Home Coronavirus Outbreak କରୋନାରେ ସାମ୍ବାଦିକ ସୋଲୋମାନ ସାହୁଙ୍କ ଦେହାନ୍ତ

କରୋନାରେ ସାମ୍ବାଦିକ ସୋଲୋମାନ ସାହୁଙ୍କ ଦେହାନ୍ତ

62

ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାରେ ଆକ୍ରାନ୍ତ ସହ ଜିଲ୍ଳା କୋଭିଡ୍ ହସପିଟାଲରେ ଗତ ୩ ଦିନଧରି ଚିକିତ୍ସିତ ହେଉଥିବା ‘ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି’ର ବାଲେଶ୍ୱର ପ୍ରତିନିଧି, ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ(ଓୟୁଡବ୍ଲ୍ୟୁଜେ)ର ସକ୍ରିୟ ସଦସ୍ୟ ସୋଲୋମାନ ସାହୁଙ୍କର ଆଜି ଦେହାନ୍ତ ହୋଇଯାଇଛି। ଗତ ୨ ତାରିଖ ଅପରାହ୍ନରେ ତାଙ୍କ ଶରୀରରେ ଜ୍ୱର ଆସିବା ଦେଖି ପରିବାର ଲୋକେ ୩ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ହୋଇଥିବା କୋଭିଡ୍ ଟେଷ୍ଟ ରିପୋର୍ଟରେ ତାଙ୍କର ପଜିଟିଭ୍ ଚିହ୍ନଟ ହୋଇଥିଲା। ଏନେଇ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା କୋଭିଡ ହସପିଟାଲ ବା ଜ୍ୟୋତି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖି ତାଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ଥିବା ନେଇ ସେଠାରେ ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା। ଏହି ଖବର ଜାଣିବା ପରେ ‘ଓୟୁଡବ୍ଲ୍ୟୁଜେ’ର କର୍ମକର୍ତ୍ତା ଓ ଭାରପ୍ରାପ୍ତ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ସୋଲୋମାନ ସାହୁଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏ ସମ୍ପର୍କରେ ସିଡିଏମଓ ଓ କୋଭିଡ୍ ହସପିଟାଲ ପରିଚାଳନା ମୁଖ୍ୟ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ସୋଲୋମାନ ସାହୁଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ ତାଙ୍କର ପରଲୋକ ହୋଇଯାଇଥିଲା। କୋଭିଡ ହସପିଟାଲ କର୍ତ୍ତୃପକ୍ଷ ମୃତଶରୀର ହସ୍ତାନ୍ତର ସହ ଶେଷକୃତ୍ୟ ବେଳେ ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଏବଂ ବ୍ୟବହାର ନିମନ୍ତେ ପିପିଇ କିଟ୍ସ ପ୍ରଦାନ କରିଥିଲେ। ସେହିକ୍ରମରେ ସୀମିତ ଲୋକଙ୍କ ଉପସ୍ଥିତିରେ ଭାସ୍କରଗଞ୍ଜସ୍ଥିତ ଗ୍ରେଭୟାର୍ଡ଼( କବରସ୍ଥାନ)ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଖବର ପାଇ ଓୟୁଡବ୍ଲ୍ୟୁଜେର କର୍ମକର୍ତ୍ତା-ସଦସ୍ୟମାନେ ଦିବଂଗତ ସୋଲୋମାନ ସାହୁଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସଂଘ ପକ୍ଷରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସହାୟତା ପ୍ରଦାନ ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସମେତ ଓୟୁଡବ୍ଲ୍ୟୁଜେର ସାଧାରଣ ସମ୍ପାଦକ ରବିରଂଜନ ଦାସ, ଉପ-ସଭାପତି ଦେବବ୍ରତ ପାଣିଗ୍ରାହୀ ଓ ବାସୁଦେବ ରାଉଳ, ସରୋଜ ପଣ୍ଡା, ସନ୍ଦୀପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁସାରେ କରୋନା ଯୋଦ୍ଧା ଭାବେ ମୃତ ସୋଲୋମାନ ସାହୁଙ୍କ ପରିବାରକୁ ଯଥାଶୀଘ୍ର ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଦିଗରେ ଉଚତ ପଦକ୍ଷେପ ନେବାକୁ ବାଲେଶ୍ୱର ସାମ୍ବାଦିକ ମହଲରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.