Home ଓଡ଼ିଶା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାପାଇଁ ଥାଳ ଉଠିଲା

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାପାଇଁ ଥାଳ ଉଠିଲା

805

ସମ୍ବଲପୁର, ୭/୫ -(ଓଡ଼ିଆ ପୁଅ) ଅକ୍ଷୟ ତୃତୀୟା ଅବସରରେ ଆଜି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଛି। ଏଥିସହିତ ଏ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ କେଉଁମାନେ କନ୍ୟାପିତା ହେବାର ସୌଭାଗ୍ୟ ଲାଭ କରିବେ ତାହା ନିର୍ଣ୍ଣୟ କରାଯାଇଛି।

ଆଜିଭଳି ଶୁଭ ଦିବସରେ ପୂଜା ଓ ମନ୍ତ୍ରୋଚ୍ଚାରଣର ପବିତ୍ର ପରିବେଶରେ ଥାଳ ଉଠିଛି। ଏଥିସହ ଆଜିଠାରୁ ଆରମ୍ଭ ହୋଇଛି ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି। ଅର୍ଥ ଷଷ୍ଠୀଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଯାତ୍ରା ପରିଚାଳନା ଓ ସାଜସଜ୍ଜା ପାଇଁ ଅର୍ଥ ଆବଶ୍ୟକ। ଥାଳ ଉଠାଯାଇ ଆଜିଠାରୁ ଷଷ୍ଠୀପାଇଁ ଚାନ୍ଦା ସଂଗ୍ରହ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ପଡ଼ା ମଧ୍ୟରେ ଥାଳ ବୁଲିଛି ତଥା ଲୋକେ ଆନନ୍ଦର ସହିତ ଥାଳରେ ଅର୍ଥ ଦେଇ ଷଷ୍ଠୀ ଆୟୋଜନର ଶୁଭାରମ୍ଭ ଘଟାଇଛନ୍ତି। ଶୀତଳଷଷ୍ଠୀ ଯାତ୍ରାର ଲୌକିକ ପରମ୍ପରା ଦେବୀ ପାର୍ବତୀଙ୍କୁ କନ୍ୟା ରୂପେ ସ୍ୱଗୃହକୁ ବରି ନେବାର ଏବଂ ଦେବଦେବ ମହାଦେବଙ୍କ ସହିତ ବିବାହ କରାଇବାର, ଦେବୀ ପାର୍ବତୀଙ୍କ ସକାଶେ କନ୍ୟା ଦାନ କରିବାର ଏବଂ ସ୍ୱଗୃହକୁ ବରାତିରେ ଆସି ପହଞ୍ଚିଥିବା ଶିବଙ୍କୁ ସ୍ୱାଗତ କରିବାର ଏକ ଅଲୌକିକ ବିରଳ ସୁଯୋଗ ମାନବୀୟ ଦମ୍ପତିଙ୍କୁ ଦେଇଥାଏ। ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀଶ୍ରୀ ଲୋକନାଥ ବାବାଙ୍କୁ ପରମ୍ପରା ଅନୁଯାୟୀ ଜଳାଶାୟୀ କରାଯାଇଥିଲା। ଚଳିତ ବର୍ଷ ନନ୍ଦପଡ଼ାର ବାଲୁଙ୍କେଶ୍ୱର ଶୀତଳଷଷ୍ଠୀ ଯାତ୍ରା ପାଇଁ ମ୍ୟୁନିସିପାଲଟୀ ଛକ ନିବାସୀ ପ୍ରକାଶ ପାଣ୍ଡେ ଏବଂ ଶ୍ରୀମତୀ କାଦମ୍ବିନୀ କନ୍ୟା ପିତାମାତା ହେବେ। ଏଠାରେ ବିଭୂତି ଭୂଷଣ ମିଶ୍ର ବରପିତା ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି।

ଝାଡ଼ୁଆପଡ଼ା ଆରଣ୍ୟକ ଶୀତଳଷଷ୍ଠୀ ପାଇଁ କନ୍ୟା ପିତାମାତା ହେବେ ସ୍ଥାନୀୟ ଝାଡ଼ୁଆପଡ଼ା ନିବାସୀ ଅମୀୟ ମୁଣ୍ଡ ଓ ଶ୍ରୀମତୀ ସବିତା ମୁଣ୍ଡ। ଏଠାରେ ଲୋକନାଥ ବାବାଙ୍କ ପାଇଁ ଶ୍ରୀ ସନ୍ତୋଷ ସୂପକାର ବରପିତା ଭୂମିକାରେ ରହିବେ। ମୁଦିପଡ଼ା ଜାଗେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା ପାଇଁ ପଟ୍ଟନାୟକପଡ଼ା ନିବାସୀ ରାଜେଶ ଚନ୍ଦ୍ର ବହିଦାର ଓ ଶ୍ରୀମତୀ ଜାଗୃତି ବହିଦାର କନ୍ୟା ପିତାମାତା ହୋଇଥିବା ବେଳେ ମଧୁସୂଦନ ନେଗୀ ବରପିତାଙ୍କ ଦାୟିତ୍ୱ ନିର୍ବାହ କରିବେ। ବାଲିବନ୍ଧା ସୋମନାଥ ବାବା ଷଷ୍ଠୀ ଯାତ୍ରା ପାଇଁ ସ୍ଥାନୀୟ ବାଲିବନ୍ଧା ନିବାସୀ ରମଣୀ ରଞ୍ଜନ ଆଚାର୍ଯ୍ୟ ଏବଂ ଶ୍ରୀମତୀ ହେମାଙ୍ଗିନୀ ଆଚାର୍ଯ୍ୟ କନ୍ୟା ପିତାମାତା ହେବେ। ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ମଧ୍ୟରୁ ଅନ୍ୟତମ ସହର ଉପକଣ୍ଠ ମାନେଶ୍ୱର ସ୍ଥିତ ଶ୍ରୀଶ୍ରୀ ମାନଧାତା ବାବା ଏବଂ ଦେବୀ ପାର୍ବତୀଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।

ପଞ୍ଜିକା ଅନୁଯାୟୀ ଆଗାମୀ ଜ୍ୟେଷ୍ଠମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥି ଜୁନ ମାସ ୭ ତାରିଖ ଶ୍ରୁକ୍ରବାର ରାତି ଶିବ ପାର୍ବତୀଙ୍କ ପରିଣୟ ଅନୁଷ୍ଠିତ ହେବ। ଏହି ଦିନ ପୂର୍ବାହ୍ନରେ ଗଣ୍ଠାଳ ଫିଟା ବିଧି ପାଳନ କରାଯିବ। ଏଥିରେ ମନ୍ଦିରମାନଙ୍କରୁ ଦେବୀ ପାର୍ବତୀଙ୍କୁ ଗତବର୍ଷର ପିତାମାତା ଭୂମିକା ନେଇଥିବା ଦମ୍ପତିଙ୍କ ଗୃହକୁ ଏକ ଶୋଭାଯାତ୍ରାରେ ନିଆଯିବ। ସେଠାରୁ ଦେବୀ ପୁଣି ମନ୍ଦିରକୁ ଆସିବେ ଏବଂ ଚଳିତ ବର୍ଷର କନ୍ୟା ପିତାମାତା ଭୂମିକା ନେଇଥିବା ଦମ୍ପତିଙ୍କ ଧାର୍ଯ୍ୟ ବିବାହ ମଣ୍ଡପକୁ ବିଜେ କରିବେ। ୮ ତାରିଖ ଶନିବାର ଶୀତଳଷଷ୍ଠୀ ତିଥିରେ ନବପରିଣତ ଦେବଦେବୀ ମନ୍ଦିର ବେଢ଼ାକୁ ପ୍ରତ୍ୟାବର୍ତ୍ତନ କରିବେ, ଏହି ରାତି ଶିବ-ପାର୍ବତୀ ଶୀତଳଷଷ୍ଠୀ ଯାତ୍ରାରେ ନଗର ପରିକ୍ରମା କରିବେ। ୯ ତାରିଖ ରବିବାର ଅପରାହ୍ନରେ ଦେବଦମ୍ପତିଙ୍କ ଗମ୍ଭୀରା ପ୍ରବେଶ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଜୁନ୍ ୩ ତାରିଖରେ ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ବା ପତରପେଁଡ଼ି ଯାତ୍ରା ଅନୁଷ୍ଠିତ ହେବ। ୪ ତାରିଖ ତାଙ୍କ ପକ୍ଷରୁ ଶ୍ରୀଶ୍ରୀନୃସିଂହନାଥ ରଥାରୁଢ଼ ହୋଇ ନିଉତା ପ୍ରଦାନ ପାଇଁ ଗୁଆଗୁଣ୍ଡା ଯାତ୍ରାରେ ବାହାରିବେ। ୫ ଓ ୬ ତାରିଖ ଶ୍ରୀଲୋକନାଥ ଏବଂ ଶ୍ରୀଜାଗେଶ୍ୱରଙ୍କ ପତରପେଁଡ଼ି ଓ ଗୁଆଗୁଣ୍ଡା ପର୍ବ ଅନୁଷ୍ଠିତ ହେବ। ଝାଡ଼ୁଆପଡ଼ା ଓ ମୁଦିପଡ଼ାରୁ ବୀର ହନୁମାନ ଶିବ-ପାର୍ବତୀଙ୍କ ବିବାହ ସକାଶେ ଗୁଆଗୁଣ୍ଡା ଯାତ୍ରାରେ ବାହାରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟ ପକ୍ଷରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ଯାତ୍ରା କମିଟୀର ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ କରଯାଇଛି। ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର କରିବା ପାଇଁ କମିଟୀର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ସ୍ଥାନୀୟ ପଡ଼ାର କାରିଗରମାନେ ପରଭା ଓ ମେଢ଼ ନିର୍ମାଣ ସକାଶେ ଖସଡ଼ା ପ୍ରସ୍ତୁତ କରିଥିବା ବେଳେ ମୂର୍ତ୍ତି ଓ ପ୍ରଜ୍ଞାପନ ମେଢ଼ର ଶୈଳୀ ମଧ୍ୟ ସ୍ଥିର କରାଯାଇଛି। ଶୀତଳଷଷ୍ଠୀ ଯାତ୍ରା ପାଇଁ ସାଂସ୍କୃତିକ ଦଳ, ବିଶେଷ କରି ଲୋକ-କଳାକାରମାନଙ୍କୁ ଯୋଗାଯୋଗ କରିବା ସକାଶେ ରାଜ୍ୟ ଓ ରାଜ୍ୟ ବାହାରକୁ ସ୍ୱେଚ୍ଛାସେବୀମାନେ ଯାଆସ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.