Home ଓଡ଼ିଶା ଖାଲିପଡ଼ିଛି ସମ୍ବଲପୁର ମହାନଗର ନିଗମର ଦୁଇ ନୂଆ ବଜାର

ଖାଲିପଡ଼ିଛି ସମ୍ବଲପୁର ମହାନଗର ନିଗମର ଦୁଇ ନୂଆ ବଜାର

132

ସମ୍ବଲପୁର, ୨୭/୭ (ଓଡ଼ିଆ ପୁଅ) ମୁଖ୍ୟ ସଡ଼କ ଗୁଡ଼ିକର ପାଶ୍ୱର୍ରେ ଚାଲିଥିବା ବଜାରକୁ ବ୍ୟବସ୍ଥିତ କରିବା ଓ ଟ୍ରାଫିକ ସମସ୍ୟାର ନିରାକରଣ ପାଇଁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଗୋବିନ୍ଦତୋଲା ଏବଂ ଶାନ୍ତିନଗର ଠାରେ ଦୁଇଟି ବଜାର ନିର୍ମାଣ କରାଯାଇଥିଲା। ହେଲେ ଏହି ଦୁଇ ବଜାରକୁ କେହି ନଯିବାରୁ ଖାଲିପଡ଼ିଛି। ନିର୍ମାଣର ପାଞ୍ଚ ବର୍ଷ ପରେ ମଧ୍ୟ ଅବ୍ୟବହୃତ ହେବା ଦ୍ୱାରା ଆଗକୁ ନଷ୍ଟ ହେବାର ଆଶଙ୍କା ରହିଛି। ଏଣେ ମହାନଗର ନିଗମର ମଧ୍ୟ ରାଜସ୍ୱ ହାନୀ ହେଉଛି। ଏହି ନୂଆ ବଜାର ସଂଗଠିତ ଭାବେ ନିର୍ମାଣ କରାଯାଇଥିଲେ ମଧ୍ୟ କେହି ହେଲେ ଏଠାରେ ବେପାର କରିବାକୁ ନଯିବାର କାରଣ ଜଣାପଡ଼ୁନାହିଁ। କୈାଣସି ଉଠାଦୋକନୀ କିମ୍ବା ରାସ୍ତାକଡ଼ରେ ପସରା ପକାଉଥିବା ଲୋକେ ନୂଆ ବଜାରକୁ ଯାଉନଥିବାରୁ ପିଂଡ଼ି ଗୁଡ଼ିକ ଖାଲି ପଡ଼ିଛି। ଗୋବିନ୍ଦତୋଲା ଠାରେ ନିର୍ମିତ ବଜାରରେ ୧୦୬ ଜଣ ଭେଂଡ଼ର ବସି ପାରିବେ। ଏଠାରେ ଧନୁପାଲି, ଜେଲ ଛକ, ନେଲ୍ସନ ମଣ୍ଡେଲା ଛକ, ଧନୁପାଲି-ଦେବଗଡ଼ ରାସ୍ତାକଡ଼ରେ ବସୁଥିବା ଭେଂଡ଼ର ମାନଙ୍କୁ ପିଂଡ଼ି ମାନଙ୍କରେ ବସାଇବା ସକାଶେ ଠିକଣା କରଯାଇଥିଲା। ସେହିପରି ଶାନ୍ତିନଗରଠାରେ ସାଢେ ଚାରି ହଜାର ବର୍ଗ ମିଟର ପରିମିତ ଜମିରେ ଆଉ ଏକ ଦୈନିକ ବଜାର ବିକଶିତ କରାଯାଇଛି। ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବଜାରେ ଦୁଇଶହ ଜଣ ବେପାରୀଙ୍କ ପାଇଁ ୬ଫୁଟ/୬ଫୁଟର କଙ୍କ୍ରିଟ ପ୍ଲାଟଫର୍ମ ନିର୍ମିତ ହୋଇଛି। ଏଠାରେ ବୁଢାରଜା-ଅଇଁଠାପାଲି ରାସ୍ତାର ପାଶ୍ୱର୍ରେ ଚାଲୁଥିବା ଅସ୍ଥାୟୀ ବଜାରକୁ ଆରମ୍ବ କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। ଅନ୍ୟ ପକ୍ଷରେ ଶାନ୍ତିନଗର ଦୈନିକ ବଜାରର ଆଖପାଖ ଇଲାକାରେ ଅନେକ କଲୋନୀ ଗଢିଉଠିଲାଣି। ଏହି ବାଟଦେଇ ଫାଟକ ଓ ବୁଢାରଜା ଅଂଚଳରୁ ୫୩ ନମ୍ବର ଜାତୀୟ ରାଜପଥ, ଅଇଁଠାପାଲି ଛକକୁ ପ୍ରଶସ୍ତ ରାସ୍ତା ଖୋଲିସାରିଛି। ନୂଆ ବଜାର ଖାଲି ରହିଥିବାରୁ ପ୍ରଶାସନ ଆଉ ଏହିଭଳି ପ୍ରକଳ୍ପ ହାତକୁ ନେଇପାରୁନଥିବା କୁହାଯାଉଛି। ସୂଚନା ଯୋଗ୍ୟ ଯେ, ଉଭୟ ଧନୁପାଲି-ଗୋଦିନ୍ଦତୋଲା ଏବଂ ଅଇଁଠାପାଲି ସହରର ପ୍ରବେଶ ଦ୍ୱାର ଭାବେ ପରିଚିତ। ଏଣେ ମହାନଗର ନିଗମ ପରିସୀମାରେ ସଂଖ୍ୟାଧିକ ଦୈନିକ ଓ ସପ୍ତାହିକ ହାଟ ରହିଛି। ସେଗୁଡ଼ିକର ଜମି ସଂରକ୍ଷଣ ଓ ପୁନରୁଦ୍ଧାର କରାନଗଲେ ଆଗକୁ ସମସ୍ୟା ଦେଖାଦେବ ବୋଲି କୁହାଯାଉଛି। ପ୍ରାୟ ୩୦ ବର୍ଷ ପୂର୍ବେ ଫାଟକ ରେଳବାଇ ଓଭରବ୍ରିଜ ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଯୋଗୁଁ ଫାଟକରେ ଥିବା ହଟଲିକୁ ତରବରିଆ ଭାବେ ସମ୍ବଲପୁର ଟ୍ରଷ୍ଟଫଣ୍ଡ କର୍ତ୍ତୃତ୍ୱରେ ଥିବା ପ୍ରଫେସର କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା। ଏହି ପ୍ରଫେସର କଲୋନୀ ପାଖରେ ଶାନ୍ତିନଗର ଦୈନିକ ବଜାର ନିର୍ମାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.