Home ଜିଲ୍ଲା ପରିକ୍ରମା ଅବ୍ୟବସ୍ଥା ମଧ୍ୟରେ ଅମୃତ ପାର୍କ , ନାହିଁ ଶୌଚାଳୟ, ୩୩ କେଭି ବିଦ୍ୟୁତ ତାର ସୃଷ୍ଟି...

ଅବ୍ୟବସ୍ଥା ମଧ୍ୟରେ ଅମୃତ ପାର୍କ , ନାହିଁ ଶୌଚାଳୟ, ୩୩ କେଭି ବିଦ୍ୟୁତ ତାର ସୃଷ୍ଟି କରୁଛି ବିପଦ

41

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ମଧ୍ୟରେ ଥିବା ଦକ୍ଷୀଣକାଳୀ ଅମୃତ ପାର୍କରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମନୋରଂଜନ ପାଇଁ ଆସୁଥିବା ଜନସାଧାରଣ ଓ କୁନିକୁନି ପିଲାମାନଙ୍କ ଶୌଚାଳୟ ନାହିଁ । ସେହିପରି ଉକ୍ତ ପାର୍କ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସବୁ ସମୟରେ ବିପଦର ଆଶଙ୍କା ରଖୁଛି । ସୂଚନା ଅନୁଯାୟୀ ପ୍ରାୟ ଗତ ତିନି ବର୍ଷ ପୂର୍ବେ ମଠସାହି ନୂଆ ବସଷ୍ଟାଣ୍ଡ ନିକଟରେ ଏହି ପାର୍କ ନିର୍ମାଣ ହୋଇ ଲୋକାର୍ପିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀ ଓ ସହରର ବୁଦ୍ଧିଜୀବୀ ପୌର କର୍ତ୍ତୃପକ୍ଷଙ୍କ ଏହି ଉଦ୍ୟମକୁ ସ୍ୱାଗତ କରିଥିଲେ । ଅମୃତ ଯୋଜନାରେ ନିର୍ମିତ ଏହି ପାର୍କ ପାଇଁ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ ହୋଇଥିଲା । ସହରବାସୀଙ୍କ ପାଇଁ ମନୋରଂଜନର ମାଧ୍ୟମ ପାଲଟିଥିବା ଏହି ପାର୍କରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସହରର ମୋଟ ୪ଟି ଅମୃତ ପାର୍କ ମଧ୍ୟ ଏହି ପାର୍କରେ ହିଁ ସବୁଠାରୁ ଅଧିକ ଭିଡ଼ ଜମିଥାଏ ଓ ପୌର କର୍ତ୍ତୃପକ୍ଷ ବେଶ ଦୁଇପଇସା ରାଜସ୍ୱ ଆକାରରେ ପାଇଥାନ୍ତି । କିନ୍ତୁ ପୌର କର୍ତ୍ତୃପକ୍ଷଙ୍କ ଇଛାଶକ୍ତିର ଅଭାବ ଓ ପ୍ରଶାସନର ଦୂରଦୃଷ୍ଟିର ଅଭାବ ପାଇଁ ଏହି ପାର୍କକୁ ଆସୁଥିବା ଆଗନ୍ତୁକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ସେଠାରେ ଏକ ସର୍ବନିମ୍ନ ଆବଶ୍ୟକତା ଭାବେ ପରିଗଣିତ ଏକ ଶୌଚାଳୟ ନାହିଁ । ସୂଚନାଯୋଗ୍ୟ ଏହି ପାର୍କକୁ ପ୍ରାତଃଭ୍ରମଣ ପାଇଁ ଶତାଧିକ ଲୋକ ଆସିଥାନ୍ତି । ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକମାନେ ଅର୍ନ୍ତଭୂକ୍ତ ।

ସେହିପରି ଅପରାହ୍ନରେ ଶତାଧିକ ବ୍ୟକ୍ତି ଉକ୍ତ ପାର୍କକୁ ଆସି ସମୟ କଟାଇଥାନ୍ତି । କୁନିକୁନି ପିଲାମାନେ ନିଜ ଅଭିଭାବକମାନଙ୍କ ସହ ଆସି ବିଭିନ୍ନ କ୍ରୀଡ଼ା ଉପକରଣରେ ସମୟ ବିତାଇ ଘରକୁ ଫେରିଥାନ୍ତି । କିନ୍ତୁ ଏଠାକୁ ଆସୁଥିବା ଲୋକଙ୍କ ମଳ ଓ ମୂତ୍ର ତ୍ୟାଗ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପୌରାଞ୍ଚଳରେ ସ୍ୱଛ ସର୍ବେକ୍ଷଣ ନାମରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପୌର କର୍ତ୍ତୃପକ୍ଷ ହାତକୁ ନେଉଥିବାବେଳେ, ଏହି ମୌଳିକ ଦିଗକୁ ଅବହେଳା କରି ଚାଲିଛନ୍ତି । ବର୍ତ୍ତମାନ ସମୟରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ପୂରିଯାଇଥିବାରୁ, ପ୍ରଶାସନିକ ଓ ପରିଚାଳନାଗତ ଦାୟିତ୍ୱ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିଛି । ତେଣୁ ଏପରି ସାର୍ବଜନୀନ ସ୍ଥାନ ଗୁଡ଼ିକରେ ପରିବେଶର ସୁରକ୍ଷା ଓ ସ୍ୱଛତା ଦୃଷ୍ଟିରୁ ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଇଲେ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କର ସ୍ୱଛତା ପ୍ରତି ଥିବା ଆନ୍ତରିକତା ଜଣାପଡ଼ନ୍ତା ବୋଲି ସଂପୃକ୍ତ ଅଞ୍ଚଳର ପ୍ରାକ୍ତନ ପାରିଷଦ ପ୍ରବୀର ଜେନା କହିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ପାର୍କ ଉପର ଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ଦୁଇଟି ୩୩ କେଭି ବିଦ୍ୟୁତ୍ ତାର ଯାଇଛି । ଯାହାକି ବହୁ ପୁରାତନ । ଦୀର୍ଘ ବର୍ଷ ଧରି ଏହି ତାର ବଦଳାଯାଇ ନାହିଁ । ପାର୍କ ସ୍ଥାନ ନିରୂପଣ ସମୟରେ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିଲା । କିନ୍ତୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାହିଁ । ତଥାପି ଉକ୍ତ ବିଦ୍ୟୁତ୍ ତାର ପୁରୁଣା ହୋଇ ଯାଇଥିବାରୁ, ପାର୍କକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା କୌଣସି ନା କୌଣସି ସମୟରେ ବିପଦ ସୃଷ୍ଟି କରିପାରେ ବୋଲି କୁହନ୍ତି ଜ୍ୟୋତିପ୍ରକାଶ ମହାନ୍ତି । ତେଣୁ ଉପରୋକ୍ତ ସମସ୍ୟା ପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.