Home ଓଡ଼ିଶା ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି

ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି

212

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଚଳିତ ସେପ୍ଟେମ୍ବରରେ ସମଗ୍ର ଦେଶରେ ତୃତୀୟ ପୋଷଣ ମାସ ପାଳିତ ହେଉଛି। ପ୍ରତିବର୍ଷ ପୋଷଣ ଅଭିଯାନ ପ୍ରଧାନମନ୍ତ୍ରୀଙ୍କ ସାମଗ୍ରିକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଥାଏ। ଏହା ୨୦୧୮ରେ ଆରମ୍ଭ ହୋଇଥିଲା। ପୋଷଣ ଅଭିଯାନର ନୋଡାଲ ମନ୍ତ୍ରଣାଳୟଭାବେ କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କୁ ଅଂଶୀଦାରଭାବେ ଗ୍ରହଣ କରାଯାଇ ଜାତୀୟ, ପ୍ରାଦେଶିକ, ଜିଲା ଏବଂ ସମାଜର ତଳସ୍ତରରେ ପୋଷଣ ମାସ ପାଳିତ ହେଉଛି। ପୋଷଣ ମାସ ପାଳନର ଲକ୍ଷ୍ୟ ହେଲା ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଜନଭାଗିଦାରୀ ସୃଷ୍ଟି କରି ଏହାକୁ ଏକ ଗଣଆନ୍ଦୋଳନର ରୂପ ଦେବା ଏବଂ ଛୋଟ ଛୋଟ ପିଲା ଓ ମହିଳାମାନଙ୍କୁ କୁପୋଷଣରୁ ରକ୍ଷା କରିବା ସହ ସେମାନଙ୍କୁ ସୁସ୍ଥସବଳଭାବେ ଗଢି ତୋଳିବା।

ଆମ ଜୀବନରେ ପୁଷ୍ଟିସାଧନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଅଗଷ୍ଟ ୩୦ ତାରିଖରେ କହିଥିଲେ। ପୁଷ୍ଟିସାଧନ ଦ୍ୱାରା ପିଲା ଏବଂ ଛାତ୍ରଛାତ୍ରୀମାନେ କିପରି ସେମାନଙ୍କର ଦକ୍ଷତାର ସର୍ବାଧିକ ଉପଯୋଗ କରିପାରିବେ ସେ ବିଷୟରେ ସେ ଉଲ୍ଲେଖ କରିଥିଲେ। ଏହାଛଡା ବିଗତ ଦିନରେ ଗ୍ରାମାଞ୍ଚଳରେ ପୋଷଣ ମାସ ଓ ପୋଷଣ ଅଭିଯାନ ପାଳନ ଦ୍ୱାରା ଲୋକେ କିପରି ଅଧିକରୁ ଅଧିକ ସଚେତନ ହେଉଛନ୍ତି ଏବଂ ଏଥିରେ ଅଂଶଗ୍ରହଣ କରୁଛନ୍ତି ସେ ସଂପର୍କରେ ସେ ଉଲ୍ଲେଖ କରିଥିଲେ। କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ଏକ ଆନ୍ତଃମନ୍ତ୍ରଣାଳୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମନ୍ତ୍ରଣାଳୟର ସଚିବ ଶ୍ରୀ ରାମମୋହନ ମିଶ୍ର, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହ ପୋଷଣ ମାସ ପାଳନ ଓ ପ୍ରସ୍ତୁତି ସଂପର୍କରେ ମତବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁସଂହତଭାବେ ପାଳନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମାତ୍ରାଧିକ କୁପୋଷଣ ଦ୍ୱାରା ପ୍ରଭାବିତ ମହିଳା ଏବଂ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ପୁଷ୍ଟିସାଧନ ବ୍ୟବସ୍ଥା କରିବା, ପୋଷଣ ବାଟିକା ପାଇଁ ବୃକ୍ଷରୋପଣ କରିବା ଆଦି କାର୍ଯ୍ୟକ୍ରମ ପୋଷଣ ମାସରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତଦନୁସାରେ ଏବେ ଏସବୁକାର୍ଯ୍ୟ ଚାଲିଛି। ଏହାଛଡା ପିଲାଙ୍କୁ ମା’ କ୍ଷୀର ଖୁଆଇବା, ଜୀବନର ପ୍ରଥମ ହଜାରେ ଦିନ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ଦୂର କରିବା ପାଇଁ ଏହି ପୋଷଣ ମାସରେ ଉଦ୍ୟମ ଚାଲିଛି।

ଏହି କାର୍ଯ୍ୟକ୍ରମରେ ସବୁ ସଂପୃକ୍ତ ମନ୍ତ୍ରଣାଳୟ ମଧ୍ୟ ସାମିଲ ହୋଇ ପୋଷଣ ମାସକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି। ନିଜସ୍ୱ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ପୁଷ୍ଟିସାଧନ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ସ୍କୁଲ ଶିକ୍ଷା ବିଭାଗ ଏବଂ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଏହି ମାସରେ ସ୍କୁଲ ପିଲାଙ୍କ ମଧ୍ୟରେ ପୁଷ୍ଟିସାଧନ ସଂକ୍ରାନ୍ତ ଇ-କୁଇଜ ଏବଂ ମେମେ ମେକିଂ ପ୍ରତିଯୋଗିତା ଆଦି ଆୟୋଜିତ କରିବାକୁ ସବୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ସ୍କୁଲ ସ୍ତରରେ ଏହି କାମ ଚାଲିଛି। ସେହିଭଳି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଚଳିତ ପୋଷଣ ମାସରେ ସ୍ୱତନ୍ତ୍ର କମିଟି ବୈଠକମାନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ସହାୟତାରେ ପୋଷଣ ବାଟିକାମାନ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି। ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ସୁସ୍ଥ ଜୀବନ ଶୈଳୀ ତିଆରି କରିବା ପାଇଁ ଯୋଗ ଓ ପୁଷ୍ଟିସାଧନ ସଂକ୍ରାନ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୋଷଣ ମାସକୁ ସଫଳ କରିବା ନିମନ୍ତେ ସବୁ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

ଏବେ ସମଗ୍ର ଦେଶରେ କରୋନ ମହାମାରୀ ସଂକ୍ରମଣ ଚାଲିଥିବାରୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପୋଷଣ ମାସ ପାଳନ ପାଇଁ ସବୁ ସଂପୃକ୍ତ ପକ୍ଷଙ୍କୁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛି। ସୋସିଆଲ ମିଡିଆ, ଅନ୍‌ଲାଇନ କାର୍ଯ୍ୟକ୍ରମ, ପଡକ୍ୟାଷ୍ଟ ଏବଂ ଇ-ସମ୍ବାଦ ଆଦି ଜରିଆରେ ଆମ ଜୀବନରେ ପୁଷ୍ଟିସାଧନର ଗୁରୁତ୍ୱ ସଂପର୍କରେ ଲୋକଙ୍କୁ ସୂଚନା ଯୋଗାଇ ଦିଆଯିବ। ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏକ ୱେବିନାରର ଆୟୋଜନ କରାଯାଇଛି। ଏଥିରେ ବିଷୟ ବିଷାରଦମାନେ ମହିଳା ଓ ଶିଶୁମାନଙ୍କ ନିମନ୍ତେ ପୋଷଣର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିବେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.