Home Coronavirus Outbreak ଆର୍ଦ୍ରଭୂମିର ଭୂମିକା ଓ ସୁରକ୍ଷା

ଆର୍ଦ୍ରଭୂମିର ଭୂମିକା ଓ ସୁରକ୍ଷା

163

ଆର୍ଦ୍ରଭୂମି ହେଉଛି ବର୍ଷସାରା ଜଳଥିବା ଅଗଭୀର ଅଞ୍ଚଳ, ଏହା ସନ୍ତସନ୍ତିଆ ଓ ଉପରିଭାଗ ଘାସ ଦ୍ୱାରା ଆଛାଦିତ ଯାହାକି ବିଭିନ୍ନ ପ୍ରଜାତିର ପକ୍ଷୀ, ସ୍ତନ୍ୟପାୟୀ ଜୀବ, ମାଛ ଓ ଅମେରୁଦଣ୍ଡୀ ପ୍ରାଣୀଙ୍କର ଆବାସସ୍ଥଳୀ ହୋଇଥାଏ। ଏହା ଏପରି ଏକ ସ୍ଥାନ ଯାହା ଉଭୟ ଜଳ ଓ ସ୍ଥଳ ଭାଗକୁ ନେଇ ରହିଥାଏ। ଏହା ମଧୁର, ଖାରି କିମ୍ବା ଲୁଣିଆ ଜଳ ହୋଇଥାଏ। ଭଟ୍ଟା ସମୟରେ ୬ ମିଟରରୁ କମ୍ ଗଭୀରତାର ଜଳ ଯେଉଁଠାରେ ସଞ୍ଚିତ ରହେ ତାହାକୁ ଆର୍ଦ୍ରଭୂମି କୁହାଯାଏ। ଆର୍ଦ୍ରଭୂମିର ଗୁରୁତ୍ୱ ଓ ସୁରକ୍ଷା ବିଷୟରେ ପ୍ରଥମେ ୧୯୭୧ ମସିହାରେ ଇରାନର ରାମସର୍ ଠାରେ ଏକ ସମ୍ମିଳନୀ କରାଯାଇ ବିଶ୍ୱ ସ୍ତରୀୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଯାହାକି ରାମସର୍ ସମ୍ମିଳନୀ ଭାବରେ ଜଣାଶୁଣା। ୧ ଫେବୃଆରୀ ୧୯୮୨ ମସିହାରେ ଭାରତ ଏହାର ସଦସ୍ୟ ହୋଇଥିଲା। ଆର୍ଦ୍ରଭୂମିର ଉପକାରିତା ଓ ଏହାର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ୧୯୯୭ ମସିହା ଠାରୁ ଫେବୃଆରୀ ମାସ ୨ ତାରିଖ ଦିନଟିକୁ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଉଛି।

ଜାତୀୟ ଆର୍ଦ୍ରଭୂମି ପରିସଂଖ୍ୟାନ ଅନୁସାରେ ଭାରତର ଆଭ୍ୟନ୍ତରୀଣ ଏବଂ ଉପକୂଳ ସ୍ଥାନ ମାନଙ୍କରେ ପ୍ରାକୃତିକ ଓ ମନୁଷ୍ୟକୃତ ଆର୍ଦ୍ରଭୂମି ଗୁଡିକ ରହିଛି। ଆମ ଦେଶରେ ସମୁଦାୟ ୧, ୫୨, ୬୦, ୫୭୨ ହେକ୍ଟର ପରିମିତ ୭, ୫୭, ୦୬୦ ଟି ଆର୍ଦ୍ରଭୂମି ଅଛି ଯାହାକି ଭୌଗଳିକ କ୍ଷେତ୍ରର ୪.୭ ପ୍ରତିଶତ ଅଟେ। ଆନ୍ତର୍ଜାତୀୟ ଆର୍ଦ୍ରଭୂମି ତାଲିକାରେ (ରାମସର୍ ସ୍ଥଳୀ) ଭାରତର ୧୦, ୯୦, ୨୩୦ ହେକ୍ଟର ପରିମିତ ୪୭ ଟି ଆର୍ଦ୍ରଭୂମି ସ୍ଥାନ ପାଇଛି ଯେଉଁଥିରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୫ଟି ଅଞ୍ଚଳ ଅନ୍ତର୍ଭୁକ୍ତ। ଆର୍ଦ୍ରଭୂମିର ସ୍ଥାନ ସଂଖ୍ୟା ଦୃଷ୍ଟିରୁ ଦକ୍ଷିଣ ଏସିଆରେ ଭାରତ ପ୍ରଥମ ଏବଂ ଏସିଆରେ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ଯେତେ ଆର୍ଦ୍ରଭୂମି ଅଛି ତନ୍ମଧ୍ୟରୁ ଭିତରକନିକା ଏବଂ ଚିଲିକା ସବାଗ୍ରେ ରହିଛି। ଚିଲିକା ଏବଂ ଭିତରକନିକା ଉପକୂଳରେ ଓଡିଶାର ସର୍ବାଧିକ ଆର୍ଦ୍ରଭୂମି ରହିଛି। ଚିଲିକା ହ୍ରଦ ୧୯୮୧ ମସିହାରେ ଦେଶର ପ୍ରଥମ ରାମସର୍ ସ୍ଥଳୀ ଭାବେ ସ୍ୱୀକୃତି ପାଇଛି। ସାରା ବିଶ୍ୱର ଆର୍ଦ୍ରଭୂମି ଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ଭିତରକନିକା ୨୦୦୨ ମସିହାରେ ରାମସର୍ ସ୍ଥଳୀ ଭାବେ ସ୍ୱୀକୃତି ପାଇଛି। ଏହା କୁମ୍ବୀର ମାନଙ୍କର ଆବାସସ୍ଥଳୀ ଓ ପ୍ରଜନନ ଅଞ୍ଚଳ ଭାବରେ ସମଗ୍ର ପୃଥିବୀରେ ପରିଚିତ। ଭିତରକନିକାର ଗହୀରମଥା ହେଉଛି ଅଲିଭରିଡେଲ କଇଁଛଙ୍କ ଏନ୍ତୁଡିଶାଳ। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ।

ମାନବ ସମାଜ, ପ୍ରାଣୀଜଗତ ଓ ଉଦ୍ଭିଦଜଗତ ପାଇଁ ଆର୍ଦ୍ରଭୂମିର ଭୂମିକା ଗୁରୁତ୍ୱପୂର୍ଣ ରହିଛି। ଉପକୂଳର ଆର୍ଦ୍ରଭୂମି ସାମୁଦ୍ରିକ ଝଡ, ଜୁଆର ଓ ବନ୍ୟା ଦାଉରୁ ଆମକୁ ସୁରକ୍ଷା ଦେଇଥାଏ। ତଟରେଖା ସ୍ଥିର ରଖିବାରେ ହେନ୍ତାଳବଣର ପ୍ରମୁଖ ଭୂମିକା ଥାଏ। ଏହାର ଜୈବ ବିବିଧତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ କାରଣ ଏଠାରେ ଯେଉଁ ପ୍ରକାର ସ୍ୱତନ୍ତ୍ର ବୃକ୍ଷ ଓ ପ୍ରାଣୀ ପ୍ରଜାତି ବାସ କରନ୍ତି ତାହା ଅନ୍ୟ କୌଣସି ଜୈବ ପରିସଂସ୍ଥାରେ ଦେଖାଯାନ୍ତି ନାହିଁ। ଆଦ୍ରଭୂମି ଯୋଗୁଁ ଜୀବଜନ୍ତୁ ରକ୍ଷା ପାଇଥାନ୍ତି। ଅନେକ ପ୍ରଜାତିର ମାଛ, ପକ୍ଷୀ, କୀଟ ଓ ସରୀସୃପଙ୍କର ଅଣ୍ଡା ଦେବା ଓ ଛୁଆମାନଙ୍କୁ ପାଳନ କରିବା ପାଇଁ ଏହା ହେଉଛି ଉପଯୁକ୍ତ ପରିବେଶ। ଅନେକ ପ୍ରଜାତିର ଔଷଧୀୟ ବୃକ୍ଷ, ତୃଣ ମଧ୍ୟ ସେଠାରେ ଭଲରେ ବଞ୍ଚି ପାରୁଛନ୍ତି। ଶୀତଦିନେ ବିଦେଶାଗତ ପକ୍ଷୀମାନେ ଏହି ଭୂମିର ଆକର୍ଷଣରେ ଚାଲି ଆସିଥାନ୍ତି ଯାହା ଦ୍ୱାରା ସେ ଅଞ୍ଚଳର ଶୋଭା ବଢ଼ିଥାଏ। ଆଦ୍ରଭୂମି ଯୋଗୁଁ ପରିବେଶ ସୁନ୍ଦର ଥାଏ ଏବଂ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ପାଇଥାଏ।

ସ୍ଵଛ ପରିବେଶ, କାର୍ବନ ମୁକ୍ତ ଏବଂ ସ୍ୱଚ୍ଛ ଜଳ ହିଁ ଆର୍ଦ୍ରଭୂମି ପାଇଁ ମୁଖ୍ୟ ଭୂମିକା ନିଭାଇଥାଏ। ଜଳବାୟୁ ପରିବର୍ତ୍ତନ ଏକ ବିଶାଳ ସମସ୍ୟା। ତାପମାତ୍ରାରେ ବୃଦ୍ଧି, ବୃଷ୍ଟିପାତରେ ତାରତମ୍ୟ, ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯୟ ଦ୍ୱାରା ଆର୍ଦ୍ରଭୂମିର ଜୈବବିବିଧତା ହ୍ରାସ ସହିତ ଅନେକ ସମସ୍ୟା ଦେଖା ଦେଉଛି। ଲୋକେ ଆର୍ଦ୍ରଭୂମି ଅଞ୍ଚଳରୁ ପ୍ରାକୃତିକ ବୃକ୍ଷ କାଟି ନେଉଛନ୍ତି, ଚାଷ ଜମି ମାଡିଯାଉଛି, ବନ୍ୟଜନ୍ତୁ ଶିକାର, ସହରୀକରଣ, ଶିଳ୍ପ କାରଖାନା ଗଢି ଉଠୁଛି। ସନ୍ତସନ୍ତିଆ ସ୍ଥାନରେ ମାଟିପକାଇ ଉଚ୍ଚା କରି ଗୃହ ନିର୍ମାଣ କରୁଛନ୍ତି। ଯାହା ଦ୍ୱାରା ଆର୍ଦ୍ରଭୂମି ପ୍ରଭାବିତ ହେବା ସହିତ ଏହାର ସୀମା କମି କମି ଯାଉଛି। ଆର୍ଦ୍ରଭୂମି ବିଶେଷ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ଯଦି ଏହାର ସଂରକ୍ଷଣ ଠିକ୍ ଭାବରେ କରାନଯାଏ ତେବେ ଉଭିଦ ଓ ପ୍ରାଣୀ ମାନେ ସେଠାରୁ ବିଦାୟ ନେଇଯିବେ। ଯାହା ଫଳରେ ମାନବ ସମାଜ ଉପରେ ଏକ ବଡ଼ଧରଣର ପ୍ରତିକୂଳ ପ୍ରଭାବ ପଡିବ। ଏହାର ଅବକ୍ଷୟ କେବଳ ଆମର ଜୀବିକାକୁ ପ୍ରଭାବିତ କରିବ ନାହିଁ ବରଂ ପ୍ରାକୃତିକ ବିପର୍ଯୟ ଘଟି ଆମର ଧନ ଜୀବନ ନଷ୍ଟ କରିବ।

ଆର୍ଦ୍ରଭୂମିକୁ ସୁରକ୍ଷା ଦେବାକୁ ହେଲେ ଏକାଧିକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ। ଅନେକ ଲୋକ ନିଜର ଜୀବିକା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି ତେଣୁ ସେମାନଙ୍କ ଜୀବିକା ନିମନ୍ତେ ଦୀର୍ଘ ମିଆଦୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ପାରମ୍ପରିକ ମତ୍ସ୍ୟଜୀବୀ ମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେବା ସହିତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ମାଛ ଚାଷ, ଗୋପାଳନ ଓ କୁଟୀର ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭର ହେବା ପାଇଁ ଯଥେଷ୍ଟ ଧ୍ୟାନ ଦେବା ଦରକାର। ବେଆଇନ ଚିଙ୍ଗୁଡ଼ି ଚାଷ ଉପରେ ଅଙ୍କୁଶ ପାଇଁ କୋଷ୍ଟାଲ ଆକ୍ଵାକଲଚର୍ ଅଥରିଟି ଆକ୍ଟ ରେ ଥିବା ବ୍ୟବସ୍ଥା ଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ଦରକାର। ହେନ୍ତାଳ ବନ ଉପରେ ନିର୍ଭରଶୀଳତାକୁ କମାଇବା ସହିତ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା। ଶିକ୍ଷାନୁଷ୍ଠାନ ମାନଙ୍କରେ ଆର୍ଦ୍ରଭୂମିର ଉପକାରିତା ଓ ଏହାର ସୁରକ୍ଷା ବିଷୟରେ ଆଲୋଚନାଚକ୍ର, କର୍ମଶାଳାର ଆୟୋଜନ କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ଓ ଜ୍ଞାନର ବିକାଶ ପାଇଁ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଯାହାଫଳରେ ସେମାନେ ଓ ସେମାନଙ୍କର ଅଭିଭାବକ ଆର୍ଦ୍ରଭୂମିର ସୁରକ୍ଷା ପାଇଁ ଯତ୍ନବାନ ହେବା ସହିତ ଏହାର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚିବ। ଆର୍ଦ୍ରଭୂମି ପରିସଂସ୍ଥାନ ଗୁଡ଼ିକର ସୁରକ୍ଷା ଏବଂ ଏହାର ସୁପରିଚାଳନା ପାଇଁ କରାଯାଇଥିବା ନିୟମ ଗୁଡିକର କଡାକଡି ପାଳନ କାରାଯିବା ସହିତ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପଥପ୍ରାନ୍ତ ନାଟକ ଓ ସଚେତନତାର ବାର୍ତ୍ତା ବହୁଳ ଭାବରେ ପ୍ରଚାର କରାଗଲେ ଆର୍ଦ୍ରଭୂମିର ସଂରକ୍ଷଣ ହୋଇପାରିବ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.