Home ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ଷମ ହେଲା ୱାଟର ଏଟିଏମ୍‌, ୨ ଟଙ୍କାରେ ମିଳିବ ୧ ଲିଟର ପାଣି

କାର୍ଯ୍ୟକ୍ଷମ ହେଲା ୱାଟର ଏଟିଏମ୍‌, ୨ ଟଙ୍କାରେ ମିଳିବ ୧ ଲିଟର ପାଣି

96

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସହରର ଏକମାତ୍ର ୱାଟର ଏଟିଏମ୍‌ର ଦୂରାବସ୍ଥା ସଂପର୍କରେ ବାରମ୍ବାର ଖବର ପ୍ରସାରଣ ପରେ ଏବେ ଚେତିଛି ପୌର ପ୍ରଶାସନ । ପୌର କର୍ତ୍ତୃପକ୍ଷଙ୍କ ତାଗିଦ ପରେ ଏହାକୁ ସ୍ଥାପନ କରିଥିବା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଏକ ଚେରିଟେବୁଲ ସଂସ୍ଥାର ଯନ୍ତ୍ରୀ ଏଠାରେ ପହଞ୍ôଚ ଉକ୍ତ ଟାୱାର ଏଟିଏମ୍‌କୁ କାର୍ଯ୍ୟକ୍ଷମ କରିଛନ୍ତି । କିନ୍ତୁ ପରେ କିପରି ଭାବେ ପୌର ପ୍ରଶାସନ ଏହାର ପରିଚାଳନା କରୁଛି, ତାହା ଉପରେ ନିର୍ଭର କରୁଛି ଉକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭାଗ୍ୟ । ତଥ୍ୟ ଅନୁଯାୟୀ, ୩ ବର୍ଷ ପୂର୍ବେ ଆଇ-ଫିଲ୍ଡ ନାମକ ଏକ ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ, ରାଜ୍ୟର ଅନ୍ୟତମ ପ୍ରମୁଖ ସାମାଜିକ ସଂଗଠନ ନୀଳଚକ୍ର ଚେରିଟେବୁଲ ଟ୍ରଷ୍ଟ ସହାୟତାରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବହୁଲକ୍ଷ ଟଙ୍କା ବ୍ୟୟରେ ଏକ ୱାଟର ଏଟିଏମ୍ ସ୍ଥାପନ ହୋଇଥିଲା । ଏଥିପାଇଁ ସ୍ୱାକ୍ଷରିତ ଏମ୍‌ଓୟୁ ଅନୁଯାୟୀ ଭଦ୍ରକ ପୌର କର୍ତ୍ତୃପକ୍ଷ ଜାଗା, ଗୃହ ନିର୍ମାାଣ, ବିଦ୍ୟୁତ୍ ସଂଯୋଗ ପରି ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଥିଲେ । ଏହାପରେ ଏହି ଏଟିଏମ୍ କାର୍ଯ୍ୟକ୍ଷମ ହୋଇଥିଲା ।

୨୪ ଘଣ୍ଟିଆ ଉକ୍ତ ମହତ୍ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ପୌର କର୍ତ୍ତୃପକ୍ଷ ନେଇଥିଲେ । ଉକ୍ତ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ସହରବାସୀଙ୍କୁ କମ୍ ଦରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା । ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ଦୋକାନରୁ ଲିଟର ପିଛା ୨୦ ଟଙ୍କା ଦେଇ ଚାଲିଛନ୍ତି । ତେଣୁ ଲୋକଙ୍କ ସୁବିଧା ପାଇଁ ଏହି ଏଟିଏମ୍ ସ୍ଥାପନ ହୋଇଥିଲା । ସେଠାରେ ଥିବା କଏନ ବାକ୍ସରେ ଦୁଇଟି ଏକ ଟଙ୍କିଆ କଏନ୍ ପକାଇବା ସହ ପ୍ରଦର୍ଶିତ ନିୟମାବଳୀ ଅନୁଯାୟୀ ଜଣେ ବ୍ୟକ୍ତି ଏକ ଲିଟର ବିଶୁଦ୍ଧ ପାନୀୟ ଜଳ ପାଇବାର ବ୍ୟବସ୍ଥା ଥିଲା । ପ୍ରଥମାବସ୍ଥାରେ ସହରବାସୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିବିଶେଷ ଏହାର ଭରପୁର ଫାଇଦା ନେଉଥିଲେ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଗତ ୨ ବର୍ଷ ଧରି ଏହି ୱାଟର ଏଟିଏମ୍ ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଏହା ଅଚଳ ହୋଇପଡିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ଥିବାରୁ ଏଥିନିମିତ୍ତ ପୌର କର୍ତ୍ତୃପକ୍ଷ ବିଲ୍ ଦେଇ ଚାଲିଥିଲେ । ତେବେ ଏ ସଂପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ “ପୌର ପ୍ରଶାସନ କ’ଣ ମିନେରାଲ ୱାଟର ପ୍ରସ୍ତୁତକାରୀ କଂପାନୀଙ୍କ ସ୍ୱାର୍ଥରେ କି” ବୋଲି ପ୍ରଶ୍ନ ଉଠିଥିଲା । ତେବେ ଆଜି ଏହା ମରାମତି ପରେ କାର୍ଯ୍ୟକ୍ଷମ ହୋଇଛି ଓ ଏହାଦ୍ୱାରା ସହରବାସୀ ଉପକୃତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.