Home ଓଡ଼ିଶା କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ

କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ

79

– ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହେଲା ‘କୃଷି ଓଡ଼ିଶା’
– ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– ୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ
– ୫ ଦିନ ଯାଏଁ ଚାଲିବ ଏହି କୃଷି ମହୋତ୍ସବ
– କୃଷି ସହ ଜଡ଼ିତ କମ୍ପାନିର ସିଇଓଙ୍କ ସହ ଆଲୋଚନା କଲେ ସରକାର
– ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
– ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ, ୧୧୨ କମ୍ପାନି
– ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଏହି ପ୍ରଦର୍ଶନୀ
– ୨୪ ଯାଏଁ ଚାଲିବ କୃଷି ମହୋତ୍ସବ

ଭୁବନେଶ୍ୱର, ୨୦ ଜାନୁଆରି ୨୦୨୦ (ଓଡ଼ିଆ ପୁଅ) : ଲଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍କୁ ନେଇ ସୋମବାର ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଓଡ଼ିଶାର ଚାଷୀ ରାଜ୍ୟ ବିକାଶର ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ।

“ଚାଷୀମାନେ ହେଉଛନ୍ତି ଦେଶର ଶକ୍ତି। ଅର୍ଥନୀତିର ଶକ୍ତି। ଚାଷ ଓ ଚାଷୀର ଉନ୍ନତି ଦେଶର ସମୃଦ୍ଧିରେ ସହାୟକ ହୋଇଥାଏ। ରାଜ୍ୟରେ ପ୍ରଣୟନ ହୋଇଥିବା ନୂଆ ଚାଷ ନୀତି ଯୋଗୁଁ ଚାଷୀ ସ୍ୱାଭିମାନର ସହ ବଂଚୁଛନ୍ତି। ଚାଷୀମାନଙ୍କର ବିକାଶକୁ ଆମ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ‘କାଳିଆ’ ଯୋଜନା ଚାଷୀମାନଙ୍କର ସମ୍ମାନ ବୃଦ୍ଧି କରିଛି। ମୁଁ ଚାହୁଁଛି ଆମ ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରନ୍ତୁ। ସେମାନଙ୍କ ପରିବାର ଆନନ୍ଦରେ ରହନ୍ତୁ। ଚାଷୀମାନେ ରାଜ୍ୟ ବିକାଶର ସାରଥୀ ହୁଅନ୍ତୁ। ବିଭିନ୍ନ ଯୋଜନାର ଲାଭ ଚାଷୀ ଉଠାଇବା ସହ ସମସ୍ତେ ଭଲରେ ରହନ୍ତୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଫେଡେରସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକି)ର ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷି ଓଡ଼ିଶା-୨୦୨୦’ ଆୟୋଜନ କରାଯାଇଛି।

ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

“ମାଣ୍ଡିଆ ଆମ ରାଜ୍ୟକୁ ଏକ ନୂଆ ଦିଗ ଦେଇଛି। ଚଳିତ ‘କୃଷି ଓଡ଼ିଶା’ ମହୋତ୍ସବରେ ମାଣ୍ଡିଆକୁ ମାସ୍କଟ ଭାବେ ରଖାଯାଇଛି। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାରେ ମାଣ୍ଡିଆ ଚାଷ ହେଉଛି। ରାଜ୍ୟ ସରକାର କରିଥିବା ମାଣ୍ଡିଆ ମିଶନ୍ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ପାଲଟିଛି। ମାଣ୍ଡିଆ ସହିତ ଧାନ, କ୍ଷୀର, ମାଛ ଚାଷରେ ମଧ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଫଳରେ ଚାଷୀଙ୍କ ଆୟ ସାତଗୁଣ ବଢିଛି। ଚାଷୀ ଓ ଚାଷର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ କରିଛନ୍ତି। ଏହାସହ ସ୍ୱତନ୍ତ୍ର କୃଷି ନୀତି ମଧ୍ୟ ପ୍ରଣୟନ କରାଯାଉଛି। ଚଳିତ ବର୍ଷ ନୂଆ କୃଷି ନୀତିର ନାମ ‘ସମୃଦ୍ଧି’ ରଖାଯାଇଛି। ରାଜ୍ୟ ସରକାରଙ୍କ ଏହି ସଫଳ ନୀତି ଯୋଗୁଁ ବହୁ ଯୁବକ ଚାଷ କରିବାକୁ ଆଗେଇ ଆସୁଛନ୍ତି। ଯୁବ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆସନ୍ତା ୨୪ ତାରିଖରେ ଏହି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।’’

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ କହିଛନ୍ତି, “ଲାଭଜନକ କୃଷି ପାଇଁ ପ୍ରୟାସ ହେଉଛି ଚଳିତ ‘କୃଷି ଓଡ଼ିଶା’ର ମୁଖ୍ୟ ଲକ୍ଷ୍ୟ। ନୂଆ ପ୍ରଣାଳୀର ଚାଷ ସମ୍ପର୍କରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ ପାଇଁ ଏଥର ୨୨୮ଟି ଷ୍ଟଲ ରହିଛି। ପୁଷ୍ଟିକର ଖାଦ୍ୟକୁ ପ୍ରୋତ୍ସାହନ ଯୋଗାଇବାକୁ ଯାଇ ମାଣ୍ଡିଆର ଉତ୍ପାଦନ ବଢିଛି। ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବି ସାମିଲ କରାଯାଇଛି। ୨୦୧୮-୧୯ରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିବାରୁ ୧୮୦୦ କୁଇଣ୍ଟାଲ ମାଣ୍ଡିଆ ଆଦାୟ ହୋଇଛି। ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାମ କରୁଛି।’’

ଫିକିର ମହାସଚିବ ଦିଲ୍ଲୀପ ଚେନୋୟ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗକୁ ପ୍ରଶଂସା କରିଥିଲେ।

“ଗତ ୧୬ ବର୍ଷ ଭିତରେ କୃଷି କ୍ଷେତ୍ରରେ ଜିଡିପି ଅଭିବୃଦ୍ଧି ହାର ଦୁଇ ଗୁଣିତ ହୋଇଛି। ସରକାରଙ୍କ ବିଭିନ୍ନ ଯୋଜନା ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରୁଛି। ମହିଳାମାନଙ୍କୁ ସରକାର କୃଷି କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଆସୁଥିବାରୁ ସେମାନେ ସଶକ୍ତ ହୋଇପାରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶା ଏବେ କୃଷି କ୍ୟାବିନେଟରେ ପରିଣତ ହୋଇଛି। କୃଷି ପାଇଁ ଓଡ଼ିଶା ଯେଉଁ ନୀତି ଆପଣାଉଛି ତାହାକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରିବା ଦରକାର’’, କହିଛନ୍ତି ଦିଲ୍ଲୀପ ଚେନୋୟ।

କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ଓଡ଼ିଶା କୃଷି ଅର୍ଥନୀତି ଉପରେ ନିର୍ଭର କରେ। କୃଷିର ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଗତ ୨୦ ବର୍ଷ ହେଲା ଆମ ରାଜ୍ୟ କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି କରିଛି। ଫଳରେ ଓଡ଼ିଶା ୭ ବର୍ଷରେ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି। ଆମ ଚାଷୀମାନଙ୍କ ସମ୍ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ ପ୍ରଣୟନ କରୁଛନ୍ତି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ କ୍ଷୀର ଉତ୍ପାଦନରେ ଜାତୀୟ ଅଭିବୃଦ୍ଧି ହାର ସହ ସମକକ୍ଷ ହୋଇପାରିଛି ଓଡ଼ିଶା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କୃଷିନୀତି ‘ସମୃଦ୍ଧି’କୁ ଲୋକାର୍ପଣ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟାନ କୃଷି ବିଭାଗର ସହାକାରୀ ଅଧିକାରୀମାନଙ୍କୁ ନିଯୁକ୍ତପତ୍ର ପ୍ରଦାନ କରିଥିଲେ। ଏଥିସହ ସଫଳ ଚାଷୀଙ୍କୁ ମଧ୍ୟ ଏହି ମହୋତ୍ସବରେ ସମ୍ମାନିତ କରାଯାଇଥିଲା।

‘କୃଷି ଓଡ଼ିଶା’ ମହୋତ୍ସବ ଉଦଘାଟନ ପୂର୍ବରୁ କୃଷି ସହ ଜଡ଼ିତ ବିଭିନ୍ନ କମ୍ପାନିର ସିଇଓମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର କୃôଷକମାନଙ୍କୁ କିପରି ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଦେଇ ହେବ ଏବଂ କୃଷି ଉତ୍ପାଦର କିପରି ବଜାର ସଂଯୋଗୀକରଣ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା।

‘କୃଷି ଓଡ଼ିଶା’ ଉଦ୍‌ଘାଟନୀ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ଡକ୍ଟର ସୌରଭ ଗର୍ଗ, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, ଫିକିର ମହାସଚିବ ଦିଲ୍ଲୀପ ଚେନୋୟ, କେନ୍ଦ୍ର ସାର ଓ ରସାୟନ ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ ଏବଂ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ଆର୍ ରଘୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ଏହି ମେଗା କୃଷି ପ୍ରଦର୍ଶନୀ ଖୋଲା ରହିବ।

ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ ରହିଛି। ଦେଶ ବିଦେଶର ୧୧୨ଟି କୃଷି ଉତ୍ପାଦ କମ୍ପାନି ଏଥିରେ ସାମିଲ ହୋଇଛନ୍ତି। ୨୪ ତାରିଖ ଯାଏଁ ଚାଲିବ ଏହି କୃଷି ମହୋତ୍ସବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.