Home ଓଡ଼ିଶା ଇଭିଏମ ମେସିନ ଧରି ପୁଲିଂ ପାର୍ଟୀ ଚାଲିଲେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଭୋଟକେନ୍ଦ୍ରକୁ

ଇଭିଏମ ମେସିନ ଧରି ପୁଲିଂ ପାର୍ଟୀ ଚାଲିଲେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଭୋଟକେନ୍ଦ୍ରକୁ

448

ମାଲକାନଗିରି, ୯ା୪(ଓଡିଆ ପୁଅ) ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ମାଲାକନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ଆସନ ପାଇଁ ମୋଟ ୫୪୦ ଟି ଭୋଟ କେନ୍ଦ୍ର କରାଯାଇଛି। ଏହି ଦୁଇଟି ବିଧାନସଭା ଆସନ ପାଇଁ ନିର୍ବାଚନ ସୁପରିଚାଳନା ନିମନ୍ତେ ୩୨୯୪ ଜଣ ପୁଲିଂ ପାର୍ଟୀ ଓ ୯୧ ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ୫୪୦ଟି ଭୋଟ କେନ୍ଦ୍ର ପାଇଁ ମୋଟ ୩୯୬୨ ଟି ଇଭିଏମ, ଭିଭିପାଟ ମେସିନ ଯୋଗାଇ ଦିଆ ଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଦୂରଦୁରାନ୍ତ ଓ ମାଓପ୍ରବଣ, ବିଛିନ୍ନାଞ୍ଚଳକୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ପୁଲିଂ ପାର୍ଟୀଙ୍କୁ ଇଭିଏମ ମେସିନ ସହ ନିର୍ବାଚନ ସଂପର୍କିୟ କାଗଜପତ୍ର ଦେଇ ସ୍ୱତନ୍ତ୍ର ବସ, ବୋଲେରୁ, କମାଣ୍ଡର ଗାଡିରେ ପଠାଯାଇଛି। ଆଜି ସକାଳେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମାଲ୍ୟବନ୍ତ, ସପ୍ତଧାରା, ଛାତ୍ରାବାସ ଓ ସରକାରୀ ହାଇସ୍କୁଲଠାରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅଲଗା ଅଲଗା ଶିବିର କରା ଯାଇ ପୁଲିଂ ପାର୍ଟୀମାନଙ୍କୁ ଇଭିଏମ, ଭିଭିପାଟ, ମେସିନ ସହ ନିବାର୍ଚନ ସଂପର୍କୀୟ କାଗଜ ପତ୍ର ପ୍ରଦାନ କରାଯାଇଥିଲା। ପୁଲିଂ ପାର୍ଟିମାନଙ୍କୁ ଶେଷଥର ପାଇଁ ପୁଣି ଥରେ ଇଭିଏମ, ଭିଭିପାଟ ମେସିନର ବ୍ୟବହାର ଓ ସୁପରିଚାଳନା ସହିତ ମକ ପୋଲ ମାଧ୍ୟମରେ ତାଲିମ ଦିଆଯାଇଥିଲା। ଚଳିତ ନିର୍ବାଚନରେ ଲଣ୍ଠନ ବଦଳରେ ଏଲଇଡି ବଲ୍ବ ପୁଲିଂ ପାର୍ଟିଙ୍କୁ ଦିଆଯାଇଛି। ବିଶେଷକରି ମାଓପ୍ରବଣ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥିବା ବୁଥଗୁଡିକ ପାଇଁ ଓ ମୋଟୁ, କାଲିମେଳା, ଖଇରପୁଟ, ମାଥିଲି, ବଣ୍ଡାଘାଟି, ପଡିଆ ଦୂରଦୂରାନ୍ତ ଅଞ୍ଚଳକୁ ଆଜି ଅପରାହ୍ନରେ ସ୍ୱତନ୍ତ୍ର ଗାଡି ଯୋଗେ ପୁଲିଂପାର୍ଟୀଙ୍କୁ ପଠାଯାଇଛି।ଏହି ନିର୍ବାଚନ କର୍ମଚାରୀମାନେ ଆଜି ରାତ୍ରରେ ନିଜ ନିଜ ବ୍ଲକ ସଦର ମହକୁମା ହବ ସେଣ୍ଟରରେ ରହି ବୁଧବାର ଦିନ ନିଜ ନିଜ ବୁଥକୁ ଯିବେ। ବିଶେଷକରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଓ ମାଥିଲି ମାଓପ୍ରବଣ ମହୁପଦର, ଟେମୁରପାଲି ଠାରେ ଥିବା ଭୋଟକେନ୍ଦ୍ରକୁ ବୁଧବାର ଦିନ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିଂ ପାର୍ଟୀଙ୍କୁ ହବ କେନ୍ଦ୍ର ଠାରୁ ନିଆ ଯିବାର ବ୍ୟବସ୍ଥା କାର ଯାଇଛି।

ମାଓପ୍ରବଣ ଓ ବିଛିନ୍ନାଞ୍ଚଳ ପାଇଁ ଦୁଇଟି ହେଲିକେପ୍ଟେର ଯୋଗାଇଦିଆ ଯାଇଛି। ପୁଲିଂ ପାର୍ଟୀ ବିତରଣ କେନ୍ଦ୍ରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୀଷ ଅଗ୍ରୱାଲ, ଏସ.ପି ଜଗମୋହନ ମୀନା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ତଥା ରିଟର୍ନି ଅଫିସର ରାମେଶ୍ୱର ପ୍ରଧାନ, ସହକାରୀ ଏସପି ଉଦ୍ଧବ ଚରଣ ନାୟକ, ମାଲକାନଗିରି ଥାନା ଅଧିକାରୀ ରଜଂନ କୁମାର ସାହୁ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ନିର୍ବାଚନ ଅଧିକାରି ରାମକୃଷ୍ଣ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ପୁଲିଂପାର୍ଟି ମାନଙ୍କୁ ସେମାନଙ୍କ ବୁଥକୁ ପଠାଇଥିଲେ। ଏହି ବିତରଣ କେନ୍ଦ୍ର ଗୁଡିକରେ କଡାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାସଦର ମହକୁମା ଡିଆରଡିଏ ଛକ ଓ ହାଇସ୍ଲୁଲ ଛକ ନିଟରେ ସୁରକ୍ଷା କର୍ମୀମାନେ ରାସ୍ତା ବନ୍ଦକରି ଯାନବାହନ ଅଟକାଇ ଦେଇଥିବାରୁ ପ୍ରବଳ ଖରାରେ ପୁଲିଂ କର୍ମଚାରୀ ମାନେ ଏକ କିମି ଦୂର ଚାଲିଚାଲି ପୁଲିଂ ସାମଗ୍ରୀ ବିତରଣ କେନ୍ଦ୍ରକୁ ଯାଇଥିଲେ। ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଗୁଡିକରେ ପୁଲିଂପାର୍ଟିଙ୍କ ସ୍ବାସ୍ଥ୍ୟ ସେବା ପାଇଁ ହସପିଟାଲ ପକ୍ଷରୁ ଫାଷ୍ଟଏଡ୍ ସହିତ ଅଗ୍ନିନିରୋଧକ ବ୍ୟବସ୍ଥା କରାାଇଥିଲା, ନିର୍ବାଚନରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଦୁଇଟିଯାକ ନିର୍ବାଚନ ମଣ୍ଡଳିରେ ଥିବା ୫୪୦ ଟି ଭୋଟକେନ୍ଦ୍ର ଗୁଡିକରେ କଡାପୁଲିସ ସୁରକ୍ଷା ସହତି ସୁପରିଚାଳନା ବ୍ୟବସ୍ଥା କରାଯାଇଥିବାରୁ ନିର୍ଭୟରେ ପୁଲିଂ ପାର୍ଟି ମାନେ ନିଜ ନିଜ ଇଭିଏମ, ଭିଭିପାଟ ମେସିନ ଧରି ହସି ହସି ଭୋଟକେନ୍ଦ୍ର ଗୁଡିକୁ ଯାଉଥିବାର ଦେଖା ଯାଇଛି। ଜିଲ୍ଲା ସଦର ମହକୁମା ବ୍ଲକ ଓ ରାସ୍ତାକଡରେ ଥିବା ଭୋଟକେନ୍ଦ୍ର ଗୁଡିକୁ ବଳକା ପୁଲିଂ ପାର୍ଟୀଙ୍କୁ ବୁଧବାର ଦିନ ପଠା ଯିବାର କାର୍ଯ୍ୟକ୍ରମ ରହିଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.