Home କେନ୍ଦୁଝର କେନ୍ଦୁଝର : ଚାଷୀଙ୍କୁ ହତାଦାର କରୁଛି ଦୁର୍ନିତୀରେ ଉବୁଟୁବୁ ଚମ୍ପୁଆ ଆରଏମ୍‌ସି : ଲକ୍ଷ ଲକ୍ଷ...

କେନ୍ଦୁଝର : ଚାଷୀଙ୍କୁ ହତାଦାର କରୁଛି ଦୁର୍ନିତୀରେ ଉବୁଟୁବୁ ଚମ୍ପୁଆ ଆରଏମ୍‌ସି : ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା : ତଦନ୍ତଦାବି ଜୋର ଧରିଲା

27

କେନ୍ଦୁଝର, ୧୧ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟରେ ଦୁର୍ନିତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଏହାକୁ ଜିରୋ ଟଲୋରନ୍ସ ଭାବେ ଗୁରୁତ୍ୱ ଦେଉଥିବା ସତ୍ୱେ କେନ୍ଦୁଝର ଜିଲ୍ଲାର କିଛି ଅସାଧୁ ଅଧିକାରୀ ତଥା କର୍ମଚାରୀ କିନ୍ତୁ ଏହାକୁ ଫୁରେ ଉଡାଇ ଦେବା ପ୍ରଚେଷ୍ଟାରେ ରହିଛନ୍ତି। କେନ୍ଦୁଝର ଜିଲ୍ଲାର ଦୁର୍ନିତି ବିଭିନ୍ନ ସମୟରେ ସମ୍ବାଦର ଶିରୋନାମା ପାଲଟୁଥିଲେ ମଧ୍ୟ ସେଗୁଡିକର ନୀରପେକ୍ଷ ତଦନ୍ତ ପ୍ରାୟତଃ ହେଉନାହିଁ। ଏପରିକି ଅଧିକାରୀଙ୍କ ଉପରେ ଉତରଦାୟିତ୍ୱ ମଧ୍ୟ ଧାର୍ଯ୍ୟ କରାଯାଉନାହିଁ। ଯେଉଁଥିପାଇଁ ସ୍ୱଭାବିକ ଭାବେ ଅସାଧୁ ଅଧିକାରୀଙ୍କର ମନୋବଳ ବୃଦ୍ଧି ପାଉଛି। ଏକ୍ଷେତ୍ରରେ ଚମ୍ପୁଆ ଆର.ଏମ୍‌.ସି୍‌.କୁ ଏକ ଉଦାହରଣ ଭାବେ ନିଆଯାଇପାରେ। ହାଟବଜାର ଓ ନିୟମିତ ବଜାରରେ ଚାଷୀଙ୍କୁ ସୁବ୍ୟବସ୍ଥିତ ଢଙ୍ଗରେ ସେମାନଙ୍କର ଉତ୍ପାଦିତଦ୍ରବ୍ୟ ବିକାକିଣାର ସୁଯୋଗ ସୃଷ୍ଟି କରିବା ସହ ବଜରାର ପରିମଳ ବ୍ୟବସ୍ଥା ସଜାଡିବା, ପାନୀୟଜଳର ବ୍ୟବସ୍ଥା ଆଦି ଯୋଗାଇ ଦେବା ପାଇଁ ଆରଏମସି (ରେଗୁଲେଟେଡ ମାର୍କେଟ କମିଟି) ବା ନିୟନ୍ତ୍ରୀତ ବଜାର ପରିଷଦର ସୃଷ୍ଟି। ସବଡିଭିଜନ ସ୍ତରରେ ଉପଜିଲାପାଳ, ଆରଏମସିର ଚେୟାରମ୍ୟାନ ରହିଥିବାବେଳେ, ବ୍ୟବସ୍ଥାର ତଦାରଖ ସହ ନିୟମିତ କାର୍ଯ୍ୟ ପରିଚାଳନା ପାଇିଂ ସରକାରୀ ସ୍ତରରେ ସମ୍ପାଦକ ଓ ମହାସୁଲ ଆଦାୟ ପାଇଁ କର୍ମଚାରୀ ରହିଛନ୍ତି। କିନ୍ତୁ ଚମ୍ପୁଆ ଆରଏମ୍ ସି ତାର ମୁଖ୍ୟ ଲକ୍ଷ୍ୟରୁ ଦୂରେଇ ଯିବାରେ ଲାଗିଛି।

ଝୁମ୍ପୁରା ଅଂଚଳର ନିୟମିତ ବଜାର ସହିତ ସାପ୍ତାହିକ ହାଟ ଏହି ଆରଏମସି ନିୟନ୍ତ୍ରଣରେ ରହିଛି। ୧୯୯୭ ମସିହାରେ ଝୁମ୍ପୁରା ବଜାରକୁ ଆର.ଏମ୍‌.ସି.ହାତକୁ ନେବା ପରେ ସେହି ସ୍ଥାନରେ ନିଜସ୍ୱ ଖର୍ଚ୍ଚରେ ଦୋକାନ ଘର କରି ବ୍ୟବସାୟ କରିବାକୁ ବ୍ୟବସାୟୀମାନଙ୍କୁ ୧୦/ ୧୫ ଓ ୧୨/ ୧୫ ଫୁଟର ‘୨୪୮ଟି ପ୍ଲଟ ଆବଣ୍ଟନ କଲା। କିନ୍ତୁ ଆରଏମସିର ନିର୍ଦ୍ଦଷ୍ଟ ପ୍ଲାନ ନଥିବାରୁ ବ୍ୟବସାୟୀମାନେ ଘର ନିର୍ମାଣ କରିବା ପରେ ସେଠାରେ ପରିଶ୍ରାଗାର କିମ୍ବା ଡଷ୍ଟବିନ ଆଦି ପାଇଁ ସ୍ଥାନ ରହିଲା ନାହିଁ। ଏପଟେ ଚାଷୀମାନଙ୍କ ପାଇିଂ ସ୍ଥାନର ଅଭାବ ଯୋଗୁଁ ବିଭିନ୍ନ ଲୋକଙ୍କଠାରୁ ଗାଳିମନ୍ଦ ଶୁଣିମଧ୍ୟ ନିଲର୍ଜ ଭାବେ ବିପଦଶଙ୍କୁଳ ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ବସି ସେମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆରଏମଏସ୍‌ ତାର ମୌଳିକ ଦାୟିତ୍ୱକୁ ଏଡାଇଯାଇ କେବଳ ମହାସୁଲ ଆଦାୟ କରିବାରେ ବ୍ୟସ୍ତ ରହୁଛି। ଚାଷୀମାନେ ନ୍ୟାୟ ପାଇଁ ଆରଏମସି କର୍ତୂପକ୍ଷଙ୍କୁ ବାରମ୍ବାର ଗୁହାରୀ ପରେ ମଧ୍ୟ ସୁଫଳ ମିଳୁନାହିଁ। ଏପରିକି କର୍ମଚାରୀମାନେ ଗାଳିମନ୍ଦ କରୁଥିବା ପଙ୍କଜ ନାଏକ, ପ୍ରଶାନ୍ତ ଗିରି, ଶୁକଦେବ ମହାନ୍ତ, ଘନଶ୍ୟାମ ନାଏକ, ରୋଶନ ମୁଣ୍ଡା, ଲୋଚନ ନାଏକ, ଯୁଧିଷ୍ଟିର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ନିରଞ୍ଜନ ନାଏକ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ଲାଗି ଉଦ୍ଦେଶ୍ୟମୂଳକ ଭାବେ ଚାଷୀଙ୍କୁ ନ୍ୟାୟ ଦିଆଯାଉନାହିଁ ା ଆରଏମଏସ୍ କର୍ତ୍ତୃପକ୍ଷଙ୍କର ମନମାନୀ ଓ କୃଷକମାନଙ୍କ ପ୍ରତି ହୀନମାନ୍ୟତା ମନୋଭାଗ ଯୋଗୁଁ ଚାଷୀମାନେ ହନ୍ତସନ୍ତ ହେଉଥିବା ବଳେ ବଜାରର ପରିମଳ ବ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି। ଚାରିଆଡେ କୁଢ କୁଢ ଆବର୍ଜନା ମାସମାସ ଜମି ରହୁଛି। ଏପରିକି ଆଦାୟ ମହାସୁଲର ସିଂହଭାଗ କର୍ମଚାରୀଙ୍କ ପକେଟକୁ ଯାଉଥିବା ଅଭିଯୋଗର ଉଚ୍ଚସ୍ତରୀୟ ନୀରପେକ୍ଷ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ଯାହାର ଆବଶ୍ୟକ ମଧ୍ୟ ରହିଛି। ଆବଣ୍ଟନ ପ୍ଲଟ ଗୁଡିକରୁ ମାସିକ ଭଡା ମଧ୍ୟ ଆଦାୟରେ ହେଳା କରାଯାଉନାହିଁ। ପରିତାପର ବିଷୟ ଏହି ଆରଏମସିର ପରିଚାଳନା କମିଟିରେ ଚାଷୀଙ୍କୁ ସଦସ୍ୟ ଭାବେ ନିଆଯାଉନାହିଁ।

ଆରଏମସିର ବିପଣୀ ଗୃହ ଓ ପ୍ଲଟ ଆବଣ୍ଟନର ଅନିୟମିତତା ହୋଇଥିବା ୧୭ନଂ ଜିଲା ପରିଷଦ ସଦସ୍ୟ ଅନୁବ୍ରତ ବେହେରା ଅଭିଯୋଗ କରିବା ସହ ନିୟମ ଅନୁଯାୟୀ ଆରଏମସିର ବିପଣୀ ଗୃହ ବିକ୍ରି କିମ୍ବା ହସ୍ତାନ୍ତର ଯୋଗ୍ୟ ନୁହେଁ। କିମ୍ବା ତାହା ବ୍ୟକ୍ତି ବିଶେଷଙ୍କୁ ଭଡା ଦିଆଯାଇ ପାରିବ ନାହିଁ। ସରକାରଙ୍କର ଜଙ୍ଗଲଜମି ପଟ୍ଟା ଆବଣ୍ଟନର ନିୟମ, ଏଠାରେ ପ୍ରଯୁଯ୍ୟ ହେବ। ହେଲେ ଝୁମ୍ପୁରାରେ ଆରଏମ୍‌ସି ପକ୍ଷରୁ ସମସ୍ତ ନୀତିନିୟମକୁ ଆଖିମିଟିକା ମାରି ବେନିୟମ ଭାବେ ୨୪୮ଟି ବିପଣୀ ଗୃହ ଆବଣ୍ଟନ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ ପ୍ଲଟର ବିକାକିଣା ମଧ୍ୟ ସରିଛି।ଏପରିକି ୧୦ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିପଣୀ ଗୃହର ପ୍ଲଟ ବିକ୍ରି ହୋଇଥିବା ବେଳେ ବେନିୟମ ଭାବେ ବହୁ ପ୍ଲଟ ମଧ୍ୟ ଭଡାରେ ଲାଗିଛି। ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହେବା ସତ୍ୱେ ମଧ୍ୟ ଆରଏମସି କିନ୍ତୁ ସୁଧୁରିବାର ନାମ ଧରୁନାହିଁ। କିନ୍ତୁ ପ୍ରଶାସନ ସ୍ତରରେ ସ୍ୱଛତାକୁ ଅଧିକ ପ୍ରାଧାନ୍ୟ ଦେଉଥିବା ରାଜ୍ୟସରକାର କିମ୍ବା ତାଙ୍କ ଜିଲ୍ଲାପ୍ରଶାସନ କାହା ସୁରକ୍ଷା ଉଦ୍ଦେଶ୍ୟରେ ନୀରପେକ୍ଷ ତଦନ୍ତ ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।

ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ପାଖରେ ୨୦୦୫/୬ ମସିହାରେ ସୃଷ୍ଟି କରାଯାଇଥିବା କୃଷକ ବଜାର କେବଳ ଗୋରୁ, ଗାଇ, ଛେଳି ବେପାରରେ ସିମୀତ ରହିଯାଇଥିବା ବେଳେ ଦୁର୍ଗା ପଡିଆର ପରିବା ବଜାରଓ ସାପ୍ତାହିକ ହାଟରୁ ମଧ୍ୟ ମହାସୁଲ ଆଦାୟ କରୁଛି ଆରଏମସି।

ଅନ୍ୟ ପକ୍ଷରେ କାହାସ୍ୱାର୍ଥରେଚଳିତବର୍ଷ ଅବସର ଗ୍ରହଣ କରିଥିବା ଜନୈକ କର୍ମଚାରୀଙ୍କ ଚାକିରୀ ପୁନର୍ବାର ୨ବର୍ଷ ପାଇଁ ବଢାଇ ଦିଆଯାଇଛି ଯେକି ଦୁର୍ନିତି ସେବାରେ ଲାଗିଥିବା ଚର୍ଚ୍ଚା ହେଉଛି।

ସବୁଠାରୁ ବଡ କଥା ହେଉଛି ଆରଏମସି ନିୟନ୍ତ୍ରଣରେ ରଖିଥିବା ମୋଟ ୨୬୪ଟି ବିପଣୀ ଗୃହ ଓ ପ୍ଲଟ ବିଧିବଦ୍ଧ ଭାବେ ତହସିଲରୁ ହସ୍ତାନ୍ତର କରାଯାଇନଥିବା ସତ୍ୱେ ଦୂର୍ଗାପଡିଆରେ ବିପଣୀ ଗୃହ ତିଆରି କରାଯାଇ ବେନିୟମ ଆବଣ୍ଟନ କରାଯାଇଛି। ଏହି ଘଟଣାରେ ଚାଷୀ, ଉଠାଦୋକାନୀ, ଦୂର୍ଗା କମିଟି ସଦସ୍ୟମାନେ ତୀବ୍ର ବିରୋଧ କରିବା ସହିତ ଲିଖିତ ଅଭିଯୋଗ କରିଛନ୍ତି। ଆବଣ୍ଟନ ପ୍ଲଟ ଗୁଡିକର ବେନିୟମ ବିକାକିଣାର ନୀରପେକ୍ଷ ତଦନ୍ତ କରା ନଗଲେ ସଂଗୃହିତ ତଥ୍ୟକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ୧୭ନଂ ଜିଲା ପରିଷଦ ସଦସ୍ୟ ଅନୁବ୍ରତ ବେହେରା, ଦୂର୍ଗତୀ ନାଶିନୀ ଯୁବସଂଘର ସଭାପତି ଶଶୀଭୁଷଣ ସାହୁ ସମ୍ପାଦକ ଓ ଉଠାଦୋକାନୀ ସ୍ପଷ୍ଟ ଭାବ ଆରଏମସି ସମ୍ପାଦକଙ୍କୁ ଜଣାଇଛନ୍ତି।

ଏସଂପର୍କରେ ଚମ୍ପୁଆସ୍ଥିତ ଆରଏମସି ସମ୍ପାଦକ ଦିଗାମ୍ବର ପ୍ରଧାନ କିନ୍ତୁ କିଛି ମତାମତ ଦେବାକୁ ମନା କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.