Home ଓଡ଼ିଶା ଓ.ଏମ୍.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ କଣ୍ଠ...

ଓ.ଏମ୍.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ କଣ୍ଠ ସଙ୍ଗୀତ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ସଙ୍ଗୀତ

252

ଭୁବନେଶ୍ୱର ୧୦.୯ (ଓଡ଼ିଆ ପୁଅ) : ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସଂଧ୍ୟା ଥିଲା ଓଡ଼ିଶୀର ସଂଧ୍ୟା। ଓଡ଼ିଶୀ କଣ୍ଠ ସଙ୍ଗୀତରେ ଚମ୍ପୁ, ଜଣାଣ, ପ୍ରବନ୍ଧ ସହିତ ଓଡ଼ିଶୀ ଦଳଗତ ନୃତ୍ୟାଭିନୟ।

ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ବିଜୟ କୁମାର ଜେନାଙ୍କ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣରୁ। ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ବିହାଗ ଓ ତାଳ ଯତିରେ ନିବଦ୍ଧ ବନମାଳୀଙ୍କ ରଚନାରୁ ପ୍ରବନ୍ଧ ପ୍ରାଣଧନ ପ୍ରାଣ ରଖ ଧରୁଛି ତୋ ପାଣିକି ପରେ ପରେ ବେଣୁଧରଙ୍କ ରଚନାରୁ ଉଦ୍ଧୃତ ରାଗ ମାରୱା ଓ ତାଳ ଏକତାଳିରେ ପ୍ରବନ୍ଧ ବରଜ ବିଧୂରେ ଅନା ଫେରି ସହିରେ। ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିରାମ ପରମହଂସଙ୍କ ଜଣାଣ ହେ ନାରାୟଣ ଯାହା ରାଗ ବଜ୍ରକାନ୍ତି ଓ ତାଳ ରୂପକ ଉପରେ ଆଧାରିତ ଥିଲା। ତାଙ୍କର ଶେଷ କଣ୍ଠ ସଙ୍ଗୀତଟି ଥିଲା ଉପେନ୍ଦ୍ର ଭଞ୍ଜଙ୍କ ରଚିତ ନକରରେ ମାନ ଯାହା ରାଗ ଭୈରବୀ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା। ତାଙ୍କୁ ମର୍ଦ୍ଦଳରେ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଶ୍ରୀନୀବାସ ଶତପଥୀ, ହାରମୋନିୟମରେ ବାଳକୃଷ୍ଣ ଜେନା, ମଞ୍ଜିରାରେ ସୀତାକାନ୍ତ ଜେନା ଓ ତାନପୁରାରେ ସନ୍ଧ୍ୟାରାଣୀ ରାଉତ ସହଯୋଗ କରିଥିଲେ। ଓଡ଼ିଶୀ ସଙ୍ଗୀତର ସବୁ ପର୍ଯ୍ୟାୟକୁ ଗୁରୁ ଶ୍ରୀ ଜେନା ଅତି ଚମକ୍ରାର ଭାବରେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ। ତାଙ୍କର ବିଭିନ୍ନ ରାଗର ବିସ୍ତାର, ଅପୁର୍ବ ଲୟକାରୀ ଓ ଛନ୍ଦ ପ୍ରକରଣ ସହିତ ଭାବପୂର୍ଣ୍ଣ ଓ ରସସିକ୍ତ ସଙ୍ଗୀତ ପରିବେଷଣ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା।

ପରବର୍ତ୍ତୀ ପରିବେଷଣଟି ଥିଲା ଗୁରୁ ଅଶୋକ କୁମାର ଘୋଷାଲଙ୍କ ନୃତ୍ୟଶାଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ ନୃତ୍ୟ। ସେମାନଙ୍କର ପ୍ରସ୍ତୁତିରେ ଥିଲା ନୃତ୍ୟନାଟିକା ମୁଁ। ସମସ୍ତଙ୍କ ହୃଦୟରେ ବିରାଜିତ ଦେବ ଓ ଦାନବ। ସୁ-ଗୁଣ ଦେବତ୍ତ୍ୱ ପ୍ରଦାନ କରେ ତ କୁ-ଗୁଣ କରେ ରାକ୍ଷାସ। କୁ-ଗୁଣ ମଧ୍ୟରେ ଅହଂକାର କୁଖ୍ୟାତ। ଅହଂକାରୀକୁ ସ୍ୱୟଂ ଭଗବାନ ମଧ୍ୟ କ୍ଷମା ଦିଅନ୍ତି ନାହିଁ। ଏହିପରି ଅହଂକାରୀ ଥିଲା ସତ୍ୟ ଯୁଗରେ ହୀରନାକ୍ଷ୍ୟ, ତ୍ରେତୟା ଯୁଗରେ ରାବଣ, ଦ୍ୱାପର ଯୁଗରେ କଂସ ଏବଂ କଳି ଯୁଗରେ ମୁଁ। ମୁଁ ନୃତ୍ୟନାଟିକାଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତି ଚମକ୍ରାର ଭାବରେ ପରିବେଷଣ କରିଥିଲେ ନୃତ୍ୟଶାଳାର ଶିଳ୍ପୀମାନେ। ମୁଁ ନୃତ୍ୟନାଟିକାଟିକୁ ରଚନା କରିଥିଲେ ଗୁରୁ ନବମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ହିମାଂସୁ ଶେଖର ସ୍ୱାଇଁ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଅଜୟ ଚୌଧୁରୀ।

ଷଷ୍ଠ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଜଗନ୍ନାଥ ଗୋପୀନାଥ। ବୈଷ୍ଣବଙ୍କ ଅନୁସାରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସମସ୍ତ ଚିତିନିତିକୁ କଳିଯୁଗର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରିତିନିତି ସହିତ ତୁଳନାତ୍ମକ ପରିବେଷଣକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟାୟନ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସଂଳାପ ଲେଖିଥିଲେ ଶ୍ରୀ କେଦାର ମିଶ୍ର।

ଉତ୍ସବର ଅତିଥି ଥିଲେ ବିଖ୍ୟାତ ଲେଖିକା ଶ୍ରୀମତୀ ପ୍ରତିଭା ରାଏ; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଡ଼ଃ ଶ୍ରୀନୀବାସ ଘଟୁଆରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.