Home ଜିଲ୍ଲା ପରିକ୍ରମା ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ

45

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଘାତ ପ୍ରତିଘାତ ଏବଂ ଅଭାବ ଅସୁବିଧା ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା କ୍ଷେତ୍ରରେ କେବେହେଲେ କାର୍ପଣ୍ୟତା ପ୍ରଦର୍ଶନ କରିନାହାଁନ୍ତି । ଏହି ବର୍ଗର ଚିକିତ୍ସକମାନଙ୍କ ଉତ୍ସର୍ଗୀକୃତ ତଥା ନିଷ୍ଠାପର ସେବା କାର୍ଯ୍ୟ ଯୋଗୁଁ ବିଭିନ୍ନ ଜାତୀୟ ଯୋଜନାର କାର୍ଯ୍ୟାନ୍ୱୟନରେ ସମଗ୍ର ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏସବୁ ସତ୍ୱେ ସାଧାରଣ ଡାକ୍ତରଙ୍କୁ ନିଯୁକ୍ତି ସମୟରେ ଯେଭଳି କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟା ପ୍ରଦାନ କରାଯାଉଛି, ସେଭଳି ପ୍ରାଣୀ ଚିକିତ୍ସକମାନଙ୍କ କ୍ଷେତ୍ରରେ କରାଯାଉନାହିଁ । ସାଧାରଣ ଡାକ୍ତର ସାଢେ ପାଞ୍ଚବର୍ଷ ପାଠ ପଢି ଏଲୋପାଥି ମେଡିସିନ୍ ଲେଖୁଛନ୍ତି । ସମାନ ଭାବେ ସାଢେ ପାଞ୍ଚ ବର୍ଷ ପାଠ ପଢୁଥିବା ଓ ସମାନ ଭାବେ ଏଲୋପାଥି ଔଷଧ ଲେଖୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ଦିଆନଯାଇ ପକ୍ଷପାତ କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଉଛି । ଏହି ପରିପ୍ରେକ୍ଷୀରେ ସଂଘର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ରାଜ୍ୟ ସରକାର ସଂଘର ଦାବି ଯଥାଶୀଘ୍ର ପୂରଣ ନକରନ୍ତି, ତେବେ ଏପ୍ରିଲ ୨୫ ରୁ ଡିଜିଟାଲ ସେବା କାର୍ଯ୍ୟ ବର୍ଜନ ସହ ମଇ ୧ ତାରିଖ ଠାରୁ କଲମ ଛାଡ କରାଯିବ । ଚିକିତ୍ସାଳୟ ପରିସର, କାର୍ଯ୍ୟନିର୍ଘଣ୍ଟ ଓ କାର୍ଯ୍ୟ ଦିବସ ବାହାରେ ସେବା ବିରତି, ମଇ ୧୫ ତାରିଖ ଠାରୁ ସମୂହ ଛୁଟି ତଥା ମଇ ୨୫ ତାରିଖ ଠାରୁ ସମୂହ ଇସ୍ତଫା ଦେବାପାଇଁ ରାଜ୍ୟ ପ୍ରାଣୀ ଚିକିତ୍ସକ ସେବା ସଂଘ ଭଦ୍ରକ ଶାଖା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଥାଉକି ବର୍ତ୍ତମାନ ଜିଲାର ୨୫ ଜଣ ପ୍ରାଣୀ ଚିକିତ୍ସକ କଳା ବ୍ୟାଚ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.