Home Coronavirus Outbreak ଆୟୁଷ ଚିକିତ୍ସକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ଆୟୁଷ ଚିକିତ୍ସକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

244

– ଦେଶକୁ ସୁସ୍ଥ ରଖିବାରେ ଆୟୁଷ ଚିକିତ୍ସକଙ୍କ ଦୀର୍ଘ ଦିନର ପରମ୍ପରା ରହିଛି ଯଦ୍ୱାରା କୋଭିଡ-୧୯କୁ ରୋକିବାରେ ସେମାନେ ବଳିଷ୍ଠ ଭୂମିକା ତୁଲାଇପାରିବେ – ପ୍ରଧାନମନ୍ତ୍ରୀ

– ରୋଗକୁ ଭଲ କରିବାରେ ଆୟୁଷ ଚିକିତ୍ସକମାନଙ୍କ ଦାବିକୁ ବିଚାରକୁ ନିଆଯାଇପାରେ

– ଟେଲିମେଡିସିନ ପ୍ରଚାର ପ୍ରସାରକୁ ଆଧାର କରି ଜନସେଚତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

– ଘରେ ଘରେ ଯୋଗକୁ ଲୋକାଭିମୂଖୀ କରିବାରେ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନପରେନ୍ସ ଜରିଆରେ ଆୟୁଷ ଚିକିତ୍ସକଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ସୁସ୍ଥ ରଖିବାରେ ଆୟୁଷର ଏକ ସୁଦୀର୍ଘ ପରମ୍ପରା ରହିଛି। କୋଭିଡ-୧୯କୁ ପ୍ରତିହତ କରିବା ଦିଗରେ ଆୟୁଷ କ୍ଷେତ୍ର ବହୁମୂଖୀ ଭୂମିକା ତୁଲାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଆୟୁଷ ଚିକିତ୍ସକମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଲୋକମାନଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିବାରେ ଆୟୁଷ ମନ୍ତ୍ରଣାଳୟ ଘରକୁ ଘର ଯୋଗର ଉପାଦେୟତା ପ୍ରସାର କରେଇବା ନେଇ ପ୍ରଧାନମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟର ଭୂମିକାକୁ ପ୍ରଶଂସା କରିଥିଲେ। ଆୟୁଷ ଚିକିତ୍ସକମାନଙ୍କ ଦ୍ୱାରା ଏହି ସଂକ୍ରମଣର ନିରାକରଣ ନେଇ ଦାବି କରାଯାଉଥିବା ବେଳେ ଆୟୁଷ ବିଜ୍ଞାନୀ, ଆଇସିଏମଆର, ସିଏସଆଇଆର ଏବଂ ଅନ୍ୟନ୍ୟ ଗବେଷଣା ସଂଗଠନଗୁଡିକ ଏ ଦିଗରେ ମିଳିତ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଆହ୍ୱାନର ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟସେବାରେ ନିଯୁକ୍ତ ସମସ୍ତ କର୍ମଚାରୀ ଏକାଠି ହେବା ଆବଶ୍ୟକ। ଆବଶ୍ୟକ ପଡିଲେ ଆୟୁଷ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ଚିକିତ୍ସକମାନେ ମଧ୍ୟ ଏ ଦିଗରେ ସହାୟତାର ହାତ ବଢ଼ାଇପାରିବେ।

ଆୟୁଷ ଔଷଧପତ୍ର ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଆଜିକାଲି ବହୁଳ ଭାବେ ଆବଶ୍ୟକ ହେଉଥିବା ସାନିଟାଇଜର ବା ବିଶୋଧକ ମଧ୍ୟ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଟେଲିମେଡିସିନ ପ୍ଲାଟଫର୍ମର ସଦୁପଯୋଗ କରି କରୋନା ମହାମାରୀ ସଂଗ୍ରାମ ଦିଗରେ ଜନସଚେତନତା ସୃଷ୍ଟି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆୟୁଷ ଚିକିତ୍ସକମାନଙ୍କୁ ଆହ୍ୱାନ ଦେଇଛନ୍ତି। ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ନିୟମାବଳୀକୁ କଡାକଡି ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

କୋଭିଡ-୧୯ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଆୟୁଷ ଚିକିତ୍ସକମାନେ ପ୍ରଶଂସା କରିଛନ୍ତି। ସେମାନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ପାରମ୍ପାରିକ ଭାବେ ନିଆଯାଉଥିବା ପଦ୍ଧତିଗୁଡିକ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେମାନେ ମଣିଷର ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା ନେଇ ଗବେଷଣା କରିବା ତଥା ଦେଶ ଗତି କରୁଥିବା ଜଟିଳ ପରିସ୍ଥିତିରେ ସେବା ପ୍ରଦାନ କରିବାକୁ ଇଚ୍ଛା ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ପାରମ୍ପାରିକ ଭେଷଜ ପଦ୍ଧତି ଓ ଏହାର ଉପଯୋଗ ସମ୍ପର୍କରେ ବିଶ୍ୱକୁ ଜଣାଇବା ସହ ଏ ଦିଗରେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେ ଲୋକମାନଙ୍କ ସେବା ପାଇଁ ଆୟୁଷ ଚିକିତ୍ସକମାନଙ୍କ ଇଚ୍ଛା ଓ ସେବା ମନୋଭାବର ପ୍ରଶଂସା କରିବା ସହ କରୋନା ବିରୁଦ୍ଧରେ ଭାରତର ସଂଗ୍ରାମରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ। ଆୟୁଷ ମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ, କ୍ୟାବିନେଟ ସଚିବ ଓ ଆୟୁଷ ମନ୍ତ୍ରଣାଳୟ ସଚିବ ପ୍ରମୁଖ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.