Home ଓଡ଼ିଶା ହତ୍ୟା ଅଭିଯୋଗ : ମୃତ୍ୟୁର ୩ ମାସ ପରେ ମାଟିତଳୁ ବାହାର କରାଗଲା ଶବ

ହତ୍ୟା ଅଭିଯୋଗ : ମୃତ୍ୟୁର ୩ ମାସ ପରେ ମାଟିତଳୁ ବାହାର କରାଗଲା ଶବ

268

ସମ୍ବଲପୁର, ୧୯/୭ – (ଓଡ଼ିଆ ପୁଅ) ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଆମ୍ବମୁଣ୍ଡା ଗ୍ରାମର ଶ୍ମଶାନରୁ ତିନି ମାସ ତଳେ ମୃତ୍ୟୁବରଣ କରିଥିବା ହୃଦୟ ତାଣ୍ଡି (୫୨)ଙ୍କ ମରଶରୀରକୁ ଗତକାଲି ମାଟିତଳୁ ବାହାର କରାଯାଇଛି। ପ୍ରାୟ ୩ ମାସ ତଳେ ହୃଦୟ ତାଣ୍ଡିଙ୍କ ମୃତ୍ୟୁ ହୋଇଥିଲା। ଗତ ପହରଦିନ ତାଙ୍କ ପତ୍ନୀ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପଦ୍ମପୁର ନିର୍ବାହୀ ମାଜିଷ୍ଟ୍ରେଟ ସରିତା ଗୁପ୍ତା, ଏସଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ମାଟିତଳେ ପୋତା ଯାଇଥିବା ସ୍ୱର୍ଗତ ତାଣ୍ଡିଙ୍କ ଶବକୁ ଅପସାରଣ କରାଯାଇ ବ୍ୟବଚ୍ଛେଦ ସକାଶେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ କହିଛନ୍ତି। ରାଜନୈତିକ କାରଣରୁ ହୃଦୟଙ୍କୁ ହତ୍ୟା କରାଯାଇଛି ବୋଲି ଇଲା ତାଣ୍ଡି ଏତଲା ଦେଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳର ନାମ ଉଲ୍ଲେଖ କରିନାହାନ୍ତି। ହୃଦୟ ଦିନ ମଜୁରିଆ ଭାବେ କାମ କରୁଥିଲେ। କୌଣସି ରାଜନୈତିକ ଦଳ ସହ ତାଙ୍କର ସଂପୃକ୍ତି ନଥିଲା ବୋଲି କୁହାଯାଉଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଅନୁସନ୍ଧାନ କରାଯିବ ବୋଲି ଜଣାପଡ଼ିଛି। ଗତ ଏପ୍ରିଲ ୧୮ ତାରିଖ ଦିନ ହୃଦୟ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ବରଗଡ଼ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଥିବା ହୃଦୟଙ୍କୁ ପରିବାର ଲୋକେ ଘରକୁ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାବାଦ୍ ଶ୍ମଶାନରେ ତାଙ୍କ ଶବକୁ କବର ଦିଆଯାଇଥିଲା। ମଦରେ ବିଷ ମିଶାଇ ଦିଆଯାଇଥିବାରୁ ହୃଦୟଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.