Home ଜିଲ୍ଲା ପରିକ୍ରମା ଉପ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତିର ସମୀକ୍ଷା ବୈଠକ, ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

ଉପ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତିର ସମୀକ୍ଷା ବୈଠକ, ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

4

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ବର୍ତମାନ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସୀତଂଶୁ ଶେଖର ମହାପାତ୍ର ,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ପରିଡା ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବନ୍ୟା ମୁକାବିଲା, ପ୍ରଭାବିତ ଅଂଚଳର ତୁରନ୍ତ ସମାଧାନ ଏବଂ କ୍ଷୟକ୍ଷତିର ଆକଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈତରଣୀ, ସାଳନ୍ଦୀ ଓ ଆଖୁଆପଦା ନଦୀର ଜଳସ୍ତର ସ୍ଥିତି,ପ୍ରଭାବିତ ଗ୍ରାମ, ବନ୍ଧ ଭଙ୍ଗା ସ୍ଥାନ, କଲଭର୍ଟ ଓ ବ୍ରିଜର ସ୍ଥିତି,ଆଶ୍ରୟ ସ୍ଥଳୀ, ମାଗଣା ରୋଷେଇ, ଶୁଷ୍କ ଖାଦ୍ୟ ଓ ପାନୀୟ ଜଳ ବିତରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପଶୁ ଚିକିତ୍ସା, ମାଛ ଜାଆଁଳା ଓ ଗୋଖାଦ୍ୟ ଯୋଗାଣ,ଚାଷ ଜମିର କ୍ଷୟକ୍ଷତି, ରାସ୍ତା, ବିଦ୍ୟୁତ୍ ଯୋଗାଯୋଗ ପୁନଃସ୍ଥାପନ ଆଦି ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାରେ ତୁରନ୍ତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା, ଗାଈଗୋରୁଙ୍କ ପାଇଁ ଗୋଖାଦ୍ୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା, ବିଚ୍ଛିନ୍ନ ଅଂଚଳରେ ଶୁଷ୍କ ଖାଦ୍ୟ ଓ ପାନୀୟ ଜଳର ଶତପ୍ରତିଶତ ବିତରଣ କରିବା ,ଅତିରିକ୍ତ ଡାକ୍ତରୀ ଟିମ୍ ମୁତୟନ କରି ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଜଳବାହିତ ରୋଗର ପ୍ରାଦୁର୍ଭାବକୁ ରୋକିବା, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ବଳ ସ୍ଥାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ତୁରନ୍ତ ମରାମତି କରିବ। ସମସ୍ତ ବିଭାଗ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ପରିଡା ତିହିଡି ବ୍ଲକର ବାର୍ସର ଓ ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.