Home ଓଡ଼ିଶା କେନ୍ଦୁଝରରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ କଣ୍ଟେନମେଣ୍ଟ ଜୋନର ଶତାଧିକ ମହିଳା ଓ...

କେନ୍ଦୁଝରରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ କଣ୍ଟେନମେଣ୍ଟ ଜୋନର ଶତାଧିକ ମହିଳା ଓ ପୁରୁଷ

197

କେନ୍ଦୁଝର, ୨ ଜୁନ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ କଣ୍ଟେନମେଣ୍ଟ ଜୋନର ଶତାଧିକ ମହିଳା ଓ ପୁରୁଷ। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷାଣା କରିବା ପରେ ନିଜର ଦାୟିତ୍ୱ ଶେଷ କରି ନିଶ୍ଚିତରେ ବସି ଯାଇଛି ପ୍ରଶାସନ। ଏହା ଫଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ଅଞ୍ଚଳକୁ ବାହାର ଲୋକଙ୍କର ପ୍ରବେଶ ନିଷେଧ ହୋଇଯାଇଥିବା ବେଳେ ଜୋନ ଅଞ୍ଚଳ ମଧ୍ୟରୁ ବାହାରକୁ ବାହାରିବା ମଧ୍ୟ ନିଷେଧ ହୋଇ ଯାଇଛି। କିନ୍ତୁ ଏପଟେ ଦୀର୍ଘ ୮ ଦିନ ଧରି କଣ୍ଟେନମେଣ୍ଟ ଜୋନ ଅଞ୍ଚଳର ଲୋକେ ଭୋକ ଉପାସରେ ରହୁଥିବା ଅଭିଯୋଗ କରି ସେମାନଙ୍କ ପକ୍ଷରୁ ଆଜି ମଙ୍ଗଳବାର ଦିନ ରାସ୍ତା ଅବରୋଧ କରାଯାଇଛି।

ଚଳିତ ମାସ ୨୬ ତାରିଖ ରେ କେନ୍ଦୁଝର ଜିଲ୍ଲାରେ ୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦୁଝର ସହର ର ୫ ନମ୍ବର ୱାର୍ଡ ର କିମିରିଡୋଲୀ ଅଞ୍ଚଳର ଜଣେ କୋରୋନା ଆକ୍ରାନ୍ତ ରହିଥିଲେ। ସେହି କାରଣରୁ ସେହି ୨୬ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସିଲ କର ଦିଆଯାଇିଥିଲା। ଆବଶ୍ୟକ ହେଲେ ହେଲେ ଏହି ଅବଧି ବଢିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଆଜି କୁ ୮ ଦିନ ହୋଇ ଯାଇଥିଲେ ସୁଦ୍ଧା କଣ୍ଟେନମେଣ୍ଟ ଜୋନ ହଟିନାହିଁ। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁସାରେ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଅଞ୍ଚଳକୁ ସିଲ କରାଯାଇଥିବା କଥା ଜିଲ୍ଲା ପ୍ରଶାସନ କହଥିଲେ ମଧ୍ୟ କାହିଁକି ୮ ଦିନ ହେବ ସିଲ ହଟାଯାଉ ନାହିଁ ଏବଂ କଣ୍ଟେନମେଣ୍ଟ ଜୋନର ଅବଧୀକୁ ଯଦି ବଢାଇ ଦିଆଯାଇଛି ତେବେ ଆମକୁ ସୂଚନା କାହିଁ ଦିଆଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏତେ ଦିନ ଧରି ଏହି ଅଞ୍ଚଳକୁ ସିଲ କରାଯାଇ ଥିବାରୁ ଆମ ପାଖରେ ପଇସା ପତ୍ର କିଛି ନାହିଁ। ଯେଉଁଥିପାଇିଁ ଆମେ ସଉଦା ମଧ୍ୟ କିଣି ପାରୁ ନାହୁଁ। ଫଳରେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛୁ। ଏକ ଗାଡିରେ ପରିବା ଆସୁଛି ସତ ହେଲେ ସେଥିରେ ପୋଚା ସଢା ପରିବା ଆସୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ଏହି କଣ୍ଟେନମେଣ୍ଟ ଜୋନକୁ ହଟାଇ ନିଆଯିବା ଲାଗି ପାଇଁ ସେମାନେ ଦାବି କରି ରଜ ରାସ୍ତାକୁ ଅବରୋଧ କରିବା ସହ ନିଜ ନିଜ ମଧ୍ୟରେ ଦୂରତା ବଜାଇ ରଖି ମୁହଁ କୁ ମାକ୍ସ ଓ ଲୁଗା ରେ ଢାଙ୍କି ପାଖା ପାଖି ୫ ଘଣ୍ଟା ରାଜ ରାସ୍ତା ଅବରୋଧ କରିଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଙ୍କ ସହିତ କେନ୍ଦୁଝରଗଡ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମଧୁମିତା ସାମନ୍ତରାୟ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳବାସୀଙ୍କ ସହ ଅଲୋଚନା କରାଯିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା ଏବଂ ଏହି କଣ୍ଟେନମେଣ୍ଟ ଜୋନର ଅବଧି ଆହୁରି ଅଧିକ ୧୪ ଦିନ ପର୍ଯ୍ୟନ୍ତ ବଳବତର ରହିବା ନିଷ୍ପତି ହୋଇଥିବା ସଂପର୍କରେ ଲୋକଙ୍କୁ ବୁଝାଯାଇଥିଲା। ପ୍ରାୟ ୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା।

କୋରୋନା ମୁକାବିଲା ପରିସ୍ଥିତି ସମୟରେ ପ୍ରଶାସନର ଏଭଳି ଖାମଖିଆଲ ମନୋଭାବକୁ ସାଧାରଣ ନାଗରିକମାନେ ନା ପସନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନର ସଠିକ ମନିଟରିଂ ର ଅଭାବ କାରଣରୁ ହାଟଡିହି ବ୍ଳକ ଅନ୍ତର୍ଗତ ଆଇତିପୁର କ୍ୱରାଟାଂଇନ କେନ୍ଦ୍ରର ପ୍ରବାସୀ ମାନଙ୍କ ଯାଇଥିବା ନମୁନାର ରିପୋର୍ଟ ସେମାନେ ରହିବାର ୧୪ ଦିନ ପରେ ମଧ୍ୟ ଆସିପାରୁ ନଥିବା ଏବଂ ଏହି ବିଳମ୍ବ ଯୋଗୁଁ ସେମାନେ ଘରକୁ ଫେରିପାରୁ ନଥିବା ଅଭିଯୋଗ ଆସିଥିବା ବେଳେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.