Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ଉଦ୍‌ଘାଟିତ, ମହୋତ୍ସବ ସାମୂହିକ ମିଳନର ମାଧ୍ୟମ- ବନ୍ଦନା ହରିଚନ୍ଦନ

ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ଉଦ୍‌ଘାଟିତ, ମହୋତ୍ସବ ସାମୂହିକ ମିଳନର ମାଧ୍ୟମ- ବନ୍ଦନା ହରିଚନ୍ଦନ

11

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହୋତ୍ସବ ସାମୂହିକ ମିଳନର ମାଧ୍ୟମ ଅଟେ, ଏହା ମାଧ୍ୟମରେ ଅଞ୍ଚଳରେ ଥିବା ପୂର୍ବ ଐତିହ୍ୟ ଓ ଗାରିମା କୁ ଆଲୋଚନା ଓ ପର୍ଯ୍ୟାଲୋଚନା ଦ୍ୱାରା ଆଗାମି ପିଢ଼ୀ ଅନେକ କିଛି ଶିକ୍ଷା ଲାଭ କରିବା ସହ ବିଶିଷ୍ଠ ବ୍ୟକ୍ତିଙ୍କ ଗୁଣଗାନ କରିବାର ଅବକାଶ ମିଳିଥାଏ ବୋଲି ରବିବାର ସଂଧ୍ୟାରେ ଦଶମ ବାର୍ଷିକ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ଉଦ୍‌ଘାଟନି ସଭାରେ ବରେର୍ଣ୍ୟ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ହେମ ପଦ୍ମ ଗାଲାକ୍ସି ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବିଶିଷ୍ଠ ସମାଜ ସେବିକା ତଥା ଭୁବନେଶ୍ୱର ଡୁଡୁନ୍ ଫାଉଣ୍ଡେସନର ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନ କହିଲେ, ସାଂସ୍କୃତିକ ମଞ୍ଚ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ବେଳେ ଜଞ୍ଜାଳ ମୟ ସମୟକୁ ଦୂର କରିବାରେ ସହାୟକ ହୋଇଥାଏ । ମହୋତ୍ସବ କମିଟିର ସଭାପତି ବରିଷ୍ଠ ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ପୁରୁଷଣ୍ଢ ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ କୁମାର ଦାଶ ତାଙ୍କ ବକ୍ତବ୍ୟରେ ମହତାବଙ୍କ ଜନ୍ମ ମାଟିରେ ଦୀର୍ଘ ଦଶ ବର୍ଷ ଧରି ମହୋତ୍ସବ ପାଳନ ଅଞ୍ଚଳ ବାସୀଙ୍କୁ ଏହା ଖୁସି ବାଣ୍ଟୁଥିବା ବେଳେ ସମସ୍ତେ ଜଣେ ଜଣେ ମହତାବଙ୍କ ପରି ବିଭିନ୍ନ ପ୍ରତିଭାର ଅଧିକାରୀ ହୋଇପାରିଲେ ଅଞ୍ଚଳର ଗାରିମା ବୃଦ୍ଧି ପାଇବ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଟିପୁର ସରପଞ୍ଚ ସୁଭଦ୍ରା ସିଂହ, କମିଟି ଉପ-ସଭା ନେତ୍ରୀ ମମତା ମହାନ୍ତି, ଉପଦେଷ୍ଟା ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ଧଳ, ହରମୋହନ ପଣ୍ଡା, ସୁବୋଧ କୁମାର ସାହୁ, ଗୋଲକ ପୃଷ୍ଟି ବରପୁତ୍ରଙ୍କ ଜନ୍ମ ମାଟିରେ ମହୋତ୍ସବ ପାଳନର ନିଆରା ମଜା ଥାଏ ବୋଲି କହିଥିଲେ । ଏହି ଅବସରରେ ନୃତ୍ୟ ଗୁରୁ କୈଳାଶ ବେହେରାଙ୍କୁ ସମ୍ବର୍ଦ୍ଦନା ଦିଆଯାଇଥିଲା । ପ୍ରାରମ୍ଭରେ ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ କୁମାର ସିଂହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖି ଦଶ ଦିନ ବ୍ୟାପି ପାଳିତ ହେବାକୁ ଥିବା ମହୋତ୍ସବକୁ ସରସ ସୁନ୍ଦର କରିବା ନେଇ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଥିଲେ । ସାମ୍ବାଦିକ ଜିତେନ୍ଦ୍ର ଶତପଥିଙ୍କ ମଞ୍ଚ ପରିଚାଳନାରେ କୋଷାଧକ୍ଷ୍ୟ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଯାଜପୁରରୁ ଆସିଥିବା କଳିଙ୍ଗ ଭାରତୀ ନୃତ୍ୟ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହୋତ୍ସବ କମିଟିର ହିମାଶୁଂ ଶେଖର ସାହୁ, ସପନ ସିଂହ, ଦୀପକ ପୁରୀ, ଚିତ୍ତରଞ୍ଜନ ଦାଶ, ସନ୍ତୋଷ ପୁହାଣ, ପ୍ରଜ୍ଞା ପ୍ରିୟଦର୍ଶନୀ କଟୁଆଳ, ଆକାଂକ୍ଷା ସିଂହ ପ୍ରମୁଖ ସହଯୋଗ କରିଥିଲେ । ମହୋତ୍ସବ ପାଇଁ ପଡିଆରେ ବିଭିନ୍ନ ପ୍ରକାର ଦୋଳି, ମିନା ବଜାର ସାଙ୍ଗକୁ ଖାଦ୍ୟ ସାମଗ୍ରୀର ଷ୍ଟଲ ମାନ ଖୋଲିଛି । ଏହି ମହୋତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.