Home ଜିଲ୍ଲା ପରିକ୍ରମା ଆଦାନି ଡିଏଭି ପବ୍ଲିକ ସ୍କୁଲରେ ପ୍ରତିଷ୍ଠା ଦିବସ ପାଳିତ

ଆଦାନି ଡିଏଭି ପବ୍ଲିକ ସ୍କୁଲରେ ପ୍ରତିଷ୍ଠା ଦିବସ ପାଳିତ

28

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଓ ଏହାର ଚତୁଃପାଶ୍ୱର୍ରେ ଗୁଣାତ୍ମକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଗତ ୨୦୧୨ ମସିହା ଏପ୍ରିଲ ୫ ତାରିଖ ଦିନ ଆଦାନି ଡିଏଭି ପବ୍ଲିକ ସ୍କୁଲ ପ୍ରତିଷ୍ଠିତ ହୋଇଥିଲା । ବିଗତ ୯ ବର୍ଷ ଧରି ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ପ୍ରାସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏହି ଅଞ୍ଚଳପାଇଁ ସୁନାମ ଆଣିଦେଇଛନ୍ତି । ସିବିଏସ୍‌ଇ ପରିଚାଳିତ ଦଶମ ପରୀକ୍ଷାରେ ଗତ ବର୍ଷ ଏହି ବିଦ୍ୟାଳୟ ଓଡ଼ିଶା ଜୋନ-୧ ଅନ୍ତର୍ଗତ ସମସ୍ତ ଡିଏଭି ପବ୍ଲିକ ସ୍କୁଲରେ ତୃତୀୟ ସ୍ଥାନ ଅଧିକାର କରି ଏକ ରେକର୍ଡ ପ୍ରତିଷ୍ଠା କରିଛି । ଗତ ଏପ୍ରିଲ ୫ ତାରିଖ ଦିନ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏହାର ଦଶମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଡ଼ିଶା ଜୋନ-୧ ଡିଏଭି ପବ୍ଲିକ ସ୍କୁଲର ଆଞ୍ଚଳିକ ଅଧିକାରୀ ଡଃ କେଶବ ଶତପଥୀ ଓ ବିଦ୍ୟାଳୟର ଡଃ ସୁଜାତା ସାହୁ ଅଧ୍ୟକ୍ଷା ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଦ୍ୟାଳୟର ଉତ୍ତରୋତ୍ତର କାମନା କରିଛନ୍ତି । ବିଦ୍ୟାଳୟରେ ଶାନ୍ତି ଓ ପବିତ୍ରତା ରକ୍ଷା ପାଇଁ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା କ୍ରିଷ୍ଣାପ୍ରିୟା ଷଢ଼଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱାଳନ ପୂର୍ବକ କାର୍ଯ୍ୟକ୍ରମଟିର ବିଧିବଦ୍ଧ ଭାବରେ ଉଦଘାଟନ କରିବା ପରେ ଶିକ୍ଷକଶିକ୍ଷୟିତ୍ରୀମାନେ ସ୍ୱାମୀ ଦୟାନନ୍ଦ ଓ ମାହାତ୍ମା ହଂସରାଜଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ଶିକ୍ଷୟିତ୍ରୀ ଶାଶ୍ୱତୀ ସାମନ୍ତଙ୍କ ନିର୍ଦ୍ଦେଶନାକ୍ରମେ ବିଦ୍ୟାଳୟ ସମ୍ପର୍କିତ ଏକ ସୁମଧୁର ସଙ୍ଗୀତ ଗାନ କରାଯାଇଥିଲା । ପ୍ରତିଷ୍ଠା ସମୟରେ ବିଦ୍ୟାଳୟର ଯୋଗଦାନ କରିଥିବା ଶିକ୍ଷକ ସାନୁଜ କୁମାର ଜେନା, ଶିକ୍ଷୟିତ୍ରୀ ଗାୟତ୍ରୀ ମହାପାତ୍ର, ନୀତୁ ବାଲା, ମମତା ପଟ୍ଟାୟତ, ରାଜୀବଲକ୍ଷ୍ମୀ ମିଶ୍ର ନିଜ ନିଜର ସ୍ମୃତି ଓ ଅନୁଭୂତି ବଖାଣିଥିଲେ । ଏହାପରେ ବିଦ୍ୟାଳୟ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯିବା ସହିତ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଏକ ରୋଚକ କ୍ୱିଜ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା କ୍ରିଷ୍ଣାପ୍ରିୟା ଷଢ଼଼ଙ୍ଗୀ ନିଜର ବକ୍ତବ୍ୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ଐକ୍ୟବୋଧ ହୋଇ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ବିଦ୍ୟାଳୟକୁ ନୂତନ ଶୀର୍ଷରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ତସନିମ କୌସର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.