Home ଜିଲ୍ଲା ପରିକ୍ରମା ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣିପୀଠରେ ନାହିଁନଥିବା ଭିଡ, ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା, ଡହଡହ...

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣିପୀଠରେ ନାହିଁନଥିବା ଭିଡ, ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା, ଡହଡହ ଖରାରେ ସିଜିଲେ ଭକ୍ତ

8

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ସଂକ୍ରାନ୍ତି ପାଇଁ ରବିବାର ଆଖଣ୍ଡଳମଣିପୀଠରେ ନାହିଁନଥିବା ଭକ୍ତଙ୍କ ଭିଡ ଲାଗିଥିଲା। ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦକ୍ଷିଣଦ୍ୱାର(ପ୍ରବେଶ ଦ୍ୱାର) ଠାରେ ଭକ୍ତଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଠେଲାପେଲା ଲାଗି ରହିବାରୁ କିଛି ଭକ୍ତ ସଜ୍ଞାହିନ ହୋଇ ତଳେ ପଡିଯାଇଥିଲେ। ବିଶେଷକରି ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଜଣେ ହେଲେ ସୁରକ୍ଷା କର୍ମୀ ରହିବାତ ଦୂରର କଥା ବ୍ୟାରିକେଡ ବ୍ୟବସ୍ଥା ନଥିବାରୁ ମନ୍ଦିର ମଧ୍ୟକୁ ମହିଳା ଓ ପୁରୁଷ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଲାଗି ରହିବା ସହ ହାତ ଉଠା ଉଠି ପର୍ଯ୍ୟନ୍ତ କଥା ଯାଇଥିଲା। ଅନ୍ୟପଟେ ମନ୍ଦିର ସମୁଖର ଦର୍ଶନ ପଥରେ ଛାମୁଣ୍ଡିଆ ନଥିବାରୁ ଡହଡହ ଖରାକୁ ଅସହ୍ୟ ଗୁଳୁଗୁଳିରେ ସିଜିଥିଲେ ଭକ୍ତ। ସେହିପରି ବାଇପାସ ରାସ୍ତାରେ ବେନିୟମ ଭାବେ କିଛି ସ୍ଥାନୀୟ ଲୋକ ଜବର ଦଖଲ କରିବା ସହ ନିଜର ଚାରି ଚକିଆ ଯାନ ରଖିବାରୁ ଟ୍ରାଫିକ ସମସ୍ୟା ଅଣାୟତ ହେବା ସହ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଦୀର୍ଘ ୪ଘଂଟା ଧରି ଅଟକି ରହିବା ଫଳରେ ସ୍ଥାନୀୟ ଆରଡି ପୁଲିସ ସ୍ଥିତି ନିୟନ୍ତ୍ରଣ ଆଣିବାକୁ ନାକେଦମ ହେବାକୁ ପଡିଥିଲା। ସେହିପରି ମୁଖ୍ୟ ରାସ୍ତାର ଟ୍ରାଫିକ ଅବ୍ୟବସ୍ଥା ପାଇଁ ୨କିମି ଚାଲିଥିଲେ ହଜାରହଜାର ଭକ୍ତ। ଫଳରେ ଆଖଣ୍ଡଳମଣିପ ଭଦ୍ରକ ମୁଖ୍‌୍ୟ ରାସ୍ତାରେ ଅଟକି ରହିଥିଲା ଶହଶହ ଯାତ୍ରିବାହି ଗାଡି। ରଜ ସଂକ୍ରାନ୍ତିରେ ହଜାରହଜାର ଭକ୍ତ ଆସିବାକୁ ଥିବା ବେଳେ ମନ୍ଦିର ପ୍ରଶାସନିକ ଅଧିକାରୀ ପାକ ପ୍ରସ୍ତୁତି ନକରି କିପରି ଭାବେ ଚୁପ ବସିଲେ , ନା ଖାମଖିଆଲି ମନଭାବ ଦେଖାଇ ରହିଲେ ଏପରି ନାନା ପ୍ରଶ୍ନ ଉଙ୍କି ମାରିଥିଲା ଆଗନ୍ତୁକ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମନରେ। ଶେଷରେ ମନ୍ଦିର ଭିତରେ ଓ ବାହାରେ ଅତ୍ୟଧିକ ଭିଡ ଲାଗି ରହିବାରୁ ବହୁ ଯାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତ ବାବାଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରିଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.