Home ଓଡ଼ିଶା ଉନ୍ନାଓର ଧର୍ଷିତା ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ, ସୂଚନା ଅଧିକାର ଆଇନ୍ କୁ ହତ୍ୟା ଓ ଭିନ୍ନ...

ଉନ୍ନାଓର ଧର୍ଷିତା ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ, ସୂଚନା ଅଧିକାର ଆଇନ୍ କୁ ହତ୍ୟା ଓ ଭିନ୍ନ ମତପୋଷଣକାରୀ ମାନଙ୍କୁ ଆତଙ୍କବାଦୀ ସଜାଇବାକୁ ସରକାରୀ ଚକ୍ରାନ୍ତ ବିରୋଧରେ ଗଣ ପ୍ରତିବାଦ

173

ଭୁବନେଶ୍ୱର, ୬.୮ (ଓଡ଼ିଆ ପୁଅ) : ଦେଶବ୍ୟାପୀ ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ମହିଳାମାନଙ୍କ ବିରୋଧରେ ଦିନକୁ ଦିନ ବଢି ଚାଲିଥିବା ଘୃଣା, ହିଂସା ଓ ଅତ୍ୟାଚାର ତଥା ଗଣତାନ୍ତ୍ରିକ ବିଧିବିଧାନକୁ ହତ୍ୟା ବିରୋଧରେ ଆଜି ବିଭିନ୍ନ ମାନବିକ ଅଧିକାର ଓ ରାଜନୈତିକ ଗଣ ସଂଗଠନ ପକ୍ଷରୁ ଏକ ଗଣ ପ୍ରତିବାଦ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜିତ ହୋଇଯାଇଛି। ଉତ୍ତର ପ୍ରଦେଶର ବିଜେପି ବିଧାୟକଙ୍କ ଦ୍ୱାରା ଧର୍ଷିତା ଦଳିତ ନାବାଳିକା ଉପରେ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମକୁ ଧିକ୍କାର କରାଯିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିବାଦକାରୀମାନେ ଦାବି କରିଛନ୍ତି। ଏପରି ଘଟଣା ବିଜେପି ସରକାରଙ୍କ ‘ବେଟୀ ବଚାଓ-ବେଟୀ ପଢାଓ’ ସ୍ଲୋଗାନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ଅଧିକାର ଆଇନ୍ (ଆର.ଟି.ଆଇ) ଦ୍ୱାରା ସରକାରଙ୍କ ଦୁର୍ନୀତି ଓ ବହୁବିଧି କଳା କାରନାମା ପଦାରେ ପଡ଼ିଯାଉଥିବାରୁ ନିଜକୁ ସ୍ୱଚ୍ଛ ବୋଲି ଡ଼ିଣ୍ଡିମ ପିଟୁଥିବା କେନ୍ଦ୍ର ବିଜେପି ସରକାର କୌଣସି ପ୍ରତିବାଦକୁ ଭ୍ରୁକ୍ଷେପ ନକରି ବହୁ ଦୁର୍ନୀତିରେ ସମ୍ପୃକ୍ତ ବିଜେଡ଼ି ସହାୟତାରେ ମୂଳ ଆଇନ୍ ର ଉଦ୍ଦେଶ୍ୟକୁ ଖର୍ବ କରି ତାହାକୁ ସଂଶୋଧନ କରିଛି ବୋଲି ସଂଗଠନମାନେ ଅଭିଯୋଗ କରିଛନ୍ତି। ସେହିପରି କର୍ପୋରେଟ ଓ ପୁଞ୍ଜିପତିମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗୋଟିଏ ପଟରେ ଜଙ୍ଗଲ ଅଧିକାର ଆଇନ୍ -୨୦୦୬କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଲଂଘନ କରିଚାଲିଥିବା ବେଳେ ଜମି ଅଧିକାର ପାଇଁ ଲଢୁଥିବା ସୋନଭଦ୍ରାର ଆଦିବାସୀମାନଙ୍କୁ ରାଜନୈତିକ ପୃଷ୍ଠପୋଷକତାରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଅନ୍ୟ ପକ୍ଷରେ ସରକାରଙ୍କ ତଥାକଥିତ ବିକାଶ ନୀତିକୁ ପ୍ରଶ୍ନ କରୁଥିବା ଓ ଭିନ୍ନ ମତ ପୋଷଣ କରୁଥିବା ମାନବାଧିକାର ଓ ରାଜନୈତିକ କର୍ମୀମାନଙ୍କୁ ଆତଙ୍କବାଦୀ ସଜାଇବା ପାଇଁ କେନ୍ଦ୍ର ସରକାର ନକ୍ସା ପ୍ରସ୍ତୁତ ଜରିଆରେ ଏକ ଜନବିରୋଧୀ ଆଇନ୍ “ବେଆଇନ୍ କାର୍ଯ୍ୟକଳାପ ନିରୋଧ ଆଇନ୍ (ୟୁଏପିଏ)’କୁ ସଂଶୋଧନ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଜାତୀୟ ଓ ରାଜ୍ୟସ୍ତରରେ ମାନବିକ ଅଧିକାର ପ୍ରତିଷ୍ଠାନମାନଙ୍କୁ ଯାହାବି କିଛି ସୀମିତ ସ୍ୱାୟତ୍ତତା ପ୍ରଦାନ କରାଯାଇଥିଲା, ତାହାକୁ ଖର୍ବ କରିବା ପାଇଁ ଓ ନିଜ ସଖି କଣ୍ଢେଇରେ ପରିଣତ କରିବା ପାଇଁ ସରକାର ବିଲ୍ ପାସ୍ କରି ସାରିଛନ୍ତି। ଏହି ସମସ୍ତ କ୍ଷେତ୍ରରେ ସମଦୂରତ୍ୱର ଡ଼ିଣ୍ଡିମ ପିଟୁଥିବା ରାଜ୍ୟ ବିଜେଡ଼ି ସରକାର ଅତ୍ୟନ୍ତ ନିର୍ଲଜ ଭାବରେ କେନ୍ଦ୍ର ବିଜେପି ସରକାରଙ୍କ ସହ ହାତ ମିଳାଇ ସମସ୍ତ ଜନବିରୋଧୀ ପଦକ୍ଷେପକୁ ଅକୁଣ୍ଠ ସମର୍ଥନ ପ୍ରଦାନ କରିଛି ବୋଲି ପ୍ରତିବାଦକାରୀ ସଂଗଠନମାନେ ଅଭିଯୋଗ କରିଛନ୍ତି। ଏହି ଗଣ ପ୍ରତିବାଦରେ ଲୋକଶକ୍ତି ଅଭିଯାନ, (ଇନ୍ ସାଫ୍ ), ସିଏସ୍ ଡ଼ି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ବସ୍ତି ସୁରକ୍ଷା ମଞ୍ଚ, ଅଖିଳ ଭାରତ ଜନମଞ୍ଚ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ବସ୍ତି ସଂଘର୍ଷ ସମିତି, ଲୋହିଆ ଏକାଡ଼େମୀ, ସମାଜବାଦୀ ପାର୍ଟି, ଫରୱାର୍ଡ଼ ବ୍ଲକ, ଅଖିଳ ଭାରତ ବିପ୍ଲବୀ ମହିଳା ସଂଗଠନ, ମାନବବାଦୀ ହେତୁବାଦୀ ସଂଗଠନ, ହ୍ୟୁମାନ ରାଇଟ୍ ଫ୍ରଣ୍ଟ, ଓଡ଼ିଶା ହେତୁବାଦୀ ସମାଜ, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ସମେତ ବହୁ ଶିକ୍ଷାବିତ୍, ସାମ୍ବାଦିକ, ଲେଖକ, ମାନବିକ ଅଧିକାର କର୍ମୀ, ସାମାଜି କର୍ମୀମାନେ ଅଂଶଗ୍ରହଣ କରିଥିଲେ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନବିରୋଧୀ ପଦକ୍ଷେପ ବିରୋଧରେ ଦୀର୍ଘସ୍ଥାୟୀ ପ୍ରତିବାଦ ଓ ଗଣ ଆନ୍ଦୋଳନକୁ ବ୍ୟାପକ କରିବାକୁ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.