ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ହବିବନଗର ୱାର୍ଡ ନଂ-୩ର କାଉନସିଲର ଅମତୁନ ଐନିଙ୍କ ସ୍ୱାମୀ ଶେଖ ଖଲିଉଲ୍ଲା ଓରଫ (ବାବୁନ)ଙ୍କୁ ରବିବାର ରାତିରେ ମରଣାତ୍ମକ ଆକ୍ରମଣ କରାଯାଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ସୋମବାର ସନ୍ଧ୍ୟାରେ ଶତାଧିକ ମହିଳା ଓ ପୁରୁଷ ଥାନାରେ ପହଂଚି ଅଭିଯୁକ୍ତଙ୍କ ଗିରଫ ଦାବି କରି କିଛି ସମୟ ପାଇଁ ଥାନାରେ ଉତେଜନା ପ୍ରକାଶ ପାଇଥିଲା। ଅଭିଯୋଗ ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ଟା ବେଳେ ବାବୁନ ନିଜ ଘରକୁ ଫେରୁଥିବା ସମୟରେ ସେହି ଅଂଚଳର ମିର୍ ଆରଫାନ ତାଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଆରଫାନଙ୍କ ପରିବାରର ଅନ୍ୟ କେତେକ ସଦସ୍ୟ ମଧ୍ୟ ସାମିଲ ଥିବା ନେଇ ଏତଲାରେ ଉଲ୍ଲେଖ ରହିଛି। ଆକ୍ରମଣରେ ବାବୁନଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ସହ ତାଙ୍କ ମୋଟରସାଇକେଲକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର କରି ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଏହାସହ ପୂର୍ବରୁ ଘଟିଥିବା ଏକ ମନ୍ଦିର ଚୋରି ଘଟଣାରେ ବାବୁନ ପୁଲିସକୁ ସୂଚନା ଦେଇଥିବା ସନ୍ଦେହରୁ ମଧ୍ୟ ଏହି ଆକ୍ରମଣ ହୋଇଥିବା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଘଟଣା ପରେ ଧାମନଗର ଥାନାରେ ମାମଲା ରୁଜୁ ହୋଇଛି। ସୋମବାର ସନ୍ଧ୍ୟାରେ ୨୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ମାନେ ଥାନାରେ ପହଂଚି ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାସ ପ୍ରତିବାଦକାରୀଙ୍କୁ ବୁଝାସୁଝା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଶିଘ୍ର ଗିରଫ କରାଯାଇ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।








