Home ଜିଲ୍ଲା ପରିକ୍ରମା କୁଆଁରୀମାନଙ୍କ ଉତ୍ସାହ ଓ ଉଦ୍ଦିପନାର ପର୍ବ ଜହ୍ନି ଓଷା ଉଦ୍‌ଯାପିତ

କୁଆଁରୀମାନଙ୍କ ଉତ୍ସାହ ଓ ଉଦ୍ଦିପନାର ପର୍ବ ଜହ୍ନି ଓଷା ଉଦ୍‌ଯାପିତ

108

ନୟାଗଡ଼, ୨୦ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାରେ କୁମାରପୂର୍ଣ୍ଣୀମାରେ କୁଆଁରୀମାନଙ୍କ ଉତ୍ସାହ ଓ ଉଦ୍ଦିପନାର ପର୍ବ ଜହ୍ନିଓଷା ମହା ଆନନ୍ଦ ଉଲ୍ଲାସରେ ଉଦ୍‌ଯାପିତ ହୋଇଯାଇଛି।। ଭାଦ୍ରବ ପୂର୍ଣ୍ଣମୀ ଠାରୁ ଜହ୍ନିଓଷା ଆରମ୍ଭ ହୋଇ ଆଶ୍ୱିନ ପୂର୍ଣ୍ଣମୀ ବା କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ମାସେଧରି ଚାଲିଥିବା ଏହି ଜହ୍ନିଓଷାରେ କୁଆଁରୀ ଝିଅମାନେ କୁମାରୀପୂଣ୍ଣମୀରେ ବିଭିନ୍ନ ଶାଢୀ ଓ ପୋଷାକରେ ନିଜକୁ ସଜେଇ ହୋଇ ଏହି ପାରମ୍ପରିକ ନିଆରା ପର୍ବରେ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା। ସହରର କେଉଁଠି କେଉଁଠି ଫୁଲ ବଉଳବେଣୀ ଶୀର୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ମନୋରଂଜନ କାର୍ଯ୍ୟକ୍ରମ କୋଭିଡ କଟକଣାରେ ଅନୁଷ୍ଠିତ ହୋଇଥିଲାବେଳେ ଗାଁ ଗହଳିରେ କିନ୍ତୁ ପାରମ୍ପରିକ ଭାବେ ପାଳନ ହେଉଥିବା ଜହ୍ନିଓଷା ନିଆରା ଥିଲା। କୁଆଁରୀ ଝିଅମାନେ ବିଭିନ୍ନ ରଙ୍ଗବେରଙ୍ଗ ଶାଢୀ ଓ ପୋଷାକରେ ନିଜେ ସଜେଇ ହେବା ସହ ଚଉରାବେଦୀକୁ ମଧ୍ୟ ବିଭିନ୍ନ ରଙ୍ଗୀନ ଶାଢୀ, ରଙ୍ଗୀନ କାଗଜ ଓ ଆମ୍ବପତ୍ରର ତୋରଣ ଏବଂ ବିଭିନ୍ନ ଫୁଲରେ ସଜେଇଥିବା ଅତି ଆକର୍ଷଣୀୟ ହୋଇଥିଲା। ଏହି ଦିନଟି ମା’ଲକ୍ଷ୍ମୀଙ୍କର ଜନ୍ମତିଥି ହୋଇଥିବାରୁ ଏହି ଦିନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ। ତେବେ ଏହି ଦିନଟଳୁ କୁମାରୀମାନେ ସାଧାରଣତଃ ବୃନ୍ଦାବତୀପୂଜା ବା ଜହ୍ନିଓଷା ଭାବେ ପାଳନ କରିଥାନ୍ତି। ଏହା କେବଳ କୁମାରୀମାନଙ୍କ ଓଷା ହୋଇଥିବାରୁ କୁଆଁରୀମାନେ ଜହ୍ନି ନଖାଇ ଏକମାସ ଧରି ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। କୁମାରୀମାନେ ଉଦୟକାଳୀନ ସୂର୍ଯ୍ୟ ଓ ଚନ୍ଦ୍ରକୁ ଭକ୍ତିର ସହ ପୂଜା କରିଥାନ୍ତି। ସଞ୍ଜହେଲେ କୁମାରୀମାନେ ଜହ୍ନିଫୁଲରେ ଚଉରାମୂଳରେ ଜହ୍ନିଫୁଲରେ କୋଠି କରି ସେଥିରେ ଅରୁଆ ଚାଉଳ ପିଠଉରେ ଜହ୍ନ ତିଆରି କରି ଜହ୍ନିଫୁଲରେ ଜହ୍ନକୁ ବନ୍ଦାପନା କରି ତିନି ଆଞ୍ଜୁଳା ଜହ୍ନିଫୁଲ ଧରି ତୁଳସୀ ଚଉରାକୁ ଫିଙ୍ଗିଥାନ୍ତି। ଜହ୍ନିଓଷା ଶେଷ ପରେ କୁଆଁରିମାନେ କୁଆଁରପୁନେଇ ଜହ୍ନ ଲୋ ଫୁଲ ବଉଳବେଣୀ ଆଦି ଗୀତ ଗାଇ, ପୁଚି ଖେଳି ଅତି ଆନନ୍ଦ ଉଲ୍ଲାସରେ ଖୁସି ମନେଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.