Home ଜିଲ୍ଲା ପରିକ୍ରମା ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଓଡିଶା ବନ୍ଦ ହରତାଳରେ ପରିଣତ, ଭଦ୍ରକରେ ଆଂଶିକ ପ୍ରଭାବ

ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଓଡିଶା ବନ୍ଦ ହରତାଳରେ ପରିଣତ, ଭଦ୍ରକରେ ଆଂଶିକ ପ୍ରଭାବ

25

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଥିବା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବନ୍ଦକୁ ବିରୋଧ କରି ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ପରେ ଏହି ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା । ତେବେ ଭଦ୍ରକ ସଦର ମହକୁମାରେ ଜାତୀୟ କଂଗ୍ରେସ ପକ୍ଷରୁ ଆହୂତ ହରତାଳର ଆଂଶିକ ପ୍ରଭାବ ଅନୁଭୂତ ହୋଇଥିଲା । ସହର ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ୍ ଥିବାବେଳେ, ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖୋଲାଥିଲା ଓ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱତଃପ୍ରବୃତ୍ତ ଭାବେ ନିଜର ଦୋକାନ ବଜାର ବନ୍ଦ ରଖିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସମ୍ମାନ ଜଣାଇ ଜିଲ୍ଲା କଂଗ୍ରେସର ନେତୃମଣ୍ଡଳୀ ବନ୍ଦ ପାଳନରୁ ନିବୃତ୍ତ ରହିବା ସହ ଏହାକୁ ହରତାଳରେ ସିମୀତ ରଖିଥିଲେ । ତେବେ କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ, ଭଦ୍ରକ ନିର୍ବାଚନମଣ୍ଡଳୀସ୍ତରୀୟ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ବହୁ କଂଗ୍ରେସର ଯୁବକର୍ମୀ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ସେମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ବୈଠକର ଆୟୋଜନ କରିଥିଲେ ।

ଉକ୍ତ ବୈଠକରେ ଶ୍ରୀ ଦାସ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଉପସ୍ଥିତ ନେତୃମଣ୍ଡଳୀ ଓ କର୍ମୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବିଶେଷକରି ଯେପର୍ଯ୍ୟନ୍ତ ମମିତାଙ୍କ ପରିବାରକୁ ନ୍ୟାୟ ନମିଳିଛି ଓ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ବହିଷ୍କାର କରା ନ ଯାଇଛି କଂଗ୍ରେସ ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରଖିବ ବୋଲି ଶ୍ରୀ ଦାସ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ମଧ୍ୟ ସେ ଦାବି କରିଥିଲେ । ସେହିପରି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କରେ ମଧ୍ୟ ଭଦ୍ରକ ବିଧାନସଭାସ୍ତରୀୟ ନେତା ଶ୍ରୀ ମହାନ୍ତି ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ମୁକିଦ ଖାଁ, ନିଶିକାନ୍ତ ନାୟକ, ବିଜୟ ବାରିକ, ହେମନ୍ତ ମହାପାତ୍ର, ଦଳିତ ନେତା ରଂଜନ ଯେନା, ଟନି ଅଲ୍ଲୀ, ଇଲିୟାସ ଅଲ୍ଲୀ ଖାନ, ନଫିସ ଅଲ୍ଲୀ ଖାନଙ୍କ ସମେତ ବହୁ ଦଳୀୟ ନେତା ଉକ୍ତ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କଂଗ୍ରେସର ଏହି ହରତାଳ ପରିପ୍ରେକ୍ଷୀରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.