Home କେନ୍ଦୁଝର କେନ୍ଦୁଝରରେ କୋଭିଡର ଦୃତ ସଂକ୍ରମଣ କାରଣରୁ ସୁରକ୍ଷା ଦୃଷ୍ଟିରୁ ଟୀକାକରଣ କ୍ଷେତ୍ରରେ ବିଭିନ୍ନ ବର୍ଗଙ୍କ ପାଇଁ...

କେନ୍ଦୁଝରରେ କୋଭିଡର ଦୃତ ସଂକ୍ରମଣ କାରଣରୁ ସୁରକ୍ଷା ଦୃଷ୍ଟିରୁ ଟୀକାକରଣ କ୍ଷେତ୍ରରେ ବିଭିନ୍ନ ବର୍ଗଙ୍କ ପାଇଁ ପୃଥକ ବ୍ୟବସ୍ଥା ଜରୁରୀ

28

କେନ୍ଦୁଝର, ୨୮ ଏପ୍ରିଲ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କୋଭିଡ ଟୀକା କରଣ କେନ୍ଦ୍ରରେ ବଢୁଥିବା ଭିଡ, ନିରୋଗଙ୍କ ସ୍ୱାସ୍ଥର ସୁରକ୍ଷା ପାଇଁ ବଡ ଚିନ୍ତାର କାରଣ ହୋଇ ପଡିଥିଲେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କେହି ବି ଗୁରୁତ୍ୱ ନ ଦେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟପୁର୍ଣ୍ଣ। ଯାହା ପାଇଁ ଜିଲ୍ଲାର ବିଶେଷତଃ ବରିଷ୍ଠ ନାଗରିକମାନେ ଚିନ୍ତିତ ହୋଇ ପଡିଛନ୍ତି। ଏବେ କୋଭିଡ-୧୯ର ଦ୍ୱିତୀୟ ଲହର ଅଧିକ ପ୍ରଭାବଶାଳୀ ହୋଇ ଆସିଥିବା ବେଳେ ଏହା ଅଧିକ ଭାବେ ଯୁବ ବର୍ଗଙ୍କୁ ଅଧିକ କବଳିତ କରିବା ସମ୍ଭାବନା ଉପରେ ଚିକିତ୍ସକମାନେ ମତ ପୋଷଣ କରୁଛନ୍ତି। କୋଭିଡ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ୬୦ ବର୍ଷର ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରାଯାଇଥିଲା। ଯାହା ଅଦ୍ୟବଧି ଚାଲୁ ରହିଛି। ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଅନେକ ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜର ସମୟକୁ ଅପେକ୍ଷା କରିଥିବା ବେଳେ କେହି କେହି ପ୍ରଥମ ଡୋଜ ମଧ୍ୟ ନେଉଛନ୍ତି। ଇତି ମଧ୍ୟରେ ସରକାରଙ୍କ ପକ୍ଷରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ଯୁବ ବର୍ଗଙ୍କୁ କୋଭିଡ ଟୀକା କରଣରେ ସାମିଲ କରାଯାଇଛି। ସରକାରଙ୍କ ଏହି ନିର୍ଣ୍ଣୟକୁ ସବୁ ମହଲରେ ସ୍ୱାଗତ କରାଯାଇଥିବା ବେଳେ ସେମାନଙ୍କର ମଧ୍ୟ ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଛି। ଫଳରେ ସ୍ୱଭାବିକ ଭାବେ ଟୀକା କରଣ କେନ୍ଦ୍ରରେ ଭିଡ ପରିଲିକ୍ଷିତ ହେଉଅଛି। ଏବେ ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଉର୍ଦ୍ଧ ବର୍ଗଙ୍କୁ ମାଗଣା ଟୀକାରଣରେ ସାମିଲ କରାଯାଇଅଛି। ଏହା ନିଶ୍ଚିତ ଭାବେ ସୁଖବର ହୋଇଥିଲେ ମଧ୍ୟ ସେମାନଙ୍କ ‘ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ଅବଶ୍ୟ ବିଳମ୍ବ ଅଛି। କିନ୍ତୁ ଏବେ କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏଭଳି ସ୍ଥିତିରେ ଟୀକାକରଣ କେନ୍ଦ୍ରରେ ବର୍ତମାନ ଦୁଇଟି (ବୟସର) ବର୍ଗଙ୍କ ପାଇଁ ଏକ ସଙ୍ଗେ ଟୀକୀକରଣ ଯୋଗୁଁ ଅଧିକ ଗହଳି ସୃଷ୍ଟି ହେବା ସ୍ୱଭାବିକ ହୋଇଛି। ଅନୁରୁପ ଭାବେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଟୀକାକରଣ କେନ୍ଦ୍ରରେ ଗହଳି ଲାଗି ରହୁଥିବା ବେଳେ ଏହି ଗହଳି ଭିତରେ ସଂକ୍ରମିତଙ୍କ ଉପସ୍ଥିତିର ଅଭିଯୋଗ ଉଠିଛି। ଯାହା କି ଟୀକା ନେବା ପାଇଁ ଆସୁଥିବା ଅନ୍ୟ ସୁସ୍ଥ ମାନଙ୍କ ସୁରକ୍ଷା ପ୍ରତି ବିପଦ ବଢି ଯାଇଛି। ଫଳରେ ଭିନ୍ନ ଭିନ୍ନ ବର୍ଗଙ୍କ ଟୀକା କରଣ ପାଇଁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପୃଥକ ପୃଥକ ସ୍ଥାନ ନିରୁପଣ କରି ସେମାନଙ୍କୁ ସୂଚିତ କରିବା ଜିଲ୍ଲା ସ୍ୱାସ୍ଥ ବିଭାଗ କର୍ତ୍ତୃପକ୍ଷଙ୍କର କେବଳ ଦାୟିତ୍ୱ ନୁହେଁ ସର୍ବ ପ୍ରଥମ କର୍ତବ୍ୟ ମଧ୍ୟ। ଏ ଦିଗରେ ପ୍ରଶାସନର ଆଭିମୁଖ୍ୟ ସଂପର୍କରେ ମତାମତ ନେବାରେ ବିଚାର କରାଯଉଥିବା କହି ସି.ଡି.ଏମ୍‌.ଓ. ଅଶୋକ ଦାଶ ତାଙ୍କର ଦାୟିତ୍ୱ ଶେଷ କରିଛନ୍ତି। କିନ୍ତୁ ଦୀର୍ଘ ଦିନ ଧରି ଏଭଳି ବିଚାର କରାଯାଉଥିବା ଘଟଣାକୁ ଅନେକ କେବଳ ନାପସନ୍ଦ କରି ନାହାଁନ୍ତି ତାଙ୍କର ଦାୟିତ୍ୱବୋଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ଏହା ଉପରେ ତୁରନ୍ତ ବ୍ୟବସ୍ଥାର ଆବଶ୍ୟକତା ଅଧିକ ରହିଛି। ଅନ୍ୟ ପକ୍ଷରେ ଟୀକାକରଣ ଅନେକ ସମୟରେ ଟୀକାକରଣ କେନ୍ଦ୍ରରେ କୋଭିଡ ଗାଇଜ ଲାଇନ ଖୋଲା ଉଲଙ୍ଘନ ଦେଖିବାକୁ ମିଳୁଛି। ଏହା ବିଶେଷ ଭାବେ ଟୀକାକରଣ କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନଙ୍କ କ୍ଷେତ୍ରରେ ହିଁ ଲକ୍ଷ୍ୟ କରାଯାଉଅଛି। ଅନ୍ୟ ପକ୍ଷରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ବଢୁଥିବ ବେଳେ ଆକ୍ରାନ୍ତମାନେ ସେମାନଙ୍କର ଟେଷ୍ଟ କେଉଁଠାରେ କରିବେ ତାହା ଜଣିପାରୁ ନଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମଧ୍ୟ ଦିଆଯାଉନାହିଁ। ଫଳରେ ରୋଗୀମାନେ ବହୁତ ହଇରାଣ ହରକତ ହେବାସହ କେହି କେହି ଜୀବନ ବିକଳରେ ଘରୋଇ ପଗୀକ୍ଷାକେନ୍ଦ୍ରର ଦ୍ୱାରସ୍ଥ ହୋଇ ଶୋଷିତ ମଧ୍ୟ ହେଉଛନ୍ତି। ଏପରିକି ମୁଖ୍ୟାଳୟସ୍ଥିତ କୋଭିଡ୍‌ ହସ୍‌ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଉପଚାର ଏବଂ ଖାଦ୍ୟପେୟ ମିଳୁ ନଥିବାର ଅଭିଯୋଗମାନ ଆସୁଅଛି। ଯଦିଓ ସମସ୍ତ ଘଟଣାରେ ଜିଲ୍ଲା ସ୍ୱାସ୍ଥ ବିଭାଗ ସହ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଓ ଦାୟିତ୍ୱବୋଧତା ଉପରେ ସ୍ୱଭାବିକ ଭାବେ ପ୍ରଶ୍ନ ଉଠିଛି ତଥାପି ସେମାନଙ୍କର ଏଦିଗରେ ଅଧିକ ସଚେତନ ହୋଇ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବାର ଆବଶ୍ୟତା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.