ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଲଗାତର ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଜିଲାପାଳ ଭଦ୍ରକ ଜିଲାର ୭ଟି ବ୍ଲକ୍ର ୩୯୯ ଟି ବିଦ୍ୟାଳୟକୁ ଆସନ୍ତାକାଲି ଶନିବାର ବନ୍ଦ ଘୋଷଣା କରିଛନ୍ତି। ଏହି ବିଦ୍ୟାଳୟ ଗୁଡିକ ବର୍ଷାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆସନ୍ତାକାଲି ଏହି ବିଦ୍ୟାଳୟ ଗୁଡିକରେ ଶିକ୍ଷାଗତ ଓ ଅଣଶିକ୍ଷାଗତ କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ବିଦ୍ୟାଳୟ ଗୁଡିକ ହେଲା ଭଣ୍ଡାରିପୋଖରୀର ୧୫ଟି, ଭଦ୍ରକର ୫୪ ଟି, ବନ୍ତର ୪ଟି, ତିହିଡିର ୧୦୬ ଟି, ବାସୁଦେବପୁରର ୩ଟି, ଚାନ୍ଦବାଲିର ୨ଟି ଓ ସର୍ବାଧିକ ଧାମନଗର ବ୍ଲକ୍ର ୧୭୫ ଟି ବିଦ୍ୟାଳୟ ଆସନ୍ତାକାଲି ଶନିବାର ବନ୍ଦ ରହିବ। ତେବେ ଗତକାଲି ରାତିରୁ ପ୍ରବଳ ବର୍ଷା ହୋଇ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ବିଶେଷକରି ବିଦ୍ୟାଳୟଗୁଡିକ ଖୋଲାରହିବା ଫଳରେ ବହୁ ଛାତ୍ରଛାତ୍ରୀମାନେ ବର୍ଷାରେ ଭିଜିଭିଜି ଆସି ବିଦ୍ୟାଳୟରେ ପାଣି ପଶିଥିବାର ଦେଖି ଫେରିଯାଇଥିବାର ଜଣାଯାଇଛି। ଏଭଳି ପରିସ୍ଥିତିରେ ଜିଲା ପ୍ରଶାସନ ଆଜି ଶୁକ୍ରବାର ଛୁଟି ଘୋଷଣା ନକରିବା ଘଟଣାକୁ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।








