Home ଓଡ଼ିଶା କଙ୍କଡାଝର କାଠ ପୋଲ ହଟିଲା ହେଲେ କୃଷକଙ୍କ ଦୁଃଖ ହଟିଲାନି

କଙ୍କଡାଝର କାଠ ପୋଲ ହଟିଲା ହେଲେ କୃଷକଙ୍କ ଦୁଃଖ ହଟିଲାନି

41

ନୟାଗଡ (ଓଡିଆ ପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- -ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନାମାନ ପସ୍ତୁତ କରୁଛନ୍ତି। କିନ୍ତୁ ବେଳେବେଲେ ଦେଖିବାକୁ ମିଳୁଛି କାର୍ଯ୍ୟନିର୍ବାହୀ ସଂସ୍ଥା କାର୍ଯ୍ୟନିର୍ବାହରେ ବିଳମ୍ବ କରିବା ଯୋଗୁଁ କୃଷକମାନେ ତାର ସୁବିଧା ପାଇପାରୁନାହାନ୍ତି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ କାଣ୍ଡପଡା ଗ୍ରାମ ପଂଚାୟତ ରାଜବଲ୍ଲଭପୁର ଗ୍ରାମରେ। ରାଜବଲ୍ଲଭପୁର ଗ୍ରାମର କୃଷକମାନେ କଙ୍କଡାଝର ନଦୀ ପାର ହୋଇ ନିଜ ଜମି ଚାଷ କରିବାକୁ ଯାଇଥାନ୍ତି। ନଦୀରେ ବଢି ହେଲେ କୃଷକମାନେ ନାହିଁ ନଥିଲା ଅସୁବିଧା ଭୋଗ କରିଥାନ୍ତି। ତେଣୁ ପ୍ରତିବର୍ଷ ଜଙ୍ଗଲରୁ କାଠ ସଂଗ୍ରହ କରି ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥାନ୍ତି। ସେହି କାଠ ପୋଲ ନଷ୍ଟ ହେବା ପରେ ପର ବର୍ଷ ପୁଣି ଜଙ୍ଗଲରୁ କାଠ ସଂଗ୍ରହ କରି ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥାନ୍ତି। ଏଥିପାଇଁ ବନବିଭାଗରୁ ଅନୁମତି ପତ୍ର ଆଣିଥାନ୍ତି। ଏହିଭଳି ଘଟଣା ଦେଖିଲା ପରେ ୩ ବର୍ଷ ତଳେ ରଣପୁରରେ କାର୍ଯ୍ୟରତ ଥିବା ରେଂଜର ପ୍ରଶନ୍ନ କୁମାର ବିଶ୍ୱାଳ କୃଷକମାନଙ୍କର ସମସ୍ୟାର ସମାଧାନ ଓ ଜଙ୍ଗଲରୁ ହେଉଥିବା କାଠ କ୍ଷୟକୁ ରୋକିବା ପାଇଁ ଅଂଟା ଭିଡିଲେ।

ଖୋର୍ଦ୍ଧା ବନାଂଚଳ ଅଧିକାରୀଙ୍କ ସହଯୋଗ ରେ କୃଷକମାନଙ୍କ ଉନ୍ନତି ପାଇଁ ଜଣସେଚନ ବିଭାଗକୁ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଚିଠି ଲେଖିଲେ। ଜଳସେଚନ ବିଭାଗ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଆରମ୍ଭ କଲେ ଏକ ପୋଲ। ଯେଉଁ ପୋଲ ନିର୍ମାଣ ପାଇଁ ୨ ବର୍ଷ ଲାଗିଲା। ତାହା ଏବେ ନିର୍ମାଣ ସରିଥିଲେ ମଧ୍ୟ ପୋଲରେ ଯାତାୟତ ପାଇଁ ସଂଯୋଗୀକରଣ ରାସ୍ତା ଏଯାଏଁ ହୋଇନାହିଁ। ଯାହାକୁ ନେଇ କାଣ୍ଡପଡା ର କୃଷକ ନେତା ସୁରେନ୍ଦ୍ର ଦଳବେହେରା କ୍ଷୋଭ ପ୍ରକାଶ କରିଛନ୍ତି। କାରଣ ପୋଲ ନିର୍ମାଣର ସ୍ୱଚ୍ଛତା ନେଇ ଏ ଯାଏଁ ସୂଚନା ଫଳକ ଲାଗିନାହିଁ କି ସଂଯୁକ୍ତ ରାସ୍ତା ହୋଇନାହିଁ। ଜଳସେଚନ ବିଭାଗ ଖୋର୍ଦ୍ଧା ଅଧିକାରୀଙ୍କୁ ଯେତେ ଫୋନ କଲେ ସୁଧା ସେ ଫୋନ ଉଠାନ୍ତି ନାହିଁ। ଆଗକୁ ବର୍ଷା ଦିନ ଆସୁଛି। ତେଣୁ କୃଷକମାନେ କୁହନ୍ତି କାଠ ପୋଲ ହଟିଲା ସତ କିନ୍ତୁ ଦୁଃଖ ହଟୁନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବର୍ଷା ଆରମ୍ଭ ପୂର୍ବରୁ ପୋଲ ଦେଇ ସଂଯୁକ୍ତ ରାସ୍ତା କରିବା ପାଇଁ କୃଷକମାନେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.