Home ଜିଲ୍ଲା ପରିକ୍ରମା ଗାଡି ପାଇଁ ତେଲ ନାହିଁ ,ବ୍ୟାରେଲ ବ୍ୟାରେଲ ତେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି ଚାଷୀ

ଗାଡି ପାଇଁ ତେଲ ନାହିଁ ,ବ୍ୟାରେଲ ବ୍ୟାରେଲ ତେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି ଚାଷୀ

2

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ, ସାଧାରଣ ଲୋକ ହନ୍ତସନ୍ତ । ଟ୍ରାକ୍ଟର ଲଗାଇ ଶହ ଶହ ବ୍ୟାରେଲ ଡିଜେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି ଚାଷୀ। ସବୁଜାଣି ଚାନ୍ଦବାଲି ପ୍ରଶାସନ ନିରବ ଦ୍ରଷ୍ଟା। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ନେଇ ଚାଲିଥିବା ଗୁଜବ ମଧ୍ୟରେ ଏବେ ସବୁଠି ପେଟ୍ରୋଲ ପମ୍ପ ଆଗରେ ଦେଖିବାକୁ ମିଳିଛି ଲମ୍ବା ଲାଇନ। ଗତ କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତେଲ ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଚାନ୍ଦବାଲିରେ ଦେଖିବାକୁ ମିଳିଛି ଚମକାଇଦେବା ଭଳି ଚିତ୍ର। ଗୋଟିଏ ପଟେ ସାଧାରଣ ଲୋକ ଗାଡିରେ ତେଲ ପକାଇବା ପାଇଁ ଘଂଟା ଘଂଟା ଧରି ଖରାରେ ଲାଇନରେ ଛିଡା ହୋଇ ରହୁଥିବା ବେଳେ ଅନ୍ୟ ପଟେ ଟ୍ରାକ୍ଟର ଲଗାଇ ଶହ ଶହ ବ୍ୟାରେଲ ଡିଜେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି ଫାଇନାନ୍ସର ଓ ଚାଷୀମାନେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଏବଂ ତେଲ ଅଭାବ ଗୁଜବ ପରେ ଲୋକମାନଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ଼ ଲାଗି ରହିଛି। କେତେକ ପମ୍ପରେ ତେଲ ସୀମିତ ଭାବେ ମିଳୁଥିବା ବେଳେ ଅଧିକାଂଶ ପମ୍ପରେ ତାଲା ପଡିଥିବା ଦେଖିବାକୁ ମିଳିଛି। ଯେଉଁ କିଛି ପମ୍ପ ଖୋଲା ରହିଛି ସେଠାରେ ଗାଡି ଧାରୀଙ୍କ ଲମ୍ବା ଲାଇନ ଲାଗି ରହିଛି। ଏଭଳି ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅଂଚଳରେ ଥିବା ଇଣ୍ଡିଆନ ଅଏଲ ଓ ଏଚପି ପେଟ୍ରୋଲ ପମ୍ପ ପରିସରରେ ଦେଖାଯାଇଛି ଅଲଗା ଚିତ୍ର। ଚିଙ୍ଗୁଡ଼ି ଚାଷ ସହ ଜଡିତ କିଛି ଫାଇନାନ୍ସର ଓ ଚାଷୀ ଟ୍ରାକ୍ଟର ଲଗାଇ ବ୍ୟାରେଲରେ ଡିଜେଲ ଭରି ନେଉଥିବା ଦୃଶ୍ୟ ସାଧାରଣରେ ପ୍ରଶ୍ନ ଉଠାଇଛି। ଯେଉଁଠି ସାଧାରଣ ଲୋକଙ୍କୁ ନିର୍ଦ୍ଧାରିତ ପରିମାଣର ତେଲ ଦିଆଯାଉଛି, ସେଠି କିପରି ବ୍ୟାରେଲ ବ୍ୟାରେଲ ଡିଜେଲ ଦିଆଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନର କୌଣସି ନଜରଦାରି ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେଲ ସଙ୍କଟ ଭଳି ପରିସ୍ଥିତିରେ ଯଦି କିଛି ପ୍ରଭାବଶାଳୀ ଲୋକ ଅଧିକ ପରିମାଣରେ ଡିଜେଲ ନେଇଯିବେ, ତେବେ ସାଧାରଣ ଲୋକ ଆହୁରି ଅସୁବିଧାରେ ପଡିବେ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ପେଟ୍ରୋଲ ପମ୍ପ କର୍ତୃପକ୍ଷ କହିଛନ୍ତି ଯେ ଚିଙ୍ଗୁଡ଼ି ଚାଷ ପାଇଁ ଡିଜେଲର ଆବଶ୍ୟକତା ଥିବାରୁ କେତେକ ଲୋକ ବ୍ୟାରେଲରେ ତେଲ ନେଉଛନ୍ତି। ତେବେ ଏଥିପାଇଁ କୌଣସି ନିୟମ ମାନାଯାଉଛି କି ନାହିଁ ଏବଂ ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.