Home ଜିଲ୍ଲା ପରିକ୍ରମା ଆଉକିଛିମାସ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ, ପୁରୁଷଙ୍କ ହାତରେ ମହିଳା ଜନପ୍ରତିନିଧିଙ୍କ କ୍ଷମତା

ଆଉକିଛିମାସ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ, ପୁରୁଷଙ୍କ ହାତରେ ମହିଳା ଜନପ୍ରତିନିଧିଙ୍କ କ୍ଷମତା

97

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ପୁରୁଷ ମାନଙ୍କ ସହିତ ସମାନୁପାତିକ ଭାବେ ବିଭିନ୍ନ କ୍ଷେତ୍ରରେ ସମକକ୍ଷ ହେବାପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ରାଜନୈତିକ କ୍ଷେତ୍ରରେ ନିର୍ବାଚିତ ଜନପ୍ରତିନିଧି ଭାବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାପାଇଁ ଓଡ଼ିଶା ପଂଚାୟତ ଆଇନ୍ ୧୯୬୪ ଆଧାରରେ ୨୦୧୭ ପଂଚାୟତ ନିର୍ବାଚନରେ ୫୦% ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିଲା । ଗ୍ରାମପଂଚାୟତ ପୁର୍ନଗଠନ ଆଇନ୍ ଅନୁସାରେ ୨୦୧୬ ମସିହାରେ ଭଦ୍ରକ ଜିଲ୍ଳାରେ ୨୬ଟି ନୂଆ ପଂଚାୟତ ଗଠନ ହୋଇଥିବାବେଳେ ପଂଚାୟତ ସଂଖ୍ୟା ୧୯୨ରୁ ୨୧୮ରେ ପହଂଚିଥିଲା । ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୨୧୮ ପଂଚାୟତ ମଧ୍ୟରୁ ୧୦୯ଟିରେ ମହିଳା ସରପଂଚ ଓ ସମିତିସଭ୍ୟା ନିର୍ବାଚିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଧାମନଗର ବ୍ଲକରୁ ଏନ୍‌ଏସି ଗଠନ ହୋଇଥିବା ଦୃଷ୍ଟିରୁ ଧାମନଗର ଓ ଜୟନଗର ଦୁଇ ପଂଚାୟତକୁ ଛାଡ଼ି ମୋଟ ୩୧ଟି ପଂଚାୟତ ମଧ୍ୟରୁ ସରପଂଚ ପଦପାଇଁ କରଦା, କଲ୍ୟାଣୀ, ଖଡ଼ିପଦା, ଗଢିଆଳି, ଗୋବିନ୍ଦପୁର, ଦୋବଲ, ଧୂଷୁରୀ, ପଧାନୀ, ପାଳସାହି, ଫତେପୁର, ବମକୁରା, ଭଟ୍ଟସାହି, ରଇପୁର, ରାଧାବଲ୍ଲଭପୁର, ସରେଇଚୁଡ଼ାକୁଟି ଓ ହସନାବାଦ ଆଦି ୧୬ଟି ପଂଚାୟତ ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିଲା । ସେହିପରି ସେହି ୩୧ ପଂଚାୟତରୁ ସମିତିସଭ୍ୟ ପଦପାଇଁ ଅର୍ଜ୍ଜୁନପୁର, ଅସୁରାଳି, ଆନନ୍ଦପୁର, କଟ୍ଟସାହି, କାଶିମପୁର, କୋଠାର, ଖପରପଦା, ଦଇପୁର, ଦଳାଙ୍ଗ, ଧୂଷୁରୀ, ନଦୀଗାଁ, ବୟାଂଡ଼ିହ, ଭଗବାନପୁର, ମୁସ୍ତାଫାପୁର, ସରେଇଚୁଡ଼ାକୁଟି, ସାହସପୁର ଓ ସୋହଡ଼ା ଏହିଭଳି ମୋଟ ୧୭ଟି ପଂଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଏହିଭଳି ଶତକଡ଼ା ୫୦% ରୁ ଅଧିକ ସ୍ଥାନରେ ମହିଳା ପ୍ରତିନିଧି ମାନେ ବିଜୟୀ ହୋଇ ଜନପ୍ରତିନିଧି ଘୋଷିତ ହୋଇଥିଲେ ।

ଏହା ମଧ୍ୟରେ ପଂଚାୟତର ସରପଂଚଙ୍କ କାର୍ଯ୍ୟକାଳ ପୁରିବାକୁ ଆଉମାତ୍ର କେଇମାସ ବାକିଥିବାବେଳେ ୨୦୨୨ରେ ପୁଣି ସରପଂଚ ନିର୍ବାଚନ ହେବବୋଲି ନିର୍ବାଚନ କମିଶନର ସୂଚନା ଦେଲେଣି । ମାତ୍ର ବିଗତ ବର୍ଷ ମାନଙ୍କରେ ନିର୍ବାଚିତା ମହିଳା ସରପଂଚ ମାନଙ୍କ ସ୍ଥାନରେ ସେମାନଙ୍କ ସ୍ୱାମୀ ସମ୍ପୃକ୍ତ ପଂଚାୟତରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ବହୁ ପଂଚାୟତବାସୀ ସେମାନଙ୍କ ସରପଂଚଙ୍କୁ ଚିହ୍ନି ନଥିବା ଜଣାଯାଇଛି । ବହୁ ସରକାରୀ ଅବା ବେସରକାରୀ ସଭାସମିତିରେ ମହିଳା ସରପଂଚଙ୍କ ପରିବର୍ତେ ସରପଂଚ ପ୍ରତିନିଧି ଅର୍ଥାତ ସେମାନଙ୍କ ସ୍ୱାମୀ ମାନଙ୍କ ଉପସ୍ଥିତି ପରିଲକ୍ଷିତ ହେଉଛି । ସରକାରୀ ଦପ୍ତରରେ ମହିଳା ସରପଂଚଙ୍କ ପରିବର୍ତେ ସେମାନଙ୍କ ସ୍ୱାମୀଙ୍କ ରାଜୁତି ଚାଲିଛି । ବହୁ ପଂଚାୟତରେ ସରପଂଚଙ୍କ ଉଦ୍ଦିଷ୍ଟ ଚେୟାରରେ ପ୍ରତିନିଧିମାନେ ବସି ପିଇଓ ମାନଙ୍କ ସହ ସାଲିସ କରି କାର୍ଯ୍ୟ କରୁଥିବା ଦେଖାଯାଇଛି । ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ବିନିଯୋଗ କିପରି ହେଉଛି ଯଦି ପ୍ରଶ୍ନ କରାଯାଏ ତା’ର ଉତର ସରପଂଚ ମାନଙ୍କ ଠାରୁ ମିଳିବା କଷ୍ଟକର ହୋଇପଡ଼ୁଛି । ବହୁ ପଂଚାୟତରେ ତଥ୍ୟ ଜାଣିବାପାଇଁ ଫୋନ୍‌କଲେ ମହିଳା ସରପଂଚଙ୍କ ବଦଳରେ ପୁରୁଷ କଣ୍ଠ ସ୍ୱରରେ ମୁଁ ଅମକେଇ ସରପଂଚ କହୁଛି ବୋଲି ପ୍ରତ୍ୟୁତର ଆସୁଛି । କୋଭିଡ଼-୧୯ଭଳି ମହାମାରୀ ସମୟରେ ଦୀର୍ଘ ୨ବର୍ଷ ହେବ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବାବେଳେ ଏହା ଉପଯୋଗରେ ଜନସାଧାରଣଙ୍କ ଉପକାର କରିବା ଭଳି କାର୍ଯ୍ୟ ସମ୍ପୃକ୍ତ ପ୍ରତିନିଧିମାନଙ୍କ କ୍ଷେତ୍ରରେ ନଜରକୁ ଆସୁନାହିଁ । ତେଣୁ ମହିଳା ମାନଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା କ’ଣ ପାଇଁ ବୋଲି ପ୍ରଶ୍ନ ଉଠିବା ସହ ଏହା ପ୍ରହସନରେ ପରିଣତ ହୋଇଥିବା ଜଣାଯାଇଛି । ତେବେ ଆଗାମୀ ୨୦୨୨ମସିହା ପଂଚାୟତ ନିର୍ବାଚନ ବେଳକୁ ଏହି ୫୦% ସଂରକ୍ଷିତ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ମହିଳା ପ୍ରତିନିଧି ମାନେ ରବରଷ୍ଟାମ୍ପ ନହୋଇ ସେମାନଙ୍କ କାର୍ଯ୍ୟ, କର୍ତବ୍ୟ ନିଜ ଦକ୍ଷତା ବଳରେ ନିଜେ ସମ୍ପାଦନା କରିବାପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.