Home ଜିଲ୍ଲା ପରିକ୍ରମା ଆଦର୍ଶ ଆଚରଣ ବିଧି ଓ ଖର୍ଚ୍ଚ ହିସାବ ଉପରେ ଗୁରୁତ୍ୱ, ପ୍ରାର୍ଥୀ, ରାଜନୈତିକ ଦଳ ପାଇଁ...

ଆଦର୍ଶ ଆଚରଣ ବିଧି ଓ ଖର୍ଚ୍ଚ ହିସାବ ଉପରେ ଗୁରୁତ୍ୱ, ପ୍ରାର୍ଥୀ, ରାଜନୈତିକ ଦଳ ପାଇଁ ପର୍ଯ୍ୟବେକ୍ଷକଙ୍କ ବୈଠକ

33

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମନଗର ଉପନିର୍ବାଚନ ଉପଲକ୍ଷେ ପ୍ରାର୍ଥପତ୍ର ପ୍ରତ୍ୟାହାର ଅବଧି ପରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରାର୍ଥୀ, ତାଙ୍କ ପ୍ରତିନିଧି ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିର୍ବାଚନ କାର୍ଯ୍ୟ ପରିଚାଳନା, ପ୍ରାର୍ଥୀମାନଙ୍କ ପ୍ରଚାର ସମ୍ବନ୍ଧୀୟ ଖର୍ଚ୍ଚ, ଆଦର୍ଶ ଆଚରଣ ବିଧି ସମ୍ବନ୍ଧରେ ଅବଗତ କରାଇବା ଉଦ୍ଦେଶ୍ୟରେ ପର୍ଯ୍ୟବେକ୍ଷମାନଙ୍କ ଦ୍ୱାରା ଏକ ବୈଠକ ଆୟୋଜନ କରାଯାଇଥିଲା। ସଦ୍‌ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଣେଶ ଗୁପ୍ତା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅବାଧ୍ୟ, ମୁକ୍ତ, ନିରପେକ୍ଷ ଭାବେ ଏହି ଉପନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଆଦର୍ଶ ଆଚରଣ ବିଧି ସମ୍ବନ୍ଧରେ ସାଧାରଣ ପର୍ଯ୍ୟବେକ୍ଷକ ଆଲୋଚନା କରିବା ସହିତ ତାର ଅନୁପାଳନ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପୋଲିଂ, କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଦଳ ବା ପ୍ରାର୍ଥୀମାନଙ୍କ ତରଫରୁ ତାଲିମ ଦେବା, ମକ୍‌ପୋଲ ଆରମ୍ଭ ପୂର୍ବରୁ ଏଜେଣ୍ଟମାନେ ବୁଥ୍‌ରେ ପହଞ୍ôଚବା, ଇଭିଏମ୍ ରାଣ୍ଡାମାଇଜେସନ୍‌, କମିଶନିଂ, ଷ୍ଟ୍ରଙ୍ଗରୁମ୍ ଖୋଲାଯିବା କି ବନ୍ଦ ହେବା, ଆଦି ଆବଶ୍ୟକ ସମୟରେ ପ୍ରତିନିଧିମାନେ ଉପସ୍ଥିତ ରହିବା ଆଦି ବିଷୟରେ ସାଧାରଣ ପର୍ଯ୍ୟବେକ୍ଷକ ବୁଝାଇବା ସହ ଡ଼ାକ ଭୋଟ ପ୍ରକ୍ରିୟା ସମ୍ବନ୍ଧରେ ମଧ୍ୟ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ପରିପ୍ରେକ୍ଷୀରେ ୫୦୫ଜଣ ଭୋଟର ଡ଼ାକ ଭୋଟ ମାଧ୍ୟମରେ ମତଦାନ ପାଇଁ ସ୍ୱୀକୃତି ଦେଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ କି ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଉର୍ଦ୍ଧ୍ୱ ମତଦାନ ପାଇଁ ବୁଥ୍‌କୁ ଆଦୌ ଯାଇ ନପାରିବା ଅବସ୍ଥାରେ ଥିବା ଭୋଟରମାନଙ୍କ ପାଇଁ ପ୍ରଥମ ଥର ଭାବେ ଏଥର ଘରକୁ ଘର ବୁଲି ଡ଼ାକ ଭୋଟ ଜରିଆରେ ମତଦାନ ସଂଗ୍ରହ କରାଯିବ। ସେହିପରି ନିର୍ବାଚନ ପ୍ରଚାର ନେଇ ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସୀମା, ଖର୍ଚ୍ଚ ହିସାବ ପରିଚାଳନା, ଖର୍ଚ୍ଚ କରିବାର ବିଧି ସମ୍ବନ୍ଧରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଲୋଚନା କରିଥିଲେ। ବ୍ୟାନର, ପୋଷ୍ଟର, ଶୋଭାଯାତ୍ରା, ସାଧାରଣ ସଭା, ଡ଼ାକବାଜି ଯନ୍ତ୍ର, ଭଡ଼ାଗାଡ଼ି ଆଦି କ୍ଷେତ୍ରରେ ଖର୍ଚ୍ଚ କରିହେବ। ନିୟମାନନୁଯାୟୀ ଖର୍ଚ୍ଚ ହିସାବ, ତାଲିକା ଭୁକ୍ତ କରିବାକୁ ପଡ଼ିବ। ମଦ, ପଇସା, କୌଣସି ଉପହାର ବାଣ୍ଟି ହେବ ନାହିଁ ବୋଲି ସେ କହିଥିଲେ। ଖର୍ଚ୍ଚ ପାଇଁ ନାମାଙ୍କନ ପୂର୍ବରୁ ପ୍ରାର୍ଥୀଙ୍କ ନାମରେ ଅଲଗା ଆକାଉଣ୍ଟ ଖୋଲାହେବ। ଖର୍ଚ୍ଚ ହେବାକୁ ଥିବା ଟଙ୍କା ସେଥିରେ ଜମା ହେବ। ମାତ୍ର ୧୦ ହଜାର ଟଙ୍କା ନଗଦ ଆକାରରେ ଖର୍ଚ୍ଚ କରିହେବ। ବାକି ସବୁ ଆକାଉଣ୍ଟରେ ପ୍ରଦାନ କରାଯାଇ ଖର୍ଚ୍ଚ ହେବ। ଅକ୍ଟୋବର ୨୧, ୨୬ ଓ ୩୧ ତାରିଖରେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ହିସାବ ଖାତା ତଦନ୍ତ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ଖର୍ଚ୍ଚ ହିସାବ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରାର୍ଥୀଙ୍କ ଦ୍ୱାରା ଜମା ଦିଆଯିବା, ଆଦର୍ଶ ଆଚରଣ ବିଧି ଉଲ୍ଲଘନ ବା ଅନ୍ୟ କୌଣସି ଅନିୟମିତତା ନେଇ ଅଭିଯୋଗ ପାଇଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ୮୨୬୦୭୪୩୬୨୬ ନମ୍ବରରେ ଓ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ୭୮୫୪୮୨୬୫୦୬ ନମ୍ବରେ ଯୋଗଯୋଗ କରି ଅଭିଯୋଗ କରିପାରିବେ। ପ୍ରାର୍ଥୀ କିମ୍ବା ପ୍ରତିନିଧିମାନେ ସାଳନ୍ଦୀ ଇରିଗେସନ୍ ଆଇ.ବି.ରେ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ସକାଳ ୯ ଟାରୁ ୧୧ ଟା ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଅପରାହାଣ୍ ୩ଟା ରୁ ୫ଟା ମଧ୍ୟରେ ସାକ୍ଷାତ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ୨୪ ଘଣ୍ଟା ଖୋଲା ରହିଥିବା କଣ୍ଟୋଲରୁମ୍ ନମ୍ବର ୧୯୫୦କୁ ମଧ୍ୟ ଜଣାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.