Home ଜିଲ୍ଲା ପରିକ୍ରମା କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବା ନିଷ୍ପତି: ୧୮ରେ ରେଳରୋକ

କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବା ନିଷ୍ପତି: ୧୮ରେ ରେଳରୋକ

31

ବାଲେଶ୍ୱର, ୧୫-୨ (ଓଡ଼ିଆ ପୁଅ/ ଅଭୟ ଦାସ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି ଆନ୍ଦୋଳନକୁ ସମର୍ଥନ ଦେଇ ଏହାକୁ ଜିଲାସ୍ତରରେ ବ୍ୟାପକ କରିବାକୁ ମିଳିତ କୃଷକ ସଂଘର୍ଷ ସମିତି ପକ୍ଷରୁ ଚରମ ନିଷ୍ପତି ନିଆଯାଇଛି। ଏନେଇ ଆସନ୍ତା ୧୮ ତାରିଖ ଦିନ ରେଳରୋକ ଆନ୍ଦୋଳନ ପାଇଁ ସଂଘର୍ଷ ସମିତି ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆୟୋଜିତ ମିଳିତ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସିପିଆଇ ଜିଲା ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ବର୍ଷିୟାନ ବାମପନ୍ଥୀ କୃଷକ ନେତା କୈଳାସ ଚନ୍ଦ୍ର ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲା ସଂପାଦକ ନିରଞ୍ଜନ ବାରିକ ଓ ସହସଂପାଦକ ଭାଗବତ ପ୍ରତିହାରୀ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ କେବଳ ଚାଷୀର କ୍ଷତି କରୁନାହିଁ ବରଂ ଏହି ଆଇନ ଫଳରେ ଦେଶର ସମସ୍ତ ଖାଉଟି ଭୟାବହ ସ୍ଥିତି ସାମ୍ନା କରିବେ ବୋଲି କହିଥିଲେ। ଜନକଲ୍ୟାଣ ପାଇଁ ଏହି ଆନ୍ଦୋଳନରେ ଯୋଗଦେଇ ଦେଶର କୃଷି ଓ କୃଷକକୁ ସୁରକ୍ଷା ଦେବାରୁ ପାର୍ଟି ତରଫରୁ ଆହ୍ୱାନ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଅନାମ ପ୍ରସାଦ ବାରିକ, ମାୟାଧର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ମନୋରଂଜନ ରାଉତ, ସନ୍ତୋଷ ବିଶ୍ୱାଳ, ପ୍ରଭାବତୀ ଦାସ, ଜତିନ୍ ପାତ୍ର, ବିଜୟ ସ, ଦେବେନ୍ଦ୍ର ଜେନା, ତପନ ସିଟ୍, ନନ୍ଦକିଶୋର ମହାଳିକ, ପ୍ରତାପ ମହାନ୍ତି, ନିହାର ଜେନା ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଏହି ବୈଠକରେ ଯୋଗଦେଇ କୃଷି ଆଇନର ବିଭିନ୍ନ ଦିଗ ଓ ସାମ୍ପ୍ରତିକ ଧାନର ଅଭାବୀ ବିକ୍ରି, ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଜିଲାବ୍ୟାପୀ ଆନ୍ଦୋଳନ ଜାରି ରଖିବାକୁ ପ୍ରସ୍ତାବ ଦେଇଥିଲେ। କୋଟିଆ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ନିଜ ଅଧିନକୁ ନେଇ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗକରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଏହି ବୈଠକରେ ତୀବ୍ର ସମାଲୋଚନା କରାଯାଇଥିଲା। ୧୯୩୬ ମସିହାରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନଠାରୁ ଏହି ଅଞ୍ଚଳ ଓଡ଼ିଶାରେ ଥିବା ବେଳେ ଏବେ ଆନ୍ଧ୍ର ଅଧୀନକୁ ଚାଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ ପାଇଁ ବୈଠକରେ ଦାବି କରାଯାଇଥିଲା। ବନ୍ଦନା ବିଶ୍ୱାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.