Home ଓଡ଼ିଶା ସର୍ଜିକାଲ ଷ୍ଟ୍ରାଇକର ସତ ଓ କଂଗ୍ରେସ

ସର୍ଜିକାଲ ଷ୍ଟ୍ରାଇକର ସତ ଓ କଂଗ୍ରେସ

502

– ଡ. ସମନ୍ୱୟ ନନ୍ଦ

ଜାମ୍ମୁ କାଶ୍ମୀରର ଉରି ଠାରେ ଥିବା ଭାରତୀୟ ସେନାର କ୍ୟାମ୍ପ ଉପରେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀ ମାନଙ୍କର ଆକ୍ରମଣରେ ୧୯ ଜଣ ଭାରତୀୟ ଜବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣ ପରେ ଭାରତୀୟ ସେନା ବଡ ପଦକ୍ଷେପ ନେଇଥିଲା। ଏ ଏହି ପଦକ୍ଷେପକୁ ଅଭୁତପୂର୍ବ ଏଇଥି ପାଇଁ କହା ଯାଇ ପାରେ ଯେ ଭାରତୀୟ ସୈନିକ ମାନେ ପାକ ଅଧିକୃତ କାଶ୍ମୀରରେ ପ୍ରବେଶ କରି ଉରି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ତାଲିମ ଶିବିର ଉପରେ ଆକ୍ରମଣ କରି ଧ୍ୱସ୍ତ କରିଥିଲା। ଏହି ପଦକ୍ଷେପ ପରେ ଭାରତୀୟ ସେନା ପକ୍ଷରୁ ଡାଇରେକ୍ଟର ଜେନେରାଲ, ମିଲିଟାରୀ ଅପରେସନ (ଡିଜିଏମଓ) ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ ବିଶ୍ୱକୁ ଭାରତୀୟ ସେନା ପକ୍ଷରୁ କରା ଯାଇଥିବା ସଫଳ ଅପରେସନ ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ପରେ ଭାରତରେ କିଛି ରାଜନୈତିକ ଦଳ ପକ୍ଷରୁ ଏହି ସର୍ଜିକାଲଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଗଲା। ଅରବିନ୍ଦ କେଜରିବାଲ ଙ୍କ ପରି ନେତା ମାନେ ଏହି ଷ୍ଟ୍ରାଇକର ପ୍ରମାଣ ମାଗିଲେ। ଏହାର କିଛି ଦିନ ପରେ ଭାରତୀୟ ସେନା ପକ୍ଷରୁ ଏହି ଅପରେସନର କିଛି ଭିଡିଓ ଫୁଟେଜ ମଧ୍ୟ ଜାରୀ କରା ଗଲା।

ତେବେ ୨୦୧୯ ମସିହାରେ ନିର୍ବାଚନ ସମୟରେ କେଂଗ୍ରେସ ପକ୍ଷରୁ କୁହାଗଲା ଯେ ଡ. ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ଶାସନ ସମୟରେ ମଧ୍ୟ ଅନେକ ସର୍ଜିକାଲ ଷ୍ଟ୍ରାଇକ କରା ଯାଇଥିଲା ବୋଲି ଦାବି କଲେ। କଂଗ୍ରେସ ନେତା ତଥା ମୁଖପାତ୍ର ରାଜୀବ ଶୁକ୍ଲା କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଡ. ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପାକିସ୍ତାନରେ ଛଅ ଥର ସର୍ଜିକାଲ ଷ୍ଟ୍ରାଇକ କରା ଯାଇଥିଲା। ତେବେ ଏହି ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ କାହାକୁ ଅବଗତ କରା ଯାଇ ନ ଥିଲା ଓ ଏହାକୁ ସମ୍ପୂର୍ଣ ଭାବେ ଗୁପ୍ତ ରଖା ଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ନିର୍ବାଚନୀ ସଭା ମାନଙ୍କରେ କହିଥିଲେ ଯେ ୟୁପିଏ ଶାସନକାଳରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରା ଯାଇଥିଲା ହେଲେ ସେତେବେଳର ସରକାର ଏହାର ରାଜନୀତିକରଣ କରି ନ ଥିଲେ।

କଂଗ୍ରେସର ଏହି ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କିତ ବକ୍ତବ୍ୟ ଆସିବା ପରେ ଲୋକ ମାନଙ୍କ ଭ୍ରମ ଉତ୍ପନ୍ନ ହେବା ସ୍ୱାଭବିକ ଥିଲା। ମାତ୍ର କେହି ଜଣେ ସୂଚନା ଅଧିକାର କର୍ମୀ ଏ ସମ୍ପର୍କରେ ଭାରତୀୟ ସେନାରେ ଡିିଜିଏମଓଙ୍କୁ ପୂର୍ବରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ସୂଚନା ମାଗିଥିଲେ। ଡିିଜିଏମଓ ତାଙ୍କ ଉତରରେ କହିଥିଲେ ଯେ ସେପ୍ଟମ୍ବର ୨୦୧୬ ପୂର୍ବରୁ ଭାରତୀୟ ସେନା ପକ୍ଷରୁ କେବେ ହେଲେ ସର୍ଜିକାଲ ଷ୍ଟ୍ରାଇକ କରା ଯାଇ ନାହିଁ। ତେବେ ଏହି ତଥ୍ୟର ସଠିକ ପ୍ରଚାର ପ୍ରସାର ହୋଇ ପାରି ନ ଥିଲା। ତେଣୁ ଲୋକ ମାନଙ୍କ ମନରେ ଏହାକୁ ନେଇ ସନ୍ଦେହ ରହିଥିଲା।

ତେବେ ଭାରତୀୟ ସେନାର ନର୍ଦନ କମାଣ୍ଡର କମାଣ୍ଡିଂଗ ଇନ ଚିଫ ଲେଫ୍ଟିନାଂଟ ଜେନେରାଲ ରଣବୀର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ସେପ୍ଟମ୍ବର ୨୦୧୬ ପୂର୍ବରୁ ଭାରତୀୟ ସେନା ପକ୍ଷରୁ କେବେ ହେଲେ ସର୍ଜିକାଲ ଷ୍ଟ୍ରାଇକ କରା ଯାଇ ନାହିଁ। ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଏହା ହିଁ ହେଉଛି ତଥ୍ୟ ଯେ ସେପ୍ଟେମ୍ବର ୨୦୧୬ ପୂର୍ବରୁ ଭାରତୀୟ ସେନା ପକ୍ଷରୁ କୌଣସି ସର୍ଜିକାଲଷ୍ଟ୍ରାଇକ କରା ଯାଇ ନାହିଁ।

ଭାରତୀୟ ସେନାର ନର୍ଦନ କମାଣ୍ଡର କମାଣ୍ଡିଂଗ ଇନ ଚିଫ ଲେଫ୍ଟିନାଂଟ ଜେନେରାଲ ରଣବୀର ସିଂହଙ୍କ ବକ୍ତବ୍ୟ କଂଗ୍ରେସର ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କିତ ମିଛର ପର୍ଦାଫାସ କରିଛି। ଏହାର ପର୍ଦାଫାସ ହେବା ପରେ କଂଗ୍ରେସ ରାଜନୈତିକ ସ୍ୱାର୍ଥ ପାଇଁ ସେନାକୁ ନେଇ ମଧ୍ୟ ମିଛ କଥା ସାର୍ବଜନୀନ ଭାବେ କହି ପାରେ ତାହା ମଧ୍ୟ ପ୍ରମାଣିତ ହୋଇଛି।

ତେବେ ପାକିସ୍ତାନ ପ୍ରେରିତ ଆତଙ୍କବାଦକୁ ନେଇ କଂଗ୍ରେସ ଦଳର ଆଭିମୁଖ୍ୟ ସର୍ବଜନବିଦିତ। ଦିଲ୍ଲୀରେ ବାଟଲା ହାଉସ ଏନକାଉଂଟରରେ ଆତଙ୍କବାଦୀ ମାନେ ମଲେ କଂଗ୍ରେସର ନେତା ମାନେ ଆତଙ୍କବାଦୀ ମାନଙ୍କ ପରିବାରକୁ ଶୋକ ପ୍ରକାଶ କରିବାକୁ ଯାଉଥିଲେ।

ମୁମ୍ବାଇ ଶହର ଉପରେ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଅଧିକାରୀ ମାନେ ତକ୍ରାଳୀନ କଂଗ୍ରେସ ସରକାରଙ୍କ ନିକଟକୁ ପାକିସ୍ତାନ ଉପରେ ସର୍ଜିକାଲଷ୍ଟ୍ରାଇକ କରିବାକୁ ପ୍ରସ୍ତୁତ ଥିବା କଥା କହି ଅନୁମତି ମାଗିବାକୁ ଯାଇଥିଲେ। ହେଲେ ସେତେବେଳର କଂଗ୍ରେସ ସରକାର ଏହାକୁ ଅନୁମତି ଦେଇ ନ ଥିଲେ। ତକ୍ରାଳୀନ ବରିଷ୍ଠ ବାୟୁସେନାର ଅଧିକାରୀ ମାନଙ୍କର ଏ ସମ୍ପର୍କିତ ବକ୍ତବ୍ୟ ରେକର୍ଡରେ ରହିଛି।

ଆଉ ଗୋଟିଏ କଥାରୁ କଂଗ୍ରେସର ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ମାନଙ୍କ ପ୍ରତି ଦୃଷ୍ଟିକୋଣ ସ୍ପଷ୍ଟ ହୁଏ। ଟେକ୍ନୋକ୍ରାଟ ସାମ ପିଟ୍ରୋଡା କଂଗ୍ରେସର ପ୍ରମୁଖ ପରାମର୍ଶଦାତା। ବାଲାକୋଟରେ ଭାରତୀୟ ସେନା ଦ୍ୱାରା ଏୟାରଷ୍ଟ୍ରାଇକକୁ ନେଇ ତାଙ୍କର ବକ୍ତବ୍ୟ ପାକିସ୍ତାନ ଓ ପାକିସ୍ତାନ ପ୍ରେରିତ ଆତଙ୍କବାଦ ପ୍ରତି କଂଗ୍ରେସର ନୀତିକୁ ସ୍ପଷ୍ଟ କରେ। ପୁଲବାମାରେ ଭାରତୀୟ ଜବାନ ମାନଙ୍କୁ ଶହୀଦ କରିବା ପରେ ବାଲାକୋଟରେ ଭାରତୀୟ ବାୟୁସେନା ଦ୍ୱାରା ଏୟାର ଷ୍ଟ୍ରାଇକ ଘଟଣାକୁ ପିଟ୍ରୋଡା ଅନୁଚିତ ବୋଲି କହିଥିଲେ। ପିଟ୍ରୋଡା ଛୋଟ ଛୋଟ ଘଟଣା ପାଇଁ ଏଭଳି ଏୟାରଷ୍ଟ୍ରାଇକ କରିବା ଠିକ ନୁହେଁ ବୋଲି କହିଥିଲେ। ଏହାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ଉଚିତ ବୋଲି ସେ ମତ ଦେଇଥିଲେ। ୪୦ରୁ ଉର୍ଧ ଭାରତୀୟ ସୈନିକ ଶହୀଦ ହେବା କଂଗ୍ରେସର ପରାମର୍ଶଦାତା ସାମ ପିଟ୍ରୋଡା ପାଇଁ ଛୋଟ କଥା। ତେଣୁ କଂଗ୍ରେସର ୧୦ ବର୍ଷର ଶାସନ କାଳରେ କଂଗ୍ରେସ ସରକାରଙ୍କ ନୀତି ପାକିସ୍ତାନ ପ୍ରତି ଠିକ ଏଭଳି ନରମ ଥିଲା। ତେଣୁ ସବୁ ବେଳେ ଦେଶରେ ଆତଙ୍କବାଦୀ ଆକ୍ରମଣ, ବୋମା ବିସ୍ଫୋରଣ ଆଦି ହେଉଥିଲା।

କଂଗ୍ରେସର ପରାମର୍ଶଦାତା ସାମ ପିଟ୍ରୋଡାଙ୍କ ବକ୍ତବ୍ୟ, କଂଗ୍ରେସର ଆତଙ୍କବାଦୀ ମାନଙ୍କ ପ୍ରତି ପ୍ରେମ ଓ କଂଗ୍ରେସ ଶାସନକାଳରେ ବାରମ୍ବାର ଘଟୁଥିବା ଆତଙ୍କବାଦୀ ଆକ୍ରମଣକୁ ଦେଖିବା ପରେ କଂଗ୍ରେସ ସରକାର ସମୟରେ ସର୍ଜିକାଲ ଷ୍ଟ୍ରାଇକ କରା ଯାଇଥିବାର ରାହୁଲ ଗାନ୍ଧୀଙ୍କ ଦାବି ସତ୍ୟ ହୋଇଥିବ, ଏହା ବିଶ୍ୱାସ ଯୋଗ୍ୟ ନ ଥିଲା। ହେଲେ ଭାରତୀୟ ସେନାର ଆଧିକାରିକ ବକ୍ତବ୍ୟ ସ୍ପଷ୍ଟ କରି ଦେଇଛି ଯେ ନରେନ୍ଦ୍ର ମୋଦିଙ୍କ ଶାସନକାଳରେ ସେପ୍ଟେମ୍ବର ୨୦୧୬ରେ ପ୍ରଥମଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା।

ସେନାର ବକ୍ତବ୍ୟ ଫଳରେ କଂଗ୍ରେସର ମିଛ ସାମନାକୁ ଆସିଛି ଓ ନିଜର ଟ୍ରାକ ରେକର୍ଡ ଅତ୍ୟନ୍ତ ଖରାପ ଥିବା ଓ ଆତଙ୍କବାଦୀଙ୍କ ପାଇଁ ଅତ୍ୟନ୍ତ ନରମ ମନୋଭାବ ପୋଷଣ କରୁଥିବା କଂଗ୍ରେସର ଚରିତ୍ରର ପୁଣି ଥରେ ଖୁଲାସା ହୋଇଛି। ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କଂଗ୍ରେସ ସେନା ପରି ସଂସ୍ଥା ସମ୍ପର୍କରେ ମଧ୍ୟ ମିଛ କହିପାରେ ଏହା ମଧ୍ୟ ପ୍ରମାଣିତ ହୋଇଛି।
(ଲେଖକଙ୍କ ନିଜସ୍ୱ ମତ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.