Home Top News ଆଜିଠାରୁ ଆରମ୍ଭ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ...

ଆଜିଠାରୁ ଆରମ୍ଭ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

30

ତାଳଚେର, ୧୪/୪ (ଓଡ଼ିଆ ପୁଅ) : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କର ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହେବ। ମହାମାରୀ କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା’ ଙ୍କ ବାର୍ଷିକ ଯାତ୍ରା କେବଳ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥଲା। ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ହିଙ୍ଗୁଳା ମନ୍ଦିର ଓ ଉଭାସ୍ଥଳୀର ଚତୁଃପାର୍ଶ୍ୱ ସହ ବିଭିନ୍ନ ଛକ ଜାଗାରେ ପୋଲିସ ଫୋର୍ସ ମୂତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତାହା ସହିତ ମା’ଙ୍କ ପୂଜା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି। କରୋନା ଯୋଗୁଁ ମା’ଙ୍କ ଯାତ୍ରାରେ ଛୋଟ ଛୋଟ ପିଲା ମାନଙ୍କର ମୁଣ୍ଡନ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ଚଳିତ ବର୍ଷ ମୁଣ୍ଡନ କାର୍ଯ୍ୟକ୍ରମ ଗୋଚ୍ଛାୟତ ସାହି ପୋଖରୀ ପାଖ ସହିତ ଉଭାସ୍ଥଳୀ ଓ କୁଟେଇଶୁଣୀ ମନ୍ଦିର ପାଖରେ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେହିପରି ୯ ଦିନ ଧରି ଆୟୋଜିତ ହେବାକୁ ଥିବା ୧୮ତମ ଲୋକ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟା ୬.୩୦ ମିନିଟରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷାଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟ ବାହାରୁ ତଥା ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ମା’ଙ୍କ ମନ୍ଦିର ନିକଟସ୍ଥ ପଡିଆରେ ଏକ ସଦୃଶ୍ୟ ଖୋଲା ମଂଚ ପ୍ରସ୍ତୁତ କରାଯାଇଛି। ମଂଚ ନିକଟସ୍ଥ ପଡିଆରେ ତିନି ଶହ ଷ୍ଟଲ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିର୍ମାଣ କରାଯାଇଥିବା ବେଳେ ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ, ଫାଷ୍ଟଫୁଡ, ଖେଳନା, ମନୋହରୀ ସାମଗ୍ରୀ ତଥା ଘର ଉପକରଣ ସାମଗ୍ରୀ ବିକ୍ରୀ ପାଇଁ ବ୍ୟବସାୟୀମାନଙ୍କୁ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଆବଣ୍ଟନ କରାଯାଇଛି। ମନ୍ଦିର ପରିସରରେ ଥିବା ହାଇମାସ୍କ ଲାଇଟ ଗୁଡିକର ମରାମତି କାର୍ଯ୍ୟ ତଥା ମା ଙ୍କ ଉଭାସ୍ଥଳୀକୁ ଏମ୍‌ସିଏଲ୍ ପକ୍ଷରୁ ଆଲୋକୀକରଣ କାର୍ଯ୍ୟ କରାଯାଇଛି। ଉଭାସ୍ଥଳୀ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯିବ ସହ ମାଙ୍କ ଅବିର୍ଭାବସ୍ଥଳୀକୁ ବାଉଁଶ ବାଡ ଓ ଅସ୍ଥାୟୀ ଇଟା ପାଚେରୀ ଦ୍ୱାରା ଆବଦ୍ଧ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ପାନୀୟ ଜଳ, ସର୍ବତ, ଆଖୁରସ, ଆଇସକ୍ରିମ, ତରଭୂଜ, ପଣା ସହ ବିଭିନ୍ନ ଖାଦ୍ୟ ମାଗଣାରେ ବିତରଣ କରାଯିବ। ଏଥିପାଇଁ ମନ୍ଦିର ତଥା ଉଭାସ୍ଥଳୀର ଆଖପାଖ ଅଂଚଳରେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ଟେଣ୍ଟ ନିର୍ମାଣ କରାଯାଇଛି। ମା’ଙ୍କ ଉଭାସ୍ଥଳୀ ନିକଟରେ ଶ୍ରଦ୍ଧାଳୁମାନଙ୍କର ଭିଡ ପରିଲକ୍ଷିତ ହେଉଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଉଭାସ୍ଥଳୀ ପାଖରେ ଏକ ସଦୃଶ୍ୟ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ଚତୁଃପାର୍ଶ୍ୱ ଓ ଉଭାସ୍ଥଳୀ ନିକଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ମା’ଙ୍କ ଉଭାସ୍ଥଳୀ ନିକଟରେ ପୋଲିସ, ଅଗ୍ନିଶମ ବାହିନୀ, ରେଡକ୍ରସ ତଥା ସୂଚନା ଭବନ ପାଇଁ ସ୍ୱତନ୍ତ୍ର ଭାବରେ ଷ୍ଟଲ ନିର୍ମାଣ କରାଯାଇଛି। ମା’ଙ୍କ ଏହି ଅନନ୍ୟ ଯାତ୍ରା କିପରି ନିବିଘ୍ନରେ ତଥା ଶାନ୍ତିଶୃଙ୍ଖଳାର ସହ ସମାପନ ହେବ, ସେଥିପାଇଁ ମା’ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ବିଭିନ୍ନ ପର୍ଯ୍ୟାୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏମ୍‌ସିଏଲ୍ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଏହି ଅବସରରେ ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ସ୍ମରଣିକା “ଅଗ୍ନିସ୍ନାତା” ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ମାସ ୨୩ ତାରିଖ ଦିନ ମା’ଅଗ୍ନିରୂପାଙ୍କର ଶୀତୁଳା ପର୍ବ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ସନ୍ଧ୍ୟାରେ ଲୋକ ମହୋତ୍ସବ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.