ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘର ବିକ୍ରି ଖରିଦିରେ ଏ କି ବିଚିତ୍ର ନିୟମ ! ବିକ୍ରେତା ଘର ଜଣେ କ୍ରେତାଙ୍କୁ ବିକ୍ରିକରିଛନ୍ତି। ହେଲେ ବିକ୍ରେତା ଜଣଙ୍କ କ୍ରେତାଙ୍କୁ ଘର ଦଖଲ ଦେଇନଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟକରିଛି। ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଂଚାୟତ ଅଧିନ ମିର୍ଜାପୁର ମୌଜାରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି। ଘର ବିକ୍ରି କରିଦେବା ପରେବି ବିକ୍ରେତାଙ୍କ ମୋହ ଛାଡ଼ୁନାହିଁ । ଯାହାଫଳରେ ଘର ଛାଡ଼ିବା ପରିବର୍ତେ ବିକ୍ରେତା ଜଣକ ଘରକୁ ମାଡ଼ିବସି ରହିବାରୁ କ୍ରେତା ଜଣକ ୮ମାସ ହେବ ଘର ଦଖଲ ନେଇ ପାରୁନାହାଁନ୍ତି।କ୍ରେତା ଜଣଙ୍କ ଘର ଦଖଲ ନେବା ସମସ୍ୟାର ସମାଧାନ କରିବାକୁ ଭାଟପଡା ପଂଚାୟତ ସରପଂଚ ଶୁଭ୍ର ନାରାୟଣ ସେଠୀଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସରପଂଚଙ୍କ କଥାକୁ ବିକ୍ରେତା ବାରମ୍ବାର ଅଣହେଳା କରିଥିଲେ। ଫଳରେ କ୍ରେତା ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ୱରେ ଭାଟପଡ଼ା ପଂଚାୟତ ଅଧିନ ମିର୍ଜାପୁର ମୌଜାର ପଂଚାୟତ କାର୍ଯ୍ୟାଳୟ ଛକ ନିକଟରେ ଧନଞ୍ଜୟ ଘୋଷ ନାମକ ଜଣେ ବ୍ୟକ୍ତି ଘର ତିଆରି କରି ରହୁଥିଲେ । ତେବେ ସେ ୨୯. ୮. ୨୦୧୮ରେ ତାଙ୍କ ଘରକୁ ଭଦ୍ରକସ୍ଥିତ ନରିପୁର ଗ୍ରାମର ରଞ୍ଜିତ କୁମାର ଦାସଙ୍କୁ ବିକ୍ରି କରି ଦେଇଥିଲେ । ପରେ ରଞ୍ଜିତ ଉପନିବନ୍ଧକଙ୍କ କାର୍ଯ୍ୟାଳୟରୁ ଗୃହର ପଟ୍ଟା ହାସଲ କରିଥିଲେ । ତେବେ ରଞ୍ଜିତ ଗତ ୨୭. ୧୦. ୨୦୨୫ରେ ତିହିଡି଼ ଗ୍ରାମର ଉମାମଣୀ ନାୟକଙ୍କୁ ସେହି ଘରକୁ ବିକ୍ରି କରି ଦେଇଥିଲେ । ତେବେ ଉମାମଣି ଗୃହ ଦଲିଲକରି ତାଙ୍କ ନାମରେ ଖାତିୟନକରି ନିୟମିତ ଖଜଣା ପୈଠ କରି ପାଉତି କାଟି ଆସୁଛନ୍ତି । ତେବେ ଘର ବିକିଥିବା ଧନଞ୍ଜୟ ଘର ନଛାଡି ସେଠାରେ ରହୁଥିବାରୁ ଉମାମଣୀ ଏ ସମ୍ପର୍କରେ ସରପଂଚ ଶୁଭ୍ର ନାରାୟଣ ସେଠୀଙ୍କୁ ଜଣାଇ ଏହାର ସମାଧାନକରି ଗୃହ ଦାଖଲ ଦେବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ସରପଂଚ ଶ୍ରୀ ସେଠୀ ବିକ୍ରେତା ଧନଞ୍ଜୟଙ୍କୁ ଡାକି ଘର ଛାଡିବାକୁ କହିଥିଲେ ମଧ୍ୟ ସେ ଏଥିରେ ଅବହେଳା ପ୍ରଦର୍ଶନ କରିଥିଲେ । ଗୁରୁବାର କ୍ରେତା ଉମାମଣୀ ସେହି ଘର ନିକଟକୁ ଯିବାପରେ ଘରର ପଛ ପାର୍ଶ୍ୱ କାନ୍ଥ କଟାଯିବା ସହ ଘରେ ସେ ପକାଇଥିବା ତାଲାକୁ ଓଲଡିଂ କରା ଯାଇଥିବା ଦେଖିବାକୁ ପାଇଥିଲେ । ସେ ଏ ସମ୍ପର୍କରେ ଧନଞ୍ଜୟଙ୍କୁ ପଚାରିବାରୁ ସେ ଓ ତାଙ୍କ କେତେକ ସହଯୋଗୀ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଉମାମଣୀ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ତେବେ ଅଭିଯୋଗ ପାଇବା ପରେ ଆଇଆଇସି ଲୋପାମୁଦ୍ରା ନାୟକ ଉଭୟପକ୍ଷଙ୍କୁ ଥାନାକୁ ଡକାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ସମୟରେ ଧନଞ୍ଜୟଙ୍କ ସ୍ତ୍ରୀ ମମିତା ଘର ବିକ୍ରିକୁ ନେଇ ସେ ଭଦ୍ରକ ଏସଡ଼ିଜେଏମଙ୍କ କୋର୍ଟରେ ମକଦ୍ଦମା କରିଥିବା କହିଥିଲେ । ତେବେ ଏହି ଘଟଣାରେ ଉଭୟପକ୍ଷ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିବା ଜଣାପଡିଛି।
Home ଜିଲ୍ଲା ପରିକ୍ରମା ଘର ବିକ୍ରି ଖରିଦିରେ ବିଚିତ୍ର ନିୟମ !, ବିକ୍ରେତା ବିକ୍ର ିକରିଛନ୍ତି ଘର, ହେଲେ କ୍ରେତାଙ୍କୁ...








