Home ଜିଲ୍ଲା ପରିକ୍ରମା ଗଣମାଧ୍ୟମ ଓ ରାଜନୈତିକ ଦଳ ପାଇଁ ଜିଲ୍ଲା ପ୍ରଶାସନର ନିର୍ବାଚନୀ ବୈଠକ, ଅବାଧ, ନିରପେକ୍ଷ ନିର୍ବାଚନ...

ଗଣମାଧ୍ୟମ ଓ ରାଜନୈତିକ ଦଳ ପାଇଁ ଜିଲ୍ଲା ପ୍ରଶାସନର ନିର୍ବାଚନୀ ବୈଠକ, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ-ଜିଲ୍ଲାପାଳ

7

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଲୋକସଭା ଓ ବିଧାନ ସଭା ପାଇଁ ସାଧାରଣ ନିର୍ବାଚନ – ୨୦୨୪ ନିମନ୍ତେ ନିର୍ବାଚନ ଆୟୋଗ ଦ୍ୱାରା କାର୍ଯ୍ୟସୂଚୀ ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବା ପରେ ରବିବାର ପୂର୍ବାହ୍ନରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଗଣମାଧ୍ୟମ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ଗଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଡ଼େପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମାର୍ଚ୍ଚ ୧୬ରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଶେଷ ଆର୍ଥାତ ୭ମ ପର୍ଯ୍ୟାୟରେ ଜୁନ୍ ୧ ତାରିଖରେ ଭୋଟ ଗ୍ରହଣ କରାଯିବ । ସେହି ଅନୁଯାୟୀ ମଇ ୭ରେ ନୋଟିଫିକେସନ୍‌, ମଇ ୭ ରୁ ୧୪ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ମଇ ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ମଇ ୧୭ଥିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଜୁନ୍ ୧ରେ ମତଦାନ ଓ ଜୁନ୍ ୪ରେ ଗଣତି କରାଯିବା ନେଇ ଜିଲ୍ଲା ପ୍ରଶାସନର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ସମ୍ବନ୍ଧରେ ପ୍ରକାଶ କରିଥିଲେ । ଅବାଧ, ମୁକ୍ତ, ନିରପେକ୍ଷ, ହିଂସାମୁକ୍ତ, ସ୍ୱଚ୍ଛ ନିର୍ବାଚନ ପାଇଁ ପ୍ରଶାସନ ସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ଦଳର କର୍ମକର୍ତ୍ତା, ପ୍ରାର୍ଥୀ ସମସ୍ତଙ୍କର ସହ ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ଲେଖାଏଁ ସମୁଦାୟ ୧୫ଟି ଫ୍ଲାଇଂ ସ୍କ୍ୱାଡ଼ ମାର୍ଚ୍ଚ ୧୬ ଠାରୁ କାମ ଆରମ୍ଭ କରିଥିବା ନେଇ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ । ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ଫୋନ୍ ଦ୍ୱାରା ୧୧୨ ନମ୍ବରରେ ଜଣାଇ ପାରିବେ ।

ଡ଼ିସ୍‌ପରସାଲ ଓ ଗଣତି ପାଇଁ ୪ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓ କେବଳ ଧାମନଗର ପାଇଁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ରାଜନୈତିକ ଦଳର ପ୍ରତିନିଧି, ପ୍ରାର୍ଥୀମାନେ ଇ.ଭି.ଏମ୍‌. ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରନ୍ତୁ, ଇ.ଭି.ଏମ୍‌. କମିଶନିଂ ଓ ସଂପୃକ୍ତ ଅନ୍ୟ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ସାମିଲ ହୁଅନ୍ତୁ ବୋଲି ଜିଲ୍ଲାପାଳ ଜଣାଇଥିଲେ । ଆହୁରି ମଧ୍ୟ ସୂଚନା ଦେଇଥିଲେକି ସକାଳ ୭ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ । ଜିଲ୍ଲାର ସମୁଦାୟ ୧୩୦୯ ବୁଥ୍‌ରୁ ଶତାକଡ଼ା ୬୦ ଭାଗ ବୁଥ୍‌ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ରହିବ । ପ୍ରଚାର ପାଇଁ ଶୋଭାଯାତ୍ରା, ସଭା ହେବାକୁ ଥିବା ପଡ଼ିଆ, ରାସ୍ତା, ଡ଼ାକବାଜି ଯନ୍ତ୍ର, ଯାନ ଆଦି ପାଇଁ ଶତକଡ଼ା ଶହେ ଭାଗ ଅନ୍‌ଲାଇନ୍‌ରେ ଆବେଦନ କରିବେ । କୌଣସି ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ପୀଠରେ ସଭା ସମିତି ନିଷେଧ ଅଟେ । ରାତ୍ରି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରଚାର ବନ୍ଦ ରହିବ । ଗଣମାଧ୍ୟମ ଉପରେ କଡ଼ା ନଜର ରଖାଯିବ । ଦୁରୁପୋଯୋଗକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ କୋଠବାଡ଼ି, ବିଦ୍ୟୁତ୍ ଖୁଣ୍ଟ, ସରକାରୀ ଜାଗା ଆଦିରେ ପୋଷ୍ଟର, ବ୍ୟାନର ମାରିବା ନିଷେଧ । ଭୋଟର ମାନଙ୍କୁ ପ୍ରଭାବିତ କରାଗଲା ଭଳି ଅବୈଧ କାରବାର ସବୁ ରୋକିବା ପାଇଁ ସୂଚନା ମିଳିଲା ମାତ୍ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନେ ସମାଜର ଆଖି କାନ ସଦୃଶ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଜରିଆରେ ଗଣତନ୍ତ୍ରର ମହତ ଉଦ୍ଦେଶ୍ୟ ପ୍ରତି ଭୋଟର ପାଖରେ ପହଞ୍ôଚ ପାରିବ ଏବଂ କ୍ଷେତ୍ର ସ୍ତରୀୟ ଦୋଷ ଦୁର୍ବଳତା ସମ୍ବନ୍ଦରେ ଅବଗତ ହେଲେ ଜିଲ୍ଲା ପ୍ରଶାସନ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିପାରିବ । ବିଶେଷ କରି ଆଗାମୀ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ଦିଗରେ ଗଣମାଧ୍ୟମର ସହଯୋଗ କାମ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗତ ଜାନୁୟାରୀ ୫ରେ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ବୁଥ୍ ଅନୁଯାୟୀ ଭୋଟର ସଂଖ୍ୟା ଯୋଗ, ବିୟୋଗ ବା ଅନ୍ୟାନ୍ୟ ତ୍ରୁଟି ଥିଲେ ରାଜନୈତିକ ଦଳର ପ୍ରତିନିଧିମାନେ ତୁରନ୍ତ ଜଣାଇବାକୁ ମଧ୍ୟ ସେ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.