Home ଜିଲ୍ଲା ପରିକ୍ରମା ଅଘଟଣ ବିହୀନ ନିର୍ବାଚନୀ ପରିଚାଳନା ଉପରେ ଗୁରୁତ୍ୱ, ଜିଲ୍ଲାସ୍ତରୀୟ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ,...

ଅଘଟଣ ବିହୀନ ନିର୍ବାଚନୀ ପରିଚାଳନା ଉପରେ ଗୁରୁତ୍ୱ, ଜିଲ୍ଲାସ୍ତରୀୟ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ, ପ୍ରତି ୩ ଦିନରେ ବୁଥ୍ ସ୍ତରୀୟ ସମନ୍ୱୟ ବୈଠକ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

8

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ -୨୦୨୪ ଅବସରରେ ଭଦ୍ରକ ଜିଲ୍ଳାର ୫ଟି ବିଧାନସଭା ଓ ୧ଟି ଲୋକସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନକୁ ଅବାଧ, ମୁକ୍ତ, ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସମସ୍ତ ଦିଗରେ ପ୍ରସ୍ତୁତି ଜୋରଦାର କରାଯାଉଛି ।ଏହି ପରିପ୍ରେକ୍ଷୀରେ ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ୫ଜଣ ରିଟର୍ଣ୍ଣିଂ ଅଧିକାରୀ ଯଥା ଦୁଇ ଅତିରକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସମ୍ବିତ କୁମାର ଗଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ଏବଂ ଦୁଇ ଏ.ଏସ୍‌.ପି. ବାମଦେବ ସିଂ ଓ ବିଜୟ ରଞ୍ଜନ କେରକେଟା ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ମତାମତ ରଖିଥିଲେ ।

ସଂପୃକ୍ତ ସମସ୍ତ ଥାନାଧିକାରୀ, ତହସିଲଦାର ଓ ବି.ଡ଼ି.ଓ. ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, ଫ୍ଲାଇଂ ସ୍କାଡ଼୍ ଟିମ୍ ଓ ସର୍ଭେଲାନସ୍ ସ୍କାର୍ଡ଼ ଟିମ୍ ଦ୍ୱାରା ଅବୈଧ ଅର୍ଥ, ଅବକାରୀ ଆଦି ଜବଦ୍‌, ଗତ ପଞ୍ଚାୟତ, ସାଧାରଣ ଓ ଉପ ନିର୍ବାଚନ ସମୟରେ ଘଟିଥିବା ନିର୍ବାଚନୀ ସମ୍ବନ୍ଧୀୟ ମୋକଦ୍ଦମା ଗୁଡ଼ିକର ସମାଧାନ, ଆଇନ୍ ଶୃଙ୍ଖଳା ରକ୍ଷା ନେଇ ପ୍ରତିଦିନ ତଥ୍ୟ ପ୍ରଦାନ, ସି.ଆର.ପି.ସି. ଧାରା ୧୦୭, ୧୦୯, ୧୧୦, ୧୪୪ ସଂକ୍ରାନ୍ତୀୟ ପ୍ରୋସିଡ଼ିଂସ୍ ର ଡ଼ିସ୍‌ପୋଜାଲ୍‌, ଲାଇସେନ୍‌ସ୍ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ସରେଣ୍ଡର ନେଇ ନିଶ୍ଚିତତା, ଆଦର୍ଶ ଆଚରଣବିଧି ଓ ମତଦାନ ପାଇଁ ଜୋନାଲ ମାଜିଷ୍ଟ୍ରେଟ୍‌, ସେକ୍ଟର ମାଜିଷ୍ଟ୍ରେଟ୍ ଏବଂ ପୋଲିସ୍ ମଧ୍ୟରେ ସମନ୍ୱୟ ରକ୍ଷା, ବାକି ଥିବା ସମସ୍ତ ଫୌଜଦାରୀ ମୋକଦ୍ଦମା ସମ୍ବନ୍ଧରେ ପୋଲିସ୍ ରିପୋର୍ଟ, ଅବୈଧ ଅବକାରୀ ପ୍ରସ୍ତୁତି, ବିକ୍ରୟ , ଅଣ ଅନୁମୋଦିତ ମଦ ଦୋକାନ ଉଚ୍ଛେଦ, ଆଦର୍ଶ ଆଚରଣ ବିଧି ଉଂଲ୍ଲଘନ ନେଇ ସାମାଜିକ ଗଣ ମାଧ୍ୟମରେ ଗୁଜବ ପ୍ରଚାର ଆଦି ସମ୍ବନ୍ଧରେ ଏହି ବୈଠକରେ ବିସ୍ତାର ଭାବେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପ୍ରତିକାର ପାଇଁ ଆବଶ୍ୟକ ମତେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସମସ୍ତ ବୁଥ୍ ବିଶେଷ କରି ସଖୀ ଓ ମିଳିତ ବୁଥ୍ ସବୁର ନିରାପତ୍ତା ଓ ପାନୀୟ ଜଳ, ଶୌଚାଳୟ, ରାମ୍ପ, ବିଦ୍ୟୁତ ସଂଯୋଗ, ହ୍ୱିଲ୍ ଚେୟାର ଆଦି ଭଳି ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍‌ଧ ନେଇ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟକି ସଖୀ ବୁଥରେ ସମସ୍ତ ପୋଲିସଂ ଅଧିକାରୀ ମହିଳା ଓ ମିଳିତ ବୁଥ୍‌ରେ ୩ୟ, ୪ର୍ଥ ଓ ୫ମ ପୋଲିଂ ଅଧିକାରୀ ମହିଳା ରହିବେ ।

ଏହି ପରିପ୍ରେକ୍ଷୀରେ ଡ଼ିସ୍‌ପରସାଲ ବା ମତଦାନ ପୂର୍ବଦିନ ମହିଳା ପୋଲିଂ ଅଧିକାରୀମାନଙ୍କ ରହିବା ପାଇଁ ବ୍ଲକ୍ ଓ ପୌରାଞ୍ଚଳ ସଦର ମହକୁମାରେ ଯେଉଁ ହବ୍ କରାଯିବ ସେଥିରେ ମଧ୍ୟ ସର୍ବନିମ୍ନ ସମସ୍ତ ମୌଳିକ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା ଉପଲବ୍‌ଧ ନେଇ ଯାଞ୍ଚ କରାଯିବ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍କ୍ରିନିଂ କମିଟିର ନିର୍ଦ୍ଦେଶମତେ ଜିଲ୍ଲାର ସମସ୍ତ ଲାଇସେନସ୍ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଆଦି ସରେଣ୍ଡର ପାଇଁ ନୋଟିସ୍ ଜାରି କରାଯାଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏ ସମ୍ବନ୍ଧରେ ତଦନ୍ତ ଓ ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଆଇ.ଆଇ.ସି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଇନ୍‌ରୁ ଅବ୍ୟାହତି ପାଇଁ କୌଣସି ଅନୁଷ୍ଠାନ ବା ବ୍ୟକ୍ତି ଯୋଗ୍ୟ ବିବେଚିତ ହେଉଥିଲେ । ଜିଲ୍ଲା ସ୍କିନଂ କମିଟିକୁ ଆବେଦନ କରିପାରିବେ ବୋଲି ମଧ୍ୟ କୁହାଯାଇଛି । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ୬୦% ବୁଥ୍‌ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସାମାଜିକ ଗଣମାଧ୍ୟମ ଜରିଆରେ ଆଗତ ମିଥ୍ୟା କିମ୍ବା ସତ୍ୟ ଅଭିଯୋଗ ପ୍ରତି ସମସ୍ତ ଥାନାଧିକାରୀ ଓ ତହସିଲଦାରମାନେ ସଜାଗ ରହିବେ ଓ ତଦନ୍ତ କରି ତଦନୁଯାୟୀ ପଦକ୍ଷେପ ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇପାରିବେ । ଇ.ସି.ଆଇ.ଙ୍କ ନିର୍ଦ୍ଦେଶ ମତେ ପ୍ରାର୍ଥୀ ଓ ଦଳ ତରଫରୁ ଶୋଭାଯାତ୍ରା, ସଭାସମିତି ଆଦି ପାଇଁ ୪୮ ଘଣ୍ଟା ଅବଧି ପୂର୍ବରୁ ସୁବିଧା ଆପ୍‌ରେ ଆବେଦନ କରିପାରିବେ ଏବଂ ବିଭାଗୀୟ ଅଧିକାରୀମାନେ ତାହାର ତଦନ୍ତ କରି ସେହି ପୋର୍ଟଲ ଜରିଆରେ ଅନୁମତି ପ୍ରଦାନ କରିବେ । ଡ଼େପୁଟି କଲେକ୍ଟର ନିର୍ବାଚନ ସାଗରିକା ସାହୁ, ଡ଼େପୁଟୀ କଲେକ୍ଟର ଜୁଡ଼ିସିଆଲ କାର୍ତ୍ତିକ ନାଥ ମଣ୍ଡଳ ଏହି ବୈଠକ ଆୟୋଜନରେ ଆନୁସାଙ୍ଗିକ ସହଯୋଗ କରିଥିଲେ । ଅନ୍ୟ ସମସ୍ତ ଡ଼େପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ସମସ୍ତ ବି.ଡ଼ି.ଓ, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଡ଼ି.ଏସ୍‌.ପି.ଡ଼ି.ଆଇ.ବି. ପ୍ରଭାତ କୁମାର ବିଶ୍ୱାଳଙ୍କ ସହ ଜିଲ୍ଲାର ସମସ୍ତ ଏସ୍‌.ଡ଼ି.ପି.ଓ. ସମସ୍ତ ଥାନାଧିକାରୀ, ଇନିସ୍‌ପେକ୍ଟରମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.