Home Top News ଢ଼େଙ୍କାନାଳ ଓ ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ : ଓଡିଶାରେ ଓବିସି ବର୍ଗଙ୍କୁ ରାଜ୍ୟ...

ଢ଼େଙ୍କାନାଳ ଓ ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ : ଓଡିଶାରେ ଓବିସି ବର୍ଗଙ୍କୁ ରାଜ୍ୟ ସରକାର ଉଚିତ୍ ନ୍ୟାୟ ପ୍ରଦାନ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

71

– ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କନ୍ଦରସିଂହା ସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ
– ଢ଼େଙ୍କାନାଳ ପରଜଙ୍ଗ ପଂଚାୟତ ଜହ୍ନାପଡ଼ା ଗ୍ରାମର ଦଳିତ ପରିବାର ଶରତ ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ
– ଦେଶରେ ମୋଦି ସରକାର ୪୦୦ରୁ ଅଧିକ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ୱୀକୃତି ଦେଇଛନ୍ତି
– ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣର କାର୍ଯ୍ୟ ଚାଲୁଅଛି
– ତାଳଚେରରେ ଏମସିଏଲ ଦ୍ୱାରା ପ୍ରସ୍ତୁତ ମେଡିକାଲ କଲେଜ ନିର୍ମାଣ ଭିତିଭୂମିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ଅନୁରୋଧ
– ନବ ନିର୍ବାଚିତ ପରଜଙ୍ଗ ବ୍ଲକର ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଲେ
– ଅନେକ ରାଜନୈତିକ କାର୍ଯ୍ୟକର୍ତାଙ୍କୁ ଦଳରେ ସ୍ୱାଗତ ସହ ନିଃସ୍ୱାର୍ଥପର ଭାବରେ ଲୋକଙ୍କ ସେବା କରିବାକୁ ପରାମର୍ଶ
– ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟା ଯୋଗୁଁ ପଛୁଆ ବର୍ଗ ମୁଖ୍ୟସ୍ରୋତରେ ଯୋଡି ହେଉଛନ୍ତି

ଭୁବନେଶ୍ୱର/ଢ଼େଙ୍କାନାଳ/ଅନୁଗୋଳ, ଏପ୍ରିଲ ୧୪ (ଓଡ଼ିଆ ପୁଅ) – ଓଡିଶାରେ ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରି ରାଜ୍ୟ ସରକାର ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ପ୍ରଦାନ କରନ୍ତୁ ବୋଲି ଗୁରୁବାର ଢେଙ୍କାନାଳ ଓ ଅନୁଗୋଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତିନିଦିନିଆ ଢ଼େଙ୍କାନାଳ ଓ ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତୀୟ ସମ୍ବିଧାନର ନିର୍ମାତା ଓ ସାମାଜିକ ନ୍ୟାୟର ପ୍ରଣେତା ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ସ୍ଥିତ ତାଙ୍କ ପ୍ରତିମୂର୍ତିରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷିତ, ସଶକ୍ତ ଏବଂ ନ୍ୟାୟସଙ୍ଗତ ସମାଜ ନିର୍ମାଣ ପାଇଁ ବାବାସାହେବ ଆମ୍ବେଦକରଙ୍କ ବିଚାର ଏବଂ ପ୍ରଚେଷ୍ଟା ପିଢି ପିଢ଼ି ଧରି ସମସ୍ତଙ୍କୁ ପ୍ରେରିତ କରିବ। ଆଜୀବନ ସମରସତା, ପଛୁଆ ଏବଂ ଶୋଷିତଙ୍କ ଉତଥାନ ପାଇଁ ସଂଘର୍ଷ କରିଥିବା ରାଷ୍ଟ୍ରନାୟକ ଆମ୍ବେଦକରଙ୍କ ସିଦ୍ଧାନ୍ତରେ ଚାଲୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ମନ୍ତ୍ର ଦ୍ୱାରା ବଂଚିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବାରେ ସହାୟକ ହେଉଛି। ଦେଶର ପ୍ରଗତିରେ ତାଙ୍କର ଯୋଗଦାନ ମୂଲ୍ୟବାନ। ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡକ୍ଟର ବି ଆର୍ ଆମ୍ବେଦକରଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

ସେ କହିଛନ୍ତି ଯେ ମୋଦି ସରକାର ପଛୁଆ, ଆର୍ôଥକ ଅନଗ୍ରସର, ଜନଜାତି, ଦଳିତ ଓ ବଂଚିତ ବର୍ଗର ଲୋକଙ୍କୁ ଶିକ୍ଷା, ଚାକିରି ଓ ଅନେକ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପ୍ରଦାନ କରୁଛନ୍ତି। ଏହି ବର୍ଗର ଲୋକଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରି ନ୍ୟାୟ ଦେବା ତଥା ସେମାନଙ୍କୁ ସ୍ୱାଭିମାନ, ସମ୍ପନ୍ନ ଓ ସ୍ୱାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ ରାଜ୍ୟ ସରକାର ମଧ୍ୟ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରନ୍ତୁ।

ଶ୍ରୀ ପ୍ରଧାନ ପରଜଙ୍ଗ ପଂଚାୟତ ଜହ୍ନାପଡ଼ା ଗ୍ରାମର ଦଳିତ ପରିବାର ଶରତ ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରିଛନ୍ତି ଯେ ସମାଜରେ ସାମାଜିକ ଦୃଷ୍ଟିରୁ ପଛୁଆ, ଆର୍ôଥକ ଦୃଷ୍ଟିରୁ ଅନଗ୍ରସର ଓ ବଂଚିତ ବର୍ଗର ଲୋକଙ୍କୁ ବିକାଶର ମୁଖ୍ୟସ୍ରୋତରେ ଯୋଡ଼ିବା ହେଉଛି ଡ଼. ବି.ଆର ଆମ୍ବେଦକର ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ମନ୍ତ୍ର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣର ସଂକଳ୍ପ। ଆମ ଦଳର କାର୍ଯ୍ୟକର୍ତା ଶରତ ଭାଇଙ୍କ ପରିବାର ସହ ମୁଁ ମିଶିଲି, କଥା ହେଲି। ମୋତେ ଶ୍ରଦ୍ଧା, ସ୍ନେହ ଓ ଆପଣାର ସହ ସେ ଖାଇବାକୁ ଦେଲେ। ତାଙ୍କର ଅମାୟିକ ବ୍ୟବହାର ଦେଖି ମୋତେ ଖୁସି ଲାଗିଲା।

ଅପରପକ୍ଷରେ ଅନୁଗୋଳ ଗାନ୍ଧିନଗର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ -୧କୁ ଗସ୍ତ କରି ସ୍କୁଲ ପରିସର, ଶ୍ରେଣୀଗୃହ, ପାଠାଘର ଦେଖିବା ସହ ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କଥା ହୋଇଥିଲେ। ଏ ନେଇ ଗଣମାଧ୍ୟମ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ମୋଦି ସରକାର ୪୦୦ରୁ ଅଧିକ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ୱୀକୃତି ଦେଇଛନ୍ତି। ସେଥିମଧ୍ୟରୁ ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ପାଇଁ ମୋଦି ସରକାର ଅନୁମତି ଦେଇଛନ୍ତି। ଏ ଦିଗରେ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲ୍ ୧୦୦୦ କୋଟି ଟଙ୍କା ବ୍ୟୟରେ ଏଠାରେ ମେଡିକାଲ କଲେଜ ପାଇଁ ଭିତିଭୂମି ନିର୍ମାଣ କରିସାରିଛି। ଏହାକୁ ରାଜ୍ୟ ସରକାର ପରିଚାଳନା କରିବାର ଦାୟତ୍ୱ ତୁରନ୍ତ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଓଡିଆ ପିଲାମାନେ ଶସ୍ତାରେ ଡାକ୍ତରୀ ଶିକ୍ଷା ପଇବା ସହ ଲୋକମାନେ ଉତମ ଚିକିତ୍ସା ସୁବିଧା ପାଇପାରିବେ ଓ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲ ତିଆରି ହୋଇପାରିବ।

ସେହିପରି ପରଜଙ୍ଗ ବ୍ଲକ ଦାନିତୋଟା ଠାରେ ଆୟୋଜିତ କାର୍ଯ୍ୟକର୍ତା ସମ୍ବର୍ଦ୍ଧନା ସଭାରେ ନବ ନିର୍ବାଚିତ ପରଜଙ୍ଗ ବ୍ଲକର ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କୁ ପାର୍ଟିକୁ ସ୍ୱାଗତ କରିବା ସହ ଦଳରେ ସେମାନଙ୍କ ଯୋଗଦାନ ପାର୍ଟିକୁ ସୁଦୃଢ଼ କରିବ ବୋଲି କହିଛନ୍ତି। ଆମେ ରାଜନୈତିକ କାର୍ଯ୍ୟକର୍ତା। ଆମକୁ ନିଃସ୍ୱାର୍ଥପର ଭାବରେ ଲୋକଙ୍କ ସେବା କରିବାକୁ ପଡ଼ିବ। ସେବା କଲେ ସାଧାରଣ ଲୋକଙ୍କର ଆସ୍ଥାଭାଜନ ହେବାକୁ କାର୍ଯ୍ୟକର୍ତାଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜଳ ଜୀବନ ମିଶନରେ ଘରକୁ ପାଇପରେ ବିଶୁଦ୍ଧ ଜଳ, ପିଏମ କିଷାନ, ଜନଧନରେ ବ୍ୟାଙ୍କ୍ ଖାତାକୁ ସିଧା ଟଙ୍କା ଓ ଅନ୍ୟାନ୍ୟ ଯୋଜନାରେ ମିଳୁଥିବା ଲାଭ ଉପରେ ମତ ପ୍ରକାଶ କରିଥିଲେ।

ଶ୍ରୀ ପ୍ରଧାନ ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଠାରେ ଗଡ଼ଜାତ ଆନ୍ଦୋଳନ ସମୟରେ ଜହ୍ନାପଡ଼ା ଗୁଳିକାଣ୍ଡରେ ଶହୀଦ ହୋଇଥିବା ବୀର, ବେନୁଙ୍କ ସ୍ମତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ସ୍ୱାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁ ସିଂହଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନବ ବର୍ଷ, ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ପବିତ୍ର ଦିବସରେ ଢ଼େଙ୍କାନାଳ ପରଜଙ୍ଗର ଗ୍ରାମଦେବତୀ ମା’ ମହାପାଟ ଠାକୁରାଣୀ ଓ ହନୁମାନ ମନ୍ଦିରକୁ ଯାଇ ପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।

ହନୁମାନ ଜୟନ୍ତୀ ଅବସରରେ ଅନୁଗୋଳର ଜିଲ୍ଲା କାର୍ଯ୍ୟଳୟରେ ମହବିଷୁବ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ମୋଦି ସରକାର ନ ଆସିବା ପର୍ଯ୍ୟନ୍ତ ଅଧିକରୁ ଅଧିକ କାମ କରିବାକୁ ହେବ। ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ନିମ୍ନ ଶ୍ରେଣୀର ଲୋକଙ୍କ ପାଖରେ ପହଁଚୁଛି ନା ନାହିଁ, ତାକୁ ତଦାରଖ କରିବାକୁ କାର୍ଯ୍ୟକର୍ତାଙ୍କୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.