Home ଜିଲ୍ଲା ପରିକ୍ରମା ଗ୍ୟାସ ପାଇପ ବିଛାଇବା ନାଁରେ ତାଡିଲେ ରାଜ୍ୟ ରାଜପଥ, କାମ ବନ୍ଦ ଲାଗି ଆଦାନୀ ଗ୍ୟାସ...

ଗ୍ୟାସ ପାଇପ ବିଛାଇବା ନାଁରେ ତାଡିଲେ ରାଜ୍ୟ ରାଜପଥ, କାମ ବନ୍ଦ ଲାଗି ଆଦାନୀ ଗ୍ୟାସ ଲିମିଟେଡକୁ ନିର୍ଦ୍ଦେଶ

34

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ୟାସ ପାଇପଲାଇନ ବିଛାଇବା ନାଁରେ ଏବେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ତାଡି ନଷ୍ଟ କରାଯାଉଛି । ପୂର୍ତବିଭାଗରୁ ପାଇଥିବା ଅନୁମତିର ସର୍ତକୁ ଖିଲାପ କରି ଆଦାନୀ ଗ୍ୟାସ ଲିମିଟେଡ ଏଭଳି ବେନିୟମ କାର୍ଯ୍ୟ କରିଚାଲିଛି । ସର୍ବସମ୍ମୁଖରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟ ରାଜପଥର କ୍ଷତି ହେଉଛି । ସରକାରୀ ସମ୍ପତିକୁ ନଷ୍ଟ କରୁଥିବା ଏହି ଘରୋଇ କମ୍ପାନୀ ବିରୋଧରେ ଚାପା ଅସନ୍ତୋଷ ପ୍ରକାଶ ପାଇବା ପରେ ପୂର୍ତବିଭାଗର ନିର୍ବାହୀ ଯନ୍ତ୍ରୀ କାମ ବନ୍ଦ ରଖିବାକୁ ଆଦାନୀ ଗ୍ୟାସ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ: ଆନନ୍ଦପୁର-ଭଦ୍ରକ-ଚାନ୍ଦବାଲି ରାସ୍ତା ପ୍ରକଳ୍ପ (ଏବିସି ରୋଡ ପ୍ରୋଜେକ୍ଟ) ଅଧୀନରେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ରାଜପଥ ମାନକୁ ଉନ୍ନୀତ କରାଯାଇଛି । ଏଥିପାଇଁ ଅନ୍ୟୁନ ୧୦ ବର୍ଷ ସମୟ ଲାଗିଥିଲା । ବହୁ ବାଦ ବିବାଦ ପରେ ଦେଢବର୍ଷ ତଳେ ରାସ୍ତାର ନିର୍ମାଣ ଶେଷ ହୋଇଥିଲା । ରାସ୍ତାଟିଏ ପାଇଁ ୩ଲକ୍ଷ ଲୋକ ବର୍ଷବର୍ଷ ଧରି ହନ୍ତସନ୍ତ ହେବା ପରେ ଏବେ ସେଥିରୁ ନିସ୍ତାର ମିଳିଛି । ମାତ୍ର ଉକ୍ତ ରାସ୍ତା ପ୍ରତି ବିପଦ ଆଣିଛି ଗ୍ୟାସ ପାଇପ ଲାଇନ ବିଛାଉଥିବା ଠିକାସଂସ୍ଥା । ଭଦ୍ରକ-ଚାନ୍ଦବାଲି ରାସ୍ତାକଡରେ ଏହି ପାଇପ ଲାଇନ ବିଛାଉଛି କମ୍ପାନୀ । ରାସ୍ତାକୁ କୌଣସି କ୍ଷତି ନପହଂଚାଇ ପାଇପ ବିଛାଇବା ପାଇଁ ପୂର୍ତବିଭାଗ ଆଦାନୀ ଗ୍ୟାସ ଲିମିଟେଡକୁ ଅନୁମତି ଦେଇଥିଲା । କିନ୍ତୁ ଉକ୍ତ କମ୍ପାନୀ ବେପରୱା ଭାବେ ରାସ୍ତାର ବଗଚର (ସୋଲଡର)କୁ ତାଡି ଚାଲିଛି । ପୀରହାଟରୁ ଭଦ୍ରକ ମଧ୍ୟରେ ଏକାଧିକ ସ୍ଥାନରେ ଏକାକଳୀନ କାମ ଆରମ୍ଭ କରି କମ୍ପାନୀ ଏଭଳି ତାଡି ଚାଲିବା ଯୋଗୁ ରାସ୍ତାର ବହୁତ କ୍ଷତି ହେଲାଣି । ବୈଷୟିକ କାରଣରୁ ଏହା ରାସ୍ତାପ୍ରତି ନିହାତି ବିପଦ ଆଣିବା ସହ ପୂର୍ତବିଭାଗର ବହୁଲକ୍ଷ ଟଙ୍କା ନଷ୍ଟ ହେଲାଣି । ଆରମ୍ଭରୁ ହାଲକା ଭାବେ ନେଇଥିବା ପୂର୍ତବିଭାଗ ଏବେ ଏହାକୁ ନେଇ କଠୋର ହୋଇଛି । ‘ଆଦାନୀ ଗ୍ୟାସ ଲିମିଟେଡ ସର୍ତକୁ ଖିଲାପ କରି ରାସ୍ତାକୁ ନଷ୍ଟ କରୁଥିବା ନେଇ ମୁଁ ନିଜେ କ୍ଷେତ୍ରୀୟ ଅନୁଧ୍ୟାନ କରି ଜାଣିବା ପରେ କମ୍ପାନୀକୁ କାମ ବନ୍ଦ କରିବା ଲାଗି ମେଲ ଯୋଗେ ନିର୍ଦ୍ଦେଶ ଦେଇଛି’ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋଜ ସିଂ । ରାସ୍ତାର ସାମାନ୍ୟତମ କ୍ଷତି ନୁହେଁ ବରଂ ରାସ୍ତାକୁ ଛାଡି କଡରେ ପାଇପ ଲାଇନ ନେବାକୁ କୁହାଯାଇଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସିଂ । କାମ ବନ୍ଦ ପାଇଁ ମେଲ ପାଇବା ପରେ ଆଦାନୀ ଗ୍ୟାସ ଲିମିଟେଡର କେତେକ ଅଫିସର ଆଲୋଚନା ପାଇଁ ପୂର୍ତବିଭାଗ ଡିଭିଜିନ କାଯ;୍ୟାଳୟରେ ପହଞ୍ଚୁଥିବା ନେଇ ସୂଚନା ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସିଂ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.