Home କେନ୍ଦ୍ରାପଡ଼ା କରୋନା ଭୂତାଣୁ ସଂକ୍ରମଣ ସଚେତନତା ପାଇଁ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

କରୋନା ଭୂତାଣୁ ସଂକ୍ରମଣ ସଚେତନତା ପାଇଁ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

150

କେନ୍ଦ୍ରାପଡା ୨୨ / ୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ଭୂତାଣୁ ସଂକ୍ରମଣ ସଚେତନତା ପାଇଁ ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକ, ଉପାଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାବାସୀ ଦୃଢତାର ସହ କରୋନା ଭୂତାଣୁର ସମ୍ମୁଖିନ ହେବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ବର୍ମା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କରୋନା ଭୂତାଣୁ ର ସମ୍ମୁଖିନ ହେବା ନିମନ୍ତେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଛିଙ୍କ, କାଶ ଓ ଜ୍ୱର ହେଉନଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନଥିବା ସୂଚନା ଦିଆଯାଇଥିଲା। ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଦ୍ୱାରା ୨୦ହଜାର ମାସ୍କ ପ୍ରସ୍ତୁତ କରାଯାଇଥିବା ଓ ସାନିଟାଇଜର ନମିଳିଲେ ସାବୁନରେ ହାତ ଧୋଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହା ମଧ୍ୟରେ ଗତ ଦୁଇଦିନ ହେବ ବ୍ଲକ ଓ ଗ୍ରାମପଂଚାୟତର ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମ ତଥା ପଂଚାୟତ ସ୍ତରରେ ହିତାଧିକାରୀମାନଙ୍କୁ ୪ମାସ ପାଇଁ ଏକକାଳୀନ ଭତ୍ତା ପ୍ରଦାନ ସହିତ ଉପଭୋକ୍ତାମାନଙ୍କୁ ଅପ୍ରେଲ ପହିଲାରୁ ରାସନ ସାମଗ୍ରୀ ଯୋଗାଣ ବ୍ୟବସ୍ଥା କରାଯାଉଛି। ଏ.ଏନ.ଏମ. ଓ ଆଶାଦିଦିଙ୍କ ପାଖରେ କରୋନା ଚିକିତ୍ସା ନିମନ୍ତେ ଔଷଧ ଗଛିତ ରଖାଯିବ। ବିଶେଷ ଭାବରେ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି, ହୃଦରୋଗ, ରକ୍ତଚାପ, ମଧୁମେହ ରୋଗରେ ପିଡିତ ବ୍ୟକ୍ତିଙ୍କ ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସିଏଚସି ଓ ପିଏଚସିରେ ଆଇସୋଲେସନ ଗୃହ ପ୍ରସ୍ତୁତ ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା। ଏହି ଜିଲ୍ଲା ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣରେ ପ୍ରବେଶ କରିବ। ତୃତୀୟ ପର୍ଯ୍ୟାୟରେ ଅନ୍ୟଦେଶରେ ଭୟଙ୍କରତା ସୃଷ୍ଟି ହୋଇଥିବାରୁ ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସ୍ୱରୂପ ଆଜି ଠାରୁ ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଥିବା ବେଳେ କେବଳ ପେଟ୍ରୋଲପମ୍ପ, ତେଜରାତି ଦୋକାନ, ମାଛ, ମାଂସ, ଚିକେନ ଓ ଅଣ୍ଡା ପ୍ରଭୃତି ଦୋକାନ ଖୋଲାରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ପ୍ରତ୍ୟେକ ଗ୍ରାମପଂଚାୟତର ସ୍କୁଲ ଗୃହ କିମ୍ବା ପଂଚାୟତ ଗୃହରେ ଯେପରି ୫୦ରୁ ଏକଶହ ବ୍ୟକ୍ତି ଆଇସୋଲେସନରେ ରହି ପାରିବେ ତାର ପ୍ରସ୍ତୁତି କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଗୋଟିଏ ସର୍ବସାଧାରଣ ସ୍ଥାନରେ ଯେପରି ୭ଜଣରୁ ଅଧିକ ଲୋକ ରହିନପାରିବେ ସେଥି ପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ ନିଷେଧାଦେଶ ଜାରିକରାଯାଇଛି। ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନେ ଟୋଲ ଫ୍ରି ନମ୍ବର -୧୦୪ରେ ଫୋନକରି ନିଜର ନାମ ପଞ୍ଜିକୃତ କରି ଆଇସୋଲେସନ ଗୃହରେ କିମ୍ବା ନିଜଘରେ ଡାକ୍ତରଙ୍କ ତତ୍ୱାବଧାନରେ ରହିବା ଆବଶ୍ୟକ। ଯଦି ଏଭଳି କୈାଣସି ବ୍ୟକ୍ତି ନାମପଞ୍ଜିକରଣ ନକରନ୍ତି ତେବେ ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଗଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ବିଦେଶରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ସହ ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ କଡା ନଜରରେ ରଖାଯିବ। ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ସନ୍ତୋଷ କୁମାର ଜେନା, ଧନଞ୍ଜୟ ବୋଷ, ଦେବାଶିଷ ଦାସଙ୍କ ସମେତ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.