Home Top News କୋଟିଆରେ ବିଜେପି ପ୍ରତିନିଧି ଦଳ: ଓଡିଶାର କୌଣସି ଅଂଚଳ ପ୍ରତି ପଡୋଶୀ ରାଜ୍ୟର ନଜରକୁ ବରଦାସ୍ତ...

କୋଟିଆରେ ବିଜେପି ପ୍ରତିନିଧି ଦଳ: ଓଡିଶାର କୌଣସି ଅଂଚଳ ପ୍ରତି ପଡୋଶୀ ରାଜ୍ୟର ନଜରକୁ ବରଦାସ୍ତ କରା ଯିବ ନାହିଁ– ପ୍ରଦୀପ୍ତ ନାଏକ

50

ଖାଲି ପଡୋଶୀ ଆନ୍ଧ୍ର ପ୍ରଦେଶର ଦୋଷ ଦେଲେ ହେବ ନାହିଁ, ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ଏପରି ହେଉଛି – ବିରୋଧି ଦଳ ନେତା

କୋଟିଆ, ୧୦ ଫେବୃଆରୀ (ଓଡ଼ିଆ ପୁଅ) – କୋଟିଆ ହେଉଛି ଓଡିଶାର ମୁକୁଟ। କୋଟିଆର ଲୋକ ମାନେ ଓଡିଶାର ଥିଲେ, ରହିଛନ୍ତି ଓ ରହିବେ। ଓଡିଶାର କୌଣସି ଅଂଚଳ ପ୍ରତି ପଡୋଶୀ ରାଜ୍ୟର ନଜରକୁ ବରଦାସ୍ତ କରା ଯିବ ନାହିଁ। ତେବେ ଖାଲି ପଡୋଶୀ ଆନ୍ଧ୍ର ପ୍ରଦେଶର ଦୋଷ ଦେଲେ ହେବ ନାହିଁ, ରାଜ୍ୟ ସରକାରଙ୍କର ଅପାରଗତା ପାଇଁ ଏପରି ହେଉଛି ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ। ବିଜେପି ପ୍ରତିନିଧି ଦଳ ଏଠାରେ ପହଂଚି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ପରେ ଶ୍ରୀ ନାଏକ ଏହା କହିଛନ୍ତି।

ସେ କହିଛନ୍ତି ଯେ -ରାଜ୍ୟ ସରକାର କୋଟିଆରେ କାହିଁକି ବିକାଶ କରି ପାରିଲେ ନାହିଁ ଓ କେନ୍ଦ୍ର ସରକାର ଦେଇଥିବା ଯୋଜନା ଗୁଡିକୁ କୋଟିଆରେ ପହଂଚାଇ ପାରିଲେ ନାହିଁ ଏହାର ଜବାବ ରାଜ୍ୟ ସରକାର ଦେବା ଆବଶ୍ୟକ।

ସେ କହିଛନ୍ତି ଯେ ଏବେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ପାଇଁ କରିଥିବା ଘୋଷଣା କେବଳ ଲୋକଦେଖାଣିଆ। ରାଜ୍ୟ ସରକାର ମହାନଦୀ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ତଥ୍ୟ ଦେଇ ପାରୁ ନାହାନ୍ତି। ତେଣୁ କୋଟିଆରେ କଣ କରିବେ ?ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଉଛନ୍ତି ବୋଲି ଯେଉଁ ବାହାଦୁରୀ ମାରୁଛନ୍ତି ତାହା ତାଙ୍କର ଅଯୋଗ୍ୟତାର ନିଦର୍ଶନ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ – ଖାଲି କୋଟିଆ ନୁହେଁ ଗଜପତି, ବାଲେଶ୍ୱର ଜିଲ୍ଲାରେ ସୀମାବର୍ତି ଅଂଚଳରେ ପଡୋଶୀ ରାଜ୍ୟ ମାନେ ଏପରି ବିବାଦ କରୁଛନ୍ତି ସେଥି ପାଇଁ ରାଜ୍ୟ ସରକାର ଧ୍ୟାନ ଦେବା ଦରକାର। ନ ହେଲେ ୧୯୩୬ ମସିହାରେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଦେଶରେ ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଆମର ପୂର୍ବ ପୁରୁଷ ମାନେ ତିଆରି କରିଥିଲେ, ତାର ଗାରିମା ଉପରେ ଆଂଚ ଆସିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ – ରାଜ୍ୟ ସରକାର କୋଟିଆରେ ଆଦିବାସୀ ମାନଙ୍କର ରୋଜଗାର ପାଇଁ ବିଶେଷ ଯୋଜନା କରନ୍ତୁ। କୋଟିଆରେ ସମସ୍ତ ପ୍ରକାର ମୌଳିକ ସୁବିଧା ଯେପରିକି ପାଣି, ବିଜୁଳି ଓ ପକ୍କା ଘର ଆଦି ସମସ୍ତଙ୍କୁ ପହଂଚିବ ତାହା ସୁନିଶ୍ଚିତ କରନ୍ତୁ। ରାଜ୍ୟ ସରକାର ଆଗାମୀ ଉତ୍କଳ ଦିବସ କୋଟିଆରେ ପାଳନ କରନ୍ତୁ ବୋଲି ସେ କହିଛନ୍ତି।

କୋଟିଆରେ ପର୍ଯ୍ୟଟନର ବିକାଶ ପାଇଁ ଅମାପ ସୁଯୋଗ ରହିଛି। ସରକାର ତାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି।

ଏଠାରେ ଜଙ୍ଗଲଜାତ ସାମଗ୍ରୀ, ମାଣ୍ଡିଆ ଯେଭଳି ବଜାର ଦରରେ ବିକ୍ରୀ ହେବ ଓ ଆଦିବାସୀ ମାନେ ତାର ଲାଭ ପାଇବେ ରାଜ୍ୟ ସରକାର ତାହା ସୁନିଶ୍ଚିତ କରନ୍ତୁ ବୋଲି ସେ କହିଛନ୍ତି।

କୋଟିଆରେ ବହୁମୂଲ୍ୟ ରତ୍ନ ପଥର ଥିବା ପାହାଡ ଥିବା କାରଣରୁ ଆନ୍ଧ୍ର ସରକାର ଏହାକୁ ହାତେଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ରାଜ୍ୟରେ ଗୋଟିଏ କି ପ୍ରକାର ସରକାର ଚାଲିଛି ଯେ ରାଜ୍ୟର ସୀମା ଅସୁରକ୍ଷିତ, ରାଜ୍ୟର ପାଣି ଅସୁରକ୍ଷିତ, ରାଜ୍ୟର ଜଙ୍ଗଲ ଅସୁରକ୍ଷିତ। ଛତିଶଗଡ, ଆନ୍ଧ୍ର ପାଣିକୁ ରୋକୁଛନ୍ତି। ପଶ୍ଚିମ ବଙ୍ଗ ଆମ ରାଜ୍ୟର ବାଲି ନେଇ ଯାଉଛି, ଝାଡଖଣ୍ଡ ଆମର ଜଙ୍ଗଲ ନେଇ ଯାଉଛି। ରାଜ୍ୟ ସରକାର କରୁଛନ୍ତି କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.