Home ଓଡ଼ିଶା ଅପରାଜିତାଙ୍କ ମାଷ୍ଟର ଷ୍ଟୋକ୍: ଧର୍ମେନ୍ଦ୍ରଙ୍କୁ ଲାଗିପାରେ ବଡ଼ ଝଟକା!

ଅପରାଜିତାଙ୍କ ମାଷ୍ଟର ଷ୍ଟୋକ୍: ଧର୍ମେନ୍ଦ୍ରଙ୍କୁ ଲାଗିପାରେ ବଡ଼ ଝଟକା!

1572

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ମାଷ୍ଟର ଷ୍ଟୋକ୍ ଖେଳିବାକୁ ଯାଉଛନ୍ତି।ଆଜି ପର୍ଯ୍ୟନ୍ତ ଓଡ଼ିଶା ବିଜେପିରେ ଏକ ମାତ୍ର କ୍ଷମତା କେନ୍ଦ୍ର ହୋଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏହା ଏକ ବଡ଼ ଝଟକା ହୋଇପାରେ ବୋଲି କୁହାଯାଉଛି।ଅନେକ ସୁଯୋଗ ପାଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ପ୍ରତିହତ କରିବାରେ ବିଫଳ ହେଲେ।ଏଣେ ଦଳ ଭିତରେ ଧର୍ମେନ୍ଦ୍ର ନିଜର ଏକ ଗୋଷ୍ଠୀ ତିଆରି କରି କେବଳ ନିଜ ଅନୁଗତ ମାନଙ୍କୁ ପ୍ରାଧାନ୍ୟ ଦେଲେ।ସେହିମାନଙ୍କୁ ଦଳୀୟ ପଦ ପଦବୀରେ ବସାଇଲେ।ଯାହାକୁ ଚାହିଁଲେ ଦଳରେ ମିଶାଇ ଟିକେଟ ଦେଲେ।ମିଶ୍ରଣ ନାମରେ ଗୁଡ଼ାଏ ଅପମିଶ୍ରଣ କରି ପକାଇଲେ।ଏଣେ ମୂଳ ସଙ୍ଗଠନର କାର୍ଯ୍ୟକର୍ତ୍ତା ନିଜକୁ ନିଜ ଦଳ ଭିତରେ ଅସହାୟ ଅନୁଭବ କଲେ।ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯଥେଷ୍ଟ ସୁଯୋଗ ଦିଆଯିବା ସତ୍ତ୍ୱେ ସେ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରି ବିଫଳ ହେଲେ।ଓଡ଼ିଶାରେ ଲୋକେ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଗ୍ରହଣ କଲେ ନାହିଁ କି, ତାଙ୍କୁ ନବୀନଙ୍କ ବିକଳ୍ପ ଭାବରେ ଦେଖିପାରିଲେ ନାହିଁ।ତଥାପି ଏବେ ବି ଧର୍ମେନ୍ଦ୍ର ସେହି ପ୍ରୟାସରୁ ଓହରି ନଥିବା ବେଳେ ଏଥିରେ ଆଉ ଜଣେ ପ୍ରତିଦ୍ବନ୍ଦୀ ସାମିଲ ହୋଇଛନ୍ତି, ଅପରାଜିତା ଷଡ଼ଙ୍ଗୀ।ଓଡ଼ିଶା ବିଜେପିରେ କ୍ଷମତା କେନ୍ଦ୍ର ହେବାକୁ ତଥା ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ନିଜକୁ ଉପସ୍ଥାପନ କରିବା ପାଇଁ ନେତୃତ୍ୱଙ୍କ ମଧ୍ୟରେ ଏବେ ଚାଲିଛି ଶୀତଳ ଯୁଦ୍ଧ।ଆଉ ଏହି ଶୀତଳ ଯୁଦ୍ଧର ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଏସବୁ ଭିତରେ ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଆସିବା ପରଠାରୁ ଅନେକ ତାଙ୍କୁ ଓଡ଼ିଶା ବିଜେପିର ଚେହେରା ଭାବରେ ଉପସ୍ଥାପନ କରୁଛନ୍ତି।ଅପରାଜିତାଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଥିଲେ ମଧ୍ୟ ସେ ଜିତିଥିଲେ।ବିଜେପିରେ ସାମିଲ ହୋଇ ୨୦୧୯ ନିର୍ବାଚନରେ ପ୍ରଥମ ପ୍ରଦାର୍ପଣରେ ସେ ଭୁବନେଶ୍ୱର ପରି ସମ୍ମାନଜନକ ଆସନରୁ ବିଜେପିକୁ ସଫଳତା ଦେଇଛନ୍ତି।ତେବେ, ୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି କେବଳ ଏକ ସାଂସଦ ହେବା ପାଇଁ ଯେ ସେ ରାଜନୀତିକୁ ଆସିନାହାଁନ୍ତି।ତାଙ୍କର ନିଶ୍ଚିତ କିଛି ବଡ଼ ମହତ୍ତ୍ୱକାଂକ୍ଷା ରହିଛି।ସାରା ଓଡ଼ିଶାକୁ ସେ ଫୋକସ୍ କରୁଛନ୍ତି।ନିର୍ବାଚନ ପୂର୍ବରୁ ଏବଂ ଏବେ ଜିତିବା ପରେ ଅପରାଜିତାଙ୍କ ଗତିବିଧି ମଧ୍ୟ ସେହିପରି ରହୁଛି।ଅପରାଜିତା ଷଡ଼ଙ୍ଗୀ କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭିତରେ ନିଜକୁ ସୀମିତ ନରଖି ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଗତି କରୁଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ ଅତିଥି ହେଉଛନ୍ତି।ଏଥିପାଇଁ ସ୍ୱତନ୍ତ୍ର ଭାବରେ ଏକ ରଣନୀତି ପ୍ରସ୍ତୁତ କରାଯାଉଛି।ନବୀନ ପଟ୍ଟନାୟକଙ୍କ ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ବିଫଳତା ପରେ ତୃଣମୂଳର ଏକ ସ୍ତରରୁ ଅପରାଜିତାଙ୍କୁ ବିଜେପିର ଚେହେରା ଭାବରେ ଉପସ୍ଥାପନା କରାଯାଉଛି।ବିଜେଡିକୁ କଡ଼ା ଟକ୍କର ଦେବାକୁ ହେଲେ ଅପରାଜିତାଙ୍କୁ ବିଜେପିର ଚେହେରା ଭାବରେ ଉପସ୍ଥାପନା କରାଯାଉ ବୋଲି ସ୍ୱର ଉଠୁଛି।

ଏ’ ଭିତରେ ଅପରାଜିତା ଏବେ ‘ଅଜିତା’ ନାମରେ ଏକ ମହିଳା ସଙ୍ଗଠନ ଆରମ୍ଭ କରିଛନ୍ତି।ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଆରମ୍ଭ ହୋଇ କ୍ରମଶଃ ଏହା ସାରା ଓଡ଼ିଶାରେ କାମ କରିବ ବୋଲି ଉଦ୍ଦେଶ୍ୟ ରହିଛି।ମହିଳା ସଙ୍ଗଠନ ସମେତ ଯୁବ ସଙ୍ଗଠନ ଉପରେ ମଧ୍ୟ ଅପରାଜିତାଙ୍କ ନଜର ରହିଛି।”ୟୁଥ୍ ଫର୍ ଆକ୍ସନ୍” ନାମରେ ସେ ଏକ ଯୁବା ସଙ୍ଗଠନ କରିବାକୁ ଯାଉଛନ୍ତି।ଜାନୁୟାରୀ ୧୨ ତାରିଖ ବିବେକାନନ୍ଦ ଜୟନ୍ତୀରେ ଏହା ଲଞ୍ଚ ହେବା।ଏହି ଯୁବା ସଙ୍ଗଠନ ମଧ୍ୟ ସାରା ରାଜ୍ୟରେ କାମ କରିବ।ଏ’ ସବୁ ଅଣ ରାଜନୈତିକ ସଙ୍ଗଠନ ବୋଲି କୁହାଯାଉଛି।ରାଜ୍ୟ ସରକାରଙ୍କ “ମିଶନ ଶକ୍ତି” ମହିଳା ସଙ୍ଗଠନକୁ ଟକ୍କର ଦେବା ପାଇଁ “ଅଜିତା” ଏବଂ “ବିଜୁ ଯୁବା ବାହିନୀ”କୁ ଟକ୍କର ଦେବା ପାଇଁ “ୟୁଥ୍ ଫର୍ ଆକ୍ସନ୍” ଯୁବା ସଙ୍ଗଠନ ଗଢ଼ା ଯାଉଥିବା କୁହାଯାଉଛି।ତେବେ କାହା ସହିତ ପ୍ରତିଯୋଗିତା ପାଇଁ ଏହାର ଗଠନ ନୁହେଁ ବୋଲି ଅପରାଜିତା କହୁଛନ୍ତି।ତେବେ ବିଜେପିରେ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଥାଉ ଥାଉ “ଅଜିତା” ବା “ୟୁଥ୍ ଫର୍ ଆକ୍ସନ୍”ର କାହିଁକି ବା ଆବଶ୍ୟକତା ପଡ଼ିଲା?କିଛି ଦିନ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପୂର୍ବତନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଅପରାଜିତା ଦଳ ଭିତରେ ନିଜସ୍ୱ ଏକ ସଙ୍ଗଠନ କରୁଛନ୍ତି।ତେବେ, ସେ ଅଭିଯୋଗର କ’ଣ କିଛି ସତ୍ୟତା ଥିଲା?ଅବଶ୍ୟ ଅପରାଜିତା ଘୋଷିତ ଭାବରେ ଏପରି ସଙ୍ଗଠନ କରୁଥିବା ବେଳେ ଧର୍ମେନ୍ଦ୍ରଙ୍କ ପକ୍ଷରୁ ପରୋକ୍ଷ ଭାବରେ ତାଙ୍କ ଅନୁଗତ ମାନଙ୍କ ମାଧ୍ୟମରେ “ନୂଆ ଓଡ଼ିଶାର ଧର୍ମପଦ: ଧର୍ମେନ୍ଦ୍ର” ନାମରେ ଗୋଷ୍ଠୀ କରି ତାଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନା କରାଯାଇ ଆସୁଅଛି।ତେବେ ଅପରାଜିତା ମୂଳ ସଙ୍ଗଠନ ଠାରୁ ଦୂରେଇ ନିଜସ୍ୱ ସଙ୍ଗଠନ କରୁଥିବା ଅଭିଯୋଗ କରାଯାଉଥିବା ବେଳେ ମୁଖ୍ୟ ଅଭିଯୋଗକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖ ଲୋକ ହରେକୃଷ୍ଣ ଖୁଣ୍ଟିଆଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ଦେବାଶିଷ ନାୟକ ଏବେ ସେହି “ୟୁଥ୍ ଫର୍ ଆକ୍ସନ୍” କାର୍ଯ୍ୟକ୍ରମର ସଂଯୋଜକ।ଯେଉଁ ଦେବାଶିଷ ନିକଟରେ ହରି ଖୁଣ୍ଟିଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।ଆଉ ସବୁଠାରୁ ବଡ଼ କଥା ହେଲା ୟୁଥ୍ ଫର୍ ଆକ୍ସନ୍ ସେହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସମାଜସେବୀ ସମୀର ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଏବଂ କ୍ରୀଡ଼ାବିତ ଦୂତି ଚାନ୍ଦ।ସମାଜସେବୀ ସମୀର ମହାନ୍ତି ବିଜେପି ନେତା ସମୀର ନୁହଁନ୍ତି।ସେ ହେଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ପୂର୍ବ ପ୍ରାନ୍ତ ସଂଘଚାଳକ!ନୁହେଁ କି ମାଷ୍ଟର ଷ୍ଟୋକ୍?ସଙ୍ଗଠନ ଠାରୁ ଦୂରେଇ ନିଜସ୍ୱ ସଙ୍ଗଠନ କରୁଥିବା କହୁଥିବା ଅଭିଯୋଗକାରୀଙ୍କ ମୁହଁ ଚୁପ୍!ମନେଥିବ, ଆଇଏଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିବା ସମୟରେ କାରଣ ଦର୍ଶାଇ ଅପରାଜିତା କହିଥିଲେ ଯେ, ରାଜନୀତି ଲୋକ ସେବା କରିବାର ଏକ ବଡ଼ ମାଧ୍ୟମ।ପ୍ରଶାସନିକ ଅଧିକାରୀ ହିସାବରେ ଏକ ସୀମିତ ବାତାବରଣ ଭିତରେ କାମ କରିବାକୁ ପଡ଼େ।କିନ୍ତୁ ରାଜନୀତି ଏକ ବଡ଼ ପ୍ଲାଟଫର୍ମ ଦେଇଥାଏ।ଏହାସହ ଅପରାଜିତା କହିଥିଲେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି।ଆଉ ଏବେ ଯାହା ଅନୁଭବ ହେଉଛି, ତାଙ୍କ ଟାର୍ଗେଟରେ ସଂପୂର୍ଣ୍ଣ ଓଡ଼ିଶାର ନେତୃତ୍ୱ ନେବାର ଅଭିଳାଷ ରହିଛି!/-ଦେବଦତ୍ତ ରଥ

ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.