Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଙ୍ଗନୱାଡ଼ି କର୍ମୀଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଙ୍ଗନୱାଡ଼ି କର୍ମୀଙ୍କ ଶେଷକୃତ୍ୟ ସମ୍ପନ୍ନ

130

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବାହାନଗା ବ୍ଲକ୍‌ର ଅଞ୍ଜି-୧ କେନ୍ଦ୍ରର କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ହେମନ୍ତ କୁମାରୀ ଦିକ୍ଷୀତର ଲୁଣିଆଯୋଡ଼ି ନିକଟସ୍ଥ ‘ମୁକ୍ତିଦ୍ୱାର’ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି। ଶ୍ରୀମତୀ ଦୀକ୍ଷିତ ଅସୁସ୍ଥତା ଅନୁଭବ କରିବାରୁ ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ସଂକ୍ରମିତ ଥିବାର ଜଣାପଡ଼ିବାରୁ ୨୧ ତାରିଖ ଦିନ ବାଲେଶ୍ୱର ଜ୍ୟୋତି ହସ୍‌ପିଟାଲକୁ କୋଭିଡ଼୍ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୧୫ଦିନ ଧରି କୋଭିଡ଼୍ ହସପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରବିବାର ଦିନ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଲୁଣିଆଯୋଡ଼ି ନିକଟସ୍ଥ ‘ମୁକ୍ତିଦ୍ୱାର’କୁ ଅଣାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ୍ ଜଗଦୀପ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପ୍ରତିନିଧି ଲକ୍ଷ୍ମୀଧର ସେଠୀଙ୍କ ଉପସ୍ଥିତିରେ ପୋଲିସ୍ ବିଭାଗର ସିପାହୀଙ୍କ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସ୍ୱର୍ଗତା ଦୀକ୍ଷିତ ସଭ୍ୟାଥିବା ଅଙ୍ଗନୱାଡ଼ି କର୍ମୀ ସଂଘର ଜିଲ୍ଲା ସଂପାଦିକା ଗୌରୀ ଦାସଙ୍କ ସମେତ ଜୟନ୍ତୀ ଦାସ, ଅନୁପମା ପାତ୍ର, ମିତାରାଣୀ ରାଜ, ଦୀପ୍ତିରାଣୀ ବେହେରା, ସ୍ନେହଲତା ଦାସ, ଓ ଏ-ଆଇ-ଟି-ୟୁ-ସି-ର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ମୃତ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ୱାମୀ ଗୌରଚନ୍ଦ୍ର ଦାଶ ପ୍ରମୁଖ ତରଫରୁ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ତାଙ୍କର ପୁତୁରା ଶୁଭରଞ୍ଜନ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତା ଦୀକ୍ଷିତ ତାଙ୍କର କାର୍ଯ୍ୟକାଳରେ ନିଜ ଦକ୍ଷତା ଓ କର୍ତ୍ତବ୍ୟନିଷ୍ଟ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ମୃତା ପରିବାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.