Home ଓଡ଼ିଶା ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଷୀଙ୍କ ଅନଶନ ଆରମ୍ଭ

ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଷୀଙ୍କ ଅନଶନ ଆରମ୍ଭ

80

ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ରିଲେ ଅନଶନ ଆରମ୍ଭ କରାଯାଇଛି। ପ୍ରଥମ ଦିବସରେ ସଂଗଠନର ବରିଷ୍ଠ କର୍ମକର୍ତ୍ତା ଯଥା – ମୁରାରୀ ପୁରୋହିତ, ଅଶୋକ ପ୍ରଧାନ, ହରିଶଙ୍କର ପୁରୋହିତ ଏବଂ ଅନ୍ୟମାନଙ୍କ ସହିତ କୁଚିଣ୍ଡା ସବଡ଼ିଭିଜନର ୨୦୦ ଚାଷୀ ଧାରଣାରେ ବସିଥିଲେ। ପ୍ରତ୍ୟହ ଚବିଶ ଘଂଟା କରି ପୃଥକ ୨୦୦ ଜଣ ଲେଖାଏଁ ଚାଷୀ ରିଲେ ଅନଶନରେ ବସିବେ। ସମ୍ବଲପୁର ଜିଲ୍ଲା ସଂଗଠନ ସହିତ ସମ୍ପୃକ୍ତ ଚାଳିଶରୁ ଅଧିକ ଚାଷୀ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ୨୦୧୮ ମରୁଡ଼ିରେ ଶସ୍ୟ ହରାଇଥିଲେ ମଧ୍ୟ ଚାଷୀଙ୍କୁ ଶସ୍ୟବୀମାରୁ ବଞ୍ଚିତ କରିବା ବିରୁଦ୍ଧରେ ଚାଷୀ ଏହି ଅନଶନ ଅରମ୍ଭ କରିଛନ୍ତି। କୃଷି ବିଭାଗର କ୍ରପ କଟିଂ ରିପୋର୍ଟ କୁଚିଣ୍ଡା ସବ୍ଡ଼ିଭିଜନର ୫୫ଟି ପଞ୍ଚାୟତ ମରୁଡ଼ି ପ୍ରଭାବିତ ହୋଇଥିବା ପ୍ରମାଣିତ କରିଥିଲେ ମଧ୍ୟ ବୀମାରାଶି ମିଳିଲା ନାହିଁ। ୧୬୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବୀମାରାଶି ମିଳିବା ଚାଷୀଙ୍କ ହକ୍ ଥିଲା। ମାତ୍ର ବୀମା ସଂସ୍ଥା ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ ପ୍ରଶାସନିକ କ୍ରପ କଟିଂ ରିପୋର୍ଟକୁ ଗ୍ରହଣ କରିନାହିଁ କିମ୍ବା ଜିଲ୍ଲା ପ୍ରଶାସନର ଦଲିଲ ଓ ଅନୁରୋଧକୁ ରକ୍ଷା କରିନାହିଁ।

କ୍ରପ କଟିଂ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ଫସଲ ବୀମାର ପ୍ରାପ୍ୟ ଚାଷୀ ମାନଙ୍କୁ ପ୍ରଦାନ କରାଯିବା, ଗତ ବର୍ଷର ବୀମା କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ କରାଯିବା, ଏହି ଫସଲ ବୀମା ଯୋଜନାର ଘରୋଇକରଣ ବନ୍ଦ କରାଯିବା, ଏଥିରେ ସାମିଲ ଘରୋଇ ବୀମା କମ୍ପାନୀ ମାନଙ୍କୁ ବାଦ ଦିଆଯାଇ ରଷ୍ଟ୍ରାୟତ୍ତ ବୀମା ସଂସ୍ଥା ଜରିଆରେ ଏହି ବୀମା ଯୋଜନା କାର୍ଯ୍ୟକାରୀ କରିବା, ଡ଼. ସ୍ୱାମୀନାଥନ କମିଟୀର ସୁପାରିଶ ଅନୁଯାୟୀ ଧାନ ପ୍ରଭୃତି ଫସଲର ସର୍ବ ନିମ୍ନ ସହାୟକ ମୁଲ୍ୟ (ଏମଏସପି) ବୃଦ୍ଧି କରିବା, ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରି ଅଭାବୀ ଧାନ ବିକ୍ରୀରୁ ଚାଷୀମାନଙ୍କୁ ମୁକ୍ତ କରିବା, ଗହମ ଭଳି ଧାନର ସହାୟକ ମୂଲ୍ୟ ବଢାଇବା, କେନ୍ଦ୍ର ସରକାରଙ୍କ ପ୍ରତିଶୃତି ମୁତାବକ ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ କରିବା, ରାଜ୍ୟ ସରକାର ଚାଷୀମାନଙ୍କୁ ବୋନସ ଦେବା, ଚାଷୀ ଏବଂ ଦେଶର ଅର୍ଥନୀତିର ବିପରୀତ ରିଜିଓନାଲ କମ୍ପ୍ରହେନସିପ ଇକୋନୋମିକ ପାର୍ଟନରସିପ- ଆରସିଇପି (ଟ୍ରେଡ଼ ଏଗ୍ରିମେଂଟ) ଚୁକ୍ତିନାମାରୁ କେନ୍ଦ୍ର ସରକାର ଦୂରେଇ ରହିବା ଆଦି ଦାବି ନେଇ ଏହି ରିଲେ ଅନଶନ କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ ଯେ, ଏହି ଦାବି ନେଇ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟାୟ କ୍ରମେ ଚାଷୀ ଆନ୍ଦୋଳନ ଜାରୀ ରହିଛି। ବିଭିନ୍ନ ସମୟରେ ସଭା, ସମାବେଶ, ରେଲି ମାଧ୍ୟମରେ ସରାକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତମାସ ସମ୍ବଲପୁର ଜିଲ୍ଲାର କଚିଣ୍ଡା ସବଡ଼ିଭିଜନର ବାମରା ଆଦି ଦୁଇଟି ଜାଗାରେ ରେଳ ଅବରୋଧ କରାଯାଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରିଲେ ଅନଶନ ଜାରୀ ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.