Home Top News ଅତ୍ୟଧିକ ପ୍ରଶଂସାର ଉଦ୍ଦେଶ୍ୟ

ଅତ୍ୟଧିକ ପ୍ରଶଂସାର ଉଦ୍ଦେଶ୍ୟ

102

ସାଧାରଣତଃ ଆମ୍ଭେମାନେ ଅନ୍ୟମାନଙ୍କ ମୁହଁରୁ ନିଜର ପ୍ରଶଂସା ଶୁଣିବାକୁ ଭଲ ପାଇଥାଉ। ସମାଜରେ କିଛି ଲୋକ ଅଛନ୍ତି ସେମାନେ ଅନ୍ୟର ପ୍ରଶଂସା କରି ନିଜର ସ୍ୱାର୍ଥ ସାଧନ କରୁଥିବା ବେଳେ ଆଉ କିଛି ଲୋକ ଅନ୍ୟକୁ ଅତ୍ୟଧିକ ପ୍ରଶଂସା କରି ସେମାନଙ୍କୁ ଅସୁବିଧାରେ ପକାଇଥାନ୍ତି। ପ୍ରଶଂସା ଶୁଣିବା ବେଳେ ଅତ୍ୟଧିକ ଖୁସି ନହୋଇ, ଟିକେ ଚିନ୍ତା କରିବା ଆବଶ୍ୟକ ଯେ ପ୍ରଶଂସାରେ କିଛି ସତ୍ୟାସତ୍ୟ ଅଛି ନା କେବଳ ପବନ। ଏହି ପରିପ୍ରେକ୍ଷୀରେ ଗୁରୁଙ୍କ ଠାରୁ ଶୁଣିଥିବା ପ୍ରେରଣାପଦ କାହାଣୀଟିଏ ମନେ ପଡ଼େ।

ଗଛ ଡାଳରେ ଗୋଟିଏ କାଉ ଥଂଟରେ ମାଛ ଧରି ବସିଥିବାର ବିଲୁଆ ଦେଖିଲା। ବିଲୁଆର ବହୁତ ଲୋଭ ହେଲା କେମିତି ସେ ମାଛ ଖାଇବ। ବିଲୁଆ ବଡ଼ ଚତୁର, ସେ କାଉ ଥଂଟରୁ ମାଛ ଆଣି ଖାଇବ ବୋଲି ଏକ ଉପାୟ ପାଂଚିଲା। ସେ କାଉକୁ କହିଲା କଳା ରଙ୍ଗକୁ ଅନେକ ନାପସନ୍ଦ କରିଥାନ୍ତି କିନ୍ତୁ କାଉ ଭାଇ ତୁମକୁ କଳା ରଙ୍ଗ ଖୁବ ମାନୁଛି। ସୂର୍ଯ୍ୟ କିରଣରେ ତୁମର କଳା ଦେହଟା କେତେ ସୁନ୍ଦର ଦେଖାଯାଉଛି, ତମ ପରି ସୁନ୍ଦର ଚେହେରା ମୁଁ କେଉଁଠି ଦେଖିନି। କି ରୂପ ତୁମର, “ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ”। ତୁମର ଥଂଟକୁ କ’ଣ ବର୍ଣ୍ଣନା କରିବି ? ଏମିତିକା ଲମ୍ବା, ଚିକଣ ଓ ମୁନିଆ ଥଂଟ ମୁଁ କେଉଁଠି ଦେଖିନି। ସବୁଠାରୁ ସୁନ୍ଦର ତୁମର ଆଖି ଯାହାକୁ ମୁଁ ଭାଷାରେ ପରିପ୍ରକାଶ କରିପାରୁନି। ଭଗବାନଙ୍କ ଲୀଳା ବଡ ବିଚିତ୍ର, ତମକୁ ଏତେ ସୁନ୍ଦର ରୂପ ଦେଲେ କିନ୍ତୁ ଦୁଃଖର କଥା ତୁମେ କଥା କହି ପାରୁ ନାହଁ। ଯଦି କଥା କହିପାରୁ ଥାନ୍ତ ତା’ହେଲେ ପକ୍ଷୀ ମାନଙ୍କ ରାଜା ତୁମେ ହିଁ ହୋଇଥାନ୍ତ। ବିଲୁଆ ପାଟିରୁ ପ୍ରଶଂସା ଶୁଣି କାଉ ଫୁଲି ଫୁଲି ପେଣ୍ଡୁ ପରି ହୋଇଗଲା ଓ ଭାବିଲା ବିଲୁଆଟା ବୋକା ସେ ଜାଣିନି ଯେ ମୁଁ କଥା କହିପାରେ ବୋଲି। ଯଦି ମୁଁ ତାକୁ ମୋର ସୁନ୍ଦର ସ୍ୱରରେ କିଛି ଶୁଣେଇଦେବି ସେ ଆଶ୍ଚର୍ଯ୍ୟ ହୋଇଯିବ। ତା’ପରେ କାଉ ଆରମ୍ଭ କରିଦେଲା ତାର କା… କା… ରାବ। କାଉ ଯେତେବେଳେ ଥଂଟ ଖୋଲି କା ରାବ ଦେଇଛି ତା’ର ମାଛଟା ଗଛ ତଳକୁ ଖସି ପଡିଲା। ବିଲୁଆ ତ ସେହି ସୁଯୋଗରେ ଥିଲା ତେଣୁ ସେ ସଂଗେ ସଂଗେ ମାଛକୁ ଖାଇଦେଲା। ବିଲୁଆ ମାଛ ଖାଇ ସାରି ହସି ହସି କହିଲା ମୁଁ ଜାଣେ ଖୁବ ସୁନ୍ଦର ଭାବେ ତୁମେ କଥା କହିପାର। କିନ୍ତୁ ତୁମ ପାଖରେ ବୁଦ୍ଧିର ଅଭାବ ଅଛି। କାଉ କହିଲା ଯଦି ମୋର ଟିକେ ବି ବୁଦ୍ଧି ଥାଆନ୍ତା ତା ହେଲେ ତୁମ ପ୍ରଶଂସାରେ ମୁଁ ଏତେ ଖୁସି ହୋଇନଥାନ୍ତି କି ତମେ ମୋ ମାଛ ଖାଇ ପାରି ନଥାନ୍ତ।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.