Home ଓଡ଼ିଶା ମହାନଦୀ କୂଳକୁ ଝଲସାଇବା ପାଇଁ କାର୍ଯ୍ୟ ଆରମ୍ଭ

ମହାନଦୀ କୂଳକୁ ଝଲସାଇବା ପାଇଁ କାର୍ଯ୍ୟ ଆରମ୍ଭ

315

ସମ୍ବଲପୁର, ୨୧/୫ (ଓଡ଼ିଆ ପୁଅ) ବାରାଣାସୀ ନଦୀତଟର ଭ୍ରମସୃଷ୍ଟି କରୁଥିବା ସମ୍ବଲପୁର ସହରର ପୁରାତନ ଇତିହାସର ମୁକସାକ୍ଷୀ ମହାନଦୀ କୂଳର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଗାମୀ ଅକ୍ଟୋବର ମାସ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ ରଖାଯାଇଛି। ପ୍ରଥମ ପ୍ରାୟ ୭ କିଲୋମିଟର ଦୀର୍ଘ ମହାନଦୀ କୂଳର ସମଲେଶ୍ୱରୀ ମନ୍ଦିର ଘାଟ ଠାରୁ କଚେରୀ ବା ନେଲସନ ମାଣ୍ଡେଲା ଘାଟ ପର୍ଯ୍ୟନ୍ତ ତିନି କିଲୋମିଟର ଅଂଶରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ପ୍ରକଳ୍ପ ପାଇଁ ତିନି କୋଟି ଟଙ୍କା ଖର୍ଚ୍ଚ ହେବ। ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ସମଲେଶ୍ୱରୀ ମନ୍ଦିର ଘାଟ ଠାରୁ କମଲିବଜାର ପର୍ଯ୍ୟନ୍ତ କାର୍ଯ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ହାଟପଡ଼ା ଘାଟ ପର୍ଯ୍ୟନ୍ତ ନିର୍ମାଣ କାମ ହାତକୁ ନିଆଯାଇଛି। ଗତ ବର୍ଷ ନଭେମ୍ବର ମାସରେ କାର୍ଯ୍ୟ ମୂଳ ହୋଇଥିଲା। ପ୍ରକଳ୍ପ ରିପୋର୍ଟ ଅନୁଯାୟୀ ମହାନଦୀ ରିଂଗ ରୋଡ଼ରେ ଥିବା ଘେରା କାଂଥରେ ପୁନର୍ବିନ୍ୟାସ, ପାଦଚଳା ରାସ୍ତା, ଜଳଫୁଆରା, ଦର୍ଶକଙ୍କ ପାଇଁ ବେଂଚ ନିର୍ମାଣ କରାଯିବ। ମହାନଦୀର ଦୃଶ୍ୟ ଉପଭୋଗ ସକାଶେ ବିଭିନ୍ନ ଜାଗାରେ ଛଅଟି ଭ୍ୟୁ ପଏଂଟ ନିର୍ମାଣ ସହିତ ଜଳଫୁଆରା ଓ ଆଳଙ୍କାରୀକ ଲୌହ ଗ୍ରିଲ ଖଞ୍ଜାଯିବ ବୋଲି ଜଣାପଡ଼ିଛି। ପ୍ରକଳ୍ପ ପୁରା ହେଲେ ସହରବାସୀ ଓ ପର୍ଯ୍ୟଟକ ମାନେ ଆଉ ଏକ ଅବସର ବିନୋଦନର କେନ୍ଦ୍ର ପାଇପରିବେ।

ସୂଚନା ଯୋଗ୍ୟ ଯେ, ୧୯୬୪ ମସିହାରେ ଏଠାର ମହାନଦୀ କୂଳରେ ଚେନ୍ନାଇର ମେରିନା ବିଚ ଶୈଳୀରେ ହାଟପଡ଼ା ଘାଟ ଠାରେ ଏକ ଆନିକଟ ଦ୍ୱାରା ପାଣିକୁ ଅଟକାଯାଇ କୁତ୍ରୀମ ହ୍ରଦ ଓ ନଦୀର କୂଳେ କୂଳେ କଙ୍କ୍ରିଟ ରାସ୍ତା ତିଆରୀ କରାଯାଇଥିଲା। ହ୍ରଦକୁ ଅଯୋଧ୍ୟା ସରୋବର ଏବଂ ନଦୀ କୂଳକୁ ସୁଶୀଳା ବିହାର ନାମରେ ନାମିତ କରାଯାଇଥିଲା। ୧୯୯୭ ମସିହାରେ ସହରରେ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରାୟ ୨.୭ କିଲୋମିଟର ଲମ୍ବ ଘେରି ବନ୍ଧ ଓ ରାସ୍ତା ନିର୍ମାଣ କରାଯାଇଛି। ପରେ ଏହାର ଦୋହରୀ କରଣ ଉତାରୁ ଏବେ ମହାନଗର ନିଗମ ସୈାନ୍ଦର୍ଯ୍ୟ କାର୍ଯ୍ୟ କରାଯାଉଛି। ପୂର୍ବରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଠ କୋଟି ଟଙ୍କାର ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୀଳାନ୍ୟାସ କରିଥିଲେ। ହେଲେ ଆର୍ଥିକ ଅନୁଦାନ ଅଭାବରୁ ଏହା ଆଗେଇ ନପାରିବାରୁ ମହାନଗର ନିଗମ କାର୍ଯ୍ୟ ହାତକୁ ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.