Home ଓଡ଼ିଶା ରୋମାଞ୍ଚକର ସ୍ଥିତିରେ ନୟାଗଡ଼ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ, ବଦଳିପାରେ ସମୀକରଣ

ରୋମାଞ୍ଚକର ସ୍ଥିତିରେ ନୟାଗଡ଼ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ, ବଦଳିପାରେ ସମୀକରଣ

1791

ନୟାଗଡ଼ ୨୧-୪ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ) : ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚଳିତମାଦସ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ଦଳର ପ୍ରାର୍ଥିମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ନେତାମାନେ ଘରକୁଘର ବୁଲି ଭୋଟରମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଆକୁଳ ନିବେଦନ କରୁଥିବା ବେଳେ ଭୋଟରମାନେ କିନ୍ତୁ ଏଥର ଚିହ୍ନା ନପଡ଼ି ସମସ୍ତଙ୍କୁ ଆଶ୍ୱାସନା ଦେଉଥିବା ଦେଖିବାକୁ ମିଳୁଛି। ତେବେ ଗଭୀର ଜଳରେ ବୁଡ଼ି ରହିଥିବା ଭୋଟରମାନେ କିନ୍ତୁ ଠିକ ସମୟରେ ସେମାନଙ୍କ ନିଷ୍ପତି ଜଣାଇବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ନୟାଗଡ଼ ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରଖିଥାଏ। ଏଠାରେ ବିଜେଡ଼ିର ପ୍ରଭାବଶଳୀ ତଥା ତୁଙ୍ଗ ନେତା ଡ.ଅରୁଣ କୁମାର ସାହୁ ଲଗାତାର ତିନିଥର ବିଜୟ ଲାଭ କରି ହ୍ୟାଟ୍ରିକ ଅର୍ଜନ କରି ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ଗୁରୁତ୍ୱପୁର୍ଣ୍ଣ ବିଭାଗ ସମ୍ଭାଳିଥିବା ବେଳେ ଚଳିତ ନିର୍ବାଚନରେ ଚୌକା ଲକ୍ଷ୍ୟରେ ସମସ୍ତ କଳବଳ ଖଟାଇ ନିର୍ବାଚନ ଜିତିବାକୁ ଲାଗି ପଡ଼ିଛନ୍ତି। ଗତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ନୟାଗଡ଼ ଏବଂ ଓଡ଼ଗାଁ ଜୋନର ସମସ୍ତ ଜିଲ୍ଲାପରିଷଦ ପ୍ରାର୍ଥି ଏବଂ ଅଧିକାଂଶ ସରପଂଚ ପ୍ରାର୍ଥିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇ ପାରିଥିବାରୁ ସେହି ହିସାବରେ ତାଙ୍କ ପଲା ଭାରି ରହିଥିବା କୁହାଯାଉଛି। ଗତ ୨୦୧୪ ନିର୍ବାଚନରେ ବିଧାୟକ ଅରୁଣ ସାହୁ ତାଙ୍କୁ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଲାଲା ମନୋଜ ରାୟଙ୍କୁ ୨୦ ହଜାର ୮୬୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅରୁଣ ସାହୁ ୭୫ହଜାର ୫୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଲାଲା ମନୋଜ ରାୟ ୫୪ହଜାର ୬୭୧ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ। ତେବେ ଗତଥରର ନିର୍ବାଚନ ହାୱା ଓ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଆଧାର କରି ଲୋକମାନେ ବିଜେଡ଼ି ସପକ୍ଷରେ ବହୁ ମାତ୍ରାରେ ମତଦାନ କରିଥିବା ବେଳେ ଚଳିତ ନିର୍ବାଚନରେ ସମୀକରଣ ଏପଟ ସେପଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଚଳିତ ନିର୍ବାଚନରେ ମୋଦି ଲହରୀ ଏବଂ ପରିବର୍ତ୍ତନର ହାୱା ବିଧାୟକ ଅରୁଣଙ୍କୁ ଅଡ଼ୁଆରେ ପକାଇବାର ବହୁ ସମ୍ଭାବନା ରହିଥିବା ନେଇ ନିର୍ବାଚନ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ଲାଲା ମନୋଜ ରାୟଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥିନୀ ଇରାନୀ ରାୟ ଭୋଟରଙ୍କ ମନ କିଣିବା ଲାଗି ପ୍ରତି ଗ୍ରାମର ଘରକୁ ଘର ବୁଲି ଲେକଙ୍କୁ ଭୋଟ ନିବେଦନ କରୁଥିବା ବେଳେ ତାଙ୍କୁ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି। ସେହିପରି ନୟାଗଡ଼ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ାରେ ନିର୍ବାଚନ ସରଗରମ ହେଉଥିବା ଜଣାପଡ଼ିଛି। ଏଠାରୁ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ବିଜେଡି ହାଇକମାଣ୍ଡ ଟିକେଟ ନଦେଇ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରାର୍ଥି କରାଇଛି। ଚଳିତ ନିର୍ବାଚନରେ ବିଜେଡିର ମୁଖ୍ୟ ଦାବିଦାର ଥିବା ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡିର ଜଣେ ତୁଙ୍ଗ ନେତା ଗୟାଧର ପରିଡ଼ା ଏବଂ ବିଧାୟକ ଅନୁଭବ ପରିଡ଼ାଙ୍କୁ ଟିକେଟରୁ ବଂଚିତ କରି ବିଜେଡି ହାଇକମାଣ୍ଡ ସୌମ୍ୟରଞ୍ଜନଙ୍କୁ ପ୍ରାର୍ଥି କରିଛି। ତେବେ ଗତ ନିର୍ବାଚନରେ ଆମ ଓଡ଼ିଶା ଦଳର ପ୍ରାର୍ଥି ହୋଇ ସୌମ୍ୟ ବାବୁ ବିଜେଡିର ଅନୁଭବ ପଟ୍ଟନାୟକଙ୍କଠାରୁ ମାତ୍ର ୬୫୮ ଭୋଟରେ ପରାସ୍ତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବାକୁ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଦୁଇ ଆଶାୟୀ ପ୍ରାର୍ଥି ଥିବା ବିଧାୟକ ଅନୁଭବ ପଟ୍ଟନାୟକ ଏବଂ ଗୟାଧର ପରିଡ଼ାଙ୍କୁ ସୌମ୍ୟବାବୁ ମନାଇବାରେ ସଫଳ ହୋଇଥିବା ବେଳେ ସେମାନେ ସୌମ୍ୟଙ୍କୁ ନିର୍ବାଚନ କାର୍ଯ୍ୟରେ ସହଯୋଗ କରିବେ ବୋଲି ହାଇକମାଣ୍ଡଙ୍କ ନିକଟରେ ପ୍ରତିଶୃତି ଦେଇଛନ୍ତି। ତେବେ ସୌମ୍ୟଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥି ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ଏବଂ ସ୍ୱାଧିନ ପ୍ରାର୍ଥି ଦୁଶ୍ମନ୍ତ ସ୍ୱାଇଁ ସୌମ୍ୟଙ୍କୁ କଡ଼ା ଟକ୍କର ଦେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉଭୟ ଅନୁଭବ ଏବଂ ଗୟା ପରିଡ଼ା ସୌମ୍ୟଙ୍କୁ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ସେମାନେ ଭିତରେ ଭିତରେ ସୌମ୍ୟ ଜିତନ୍ତୁ ବୋଲି ଚାହୁଁନାହାନ୍ତି। ଆପଣା ସୁନା ଭେଣ୍ଡି ପାଲଟିଥିବା ବେଳେ ବିଜେପି ପ୍ରାର୍ଥି ସିଦ୍ଧାର୍ଥଙ୍କ ଅପେକ୍ଷା ସ୍ୱାଧିନ ପ୍ରାର୍ଥି ଦୁଶ୍ମନ୍ତଙ୍କ ଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି ସୌମ୍ୟ। ଅନ୍ୟପକ୍ଷରେ ଉଭୟ ଅସନ୍ତୁଷ୍ଟ ବିଜେଡି ଏବଂ କଂଗ୍ରେସ ସମର୍ଥକଙ୍କ ଭୋଟ ସ୍ୱାଧିନ ପ୍ରାର୍ଥିଙ୍କ ସପକ୍ଷରେ ଯିବାର ବହୁ ସମ୍ଭାବନା ରହିଥିବା ବେଳେ ସୌମ୍ୟଙ୍କ ପାଇଁ ଏହା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ରଣପୁରରେ ଏଥର ମଧ୍ୟ ଦ୍ୱିମୁଖୀ ଲଢ଼େଇ ଯୋରଦାର ହେବାର ବହୁ ସମ୍ଭାବନା ରହିଛି। ବିଜେପି ପ୍ରାର୍ଥି ସୁରମା ପାଢ଼ୀ ବିଜେଡି ପ୍ରାର୍ଥି ସତ୍ୟନାରାୟଣ ପ୍ରଧାନଙ୍କ ମଧ୍ୟରେ କଡ଼ା ମୁକାବିଲା ପରିସ୍ଥିତି ସୃଷ୍ଟି ହୋଇଛି। ବିଗତ ଦିନରେ ରଣପୁରରେ ବିଜେଡି ପ୍ରାର୍ଥି ବିଜୟୀ ହୋଇଥିବା ବେଳେ ଗୋଷ୍ଠୀ କନ୍ଦଳ ଯୋଗୁଁ ଏଠାରେ ବିକାଶ ବାଧାପ୍ରାପ୍ତ ହୋଇଛି। ୫୫ଟି ପଞ୍ଚାୟତ ଥିବା ରଣପୁରରେ କୃଷି ଏବଂ ସ୍ୱାସ୍ଥ୍ୟର ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ବେଳେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି। ଏଠାରେ ଚାଷଜମି ପାଇଁ ପାଣି ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ ବିଜେଡି ଶାସନରେ ଏହାର କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଅଧିକାଂଶ ଚାଷ ଜମି ପଡ଼ିଆ ପଡ଼ିଥିବା ବେଳେ ବିକାଶର କଥା କହୁଥିବା ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ମୁଖ୍ୟ ଅସ୍ତ୍ର କରିଛି। ସ୍ୱାସ୍ଥ୍ୟସେବାରେ ମଧ୍ୟ ରଣପୁର ବହୁ ପଛରେ ପଡ଼ିଥିବା ବିରୋଧିମାନେ ଅଭିଯୋଗ କରୁଥିବା ବେଳେ ବହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଘୋର ଅଭାବ ଦେଖା ଦେଇଛି। ସେହିପରି ଚାନ୍ଦପୁରଠାରେ ଥିବା ରାଜ୍ୟର ପ୍ରମୁଖ ଟିବି ହସ୍ପିଟାଲର ଅବସ୍ଥା ଘୋର ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରୁଥିବା ବେଳ ରାଜ୍ୟସରକାର ତଥା ବିଜେଡିର ଅପାରଗତା ପଦାରେ ପଡ଼ିଛି। ଫଳରେ ଏଠାରେ ନିର୍ବାଚନ ସମୀକରଣ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ଦଶପଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ପ୍ରତି ନିର୍ବାଚନରେ ବିଜେଡିଦଳ ପ୍ରାର୍ଥି ବଦଳାଉଥିବା ବେଳେ ଚଳିତ ନିର୍ବାଚନରେ ଏଥିପାଇଁ ଦଳକୁ ମହଙ୍ଗା ପଡ଼ିପାରେ ବୋଲି ନିବାଚନ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଗତ ପଞ୍ଚାୟତ ଏବଂ ଜିଲ୍ଲାପରିଷଦ ନିର୍ବାଚନରେ ବିଧାୟକ ପୂର୍ଣ୍ଣ ନାୟକଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାପରିଷଦ ଆସନ ଅକ୍ତିଆର କରିଥିବା ବେଳେ ତାଙ୍କୁ ଦଳ ଚଳିତ ନିର୍ବାଚନରେ ଟିକେଟ ଦେଇନାହିଁ। ଫଳରେ ପୂର୍ଣ୍ଣ ନାୟକ ବିଜେଡି ଛାଡ଼ି ତୁରନ୍ତ ବିଜେପିରେ ସାମିଲ ହେବାସହ ଦଳୀୟ ଟିକେଟ ହାତେଇ ବିଜେପିରୁ ପ୍ରାର୍ଥି ହୋଇଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ ଭୁବନେଶ୍ୱର ସଚିବାଳୟରେ ପ୍ରଶାସନିକ ଅଧିକାରୀଥିବା ରମେଶ ନାୟକଙ୍କୁ ପ୍ରାର୍ଥି କରାଯାଇଛି। ତେବେ ତାଙ୍କର ସଂଗଠନ ସହିତ କୌଣସି ସଂପର୍କ ନଥିବା ବେଳେ ବିଜେଡି ଭୋଟ ବ୍ୟାଙ୍କକୁ ପାଥେୟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଫଳରେ ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଜିଲ୍ଲାରେ ଚଳିତ ନିର୍ବାଚନରେ ବହୁ ଉଲେଖନୀୟ ଘଟଣା ଘଟିବାକୁ ଯାଉଥିବା ବେଳେ ମୋଦୀ ଲହରୀ ଏବଂ ପରିବର୍ତ୍ତନ ହାୱା କେତେଦୂର କାମ ଦେଉଛି ତାହା ଚଳିତ ନିର୍ବାଚନରେ ଜଣାପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.