଗେ ନିଜ ଛୋଟ ଝିଅର ଜୀବନ ବଂଚାଇବା ପାଇଁ ଯାହା କିଛି ଟଙ୍କା ରୋଜଗାର କରି ରଖିଥିଲେ ସବୁ ଝିଅର ଚିକିତ୍ସା ନିମନ୍ତେ ଖର୍ଚ୍ଚ କରିସାରିଲେଣି । କିନ୍ତୁ ଏକମାତ୍ର ଅଠର ବର୍ଷର ଝିଅ ଅଜଣା ରୋଗରେ ପଡିରହି ଯନ୍ତ୍ରଣାରେ ଜୀବନ ବିତାଉଥିଲେ ମଧ୍ୟ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ନିଜ ସଂପର୍କୀୟ ଯାହା କିଛି ଅର୍ଥ ଯୋଗାଡ କରିଥିଲେ, ସେଥିରେ ସେ ବହୁ କଷ୍ଟରେ ଘରୋଇ ବା କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇ ଡାକ୍ତରଙ୍କ ପରାମର୍ଶରେ ଶରୀରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ମଧ୍ୟ କରାଇଥିଲେ । ଏବେ କିନ୍ତୁ ଅର୍ଥାଭାବରୁ ଚିକିତ୍ସା କରିନପାରି ଘରେ ପଡି ରହିଥିବା ଦେଖିବାକୁ ମିଳିଛି । ବହୁକଷ୍ଟରେ ସ୍ତ୍ରୀ ସୁବାସିନୀ ଓ ଏକମାତ୍ର ଝିଅ ରାଜଲକ୍ଷ୍ମୀ ଦିନ କାଟୁଛନ୍ତି । ଏହିପରି ଅବସ୍ଥାରେ ତାଙ୍କର ଝିଅର ଜୀବନ ରକ୍ଷା ପାଇଁ ଲାଗିପଡିଛନ୍ତି ବାପା ଓ ମା’ । ତେବେ ଏକମାତ୍ର ଝିଅ ରାଜଲକ୍ଷ୍ମୀଙ୍କୁ ଉନ୍ନତମାନର ଚିକିତ୍ସା କରାଇ ଭଲ କରିବା ପାଇଁ ଜନସାଧାରଣ ତଥା ସରକାରଙ୍କୁ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି ପିତା ଶରତ ଓ ମା’ ସୁବାସିନୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.