Home ଓଡ଼ିଶା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଠିକା କର୍ମଚାରୀ ପ୍ରଶାସନର ଦ୍ୱାରସ୍ତ

ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଠିକା କର୍ମଚାରୀ ପ୍ରଶାସନର ଦ୍ୱାରସ୍ତ

363

କୋରାପୁଟ ୧୮-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) ଓଡିଶା-ଆନ୍ଧ୍ରର ମିଳିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ସମୟରେ ହୋଇଥିବା ନିୟମାବଳୀ ଖୋଲାଖୋଲି ଉଲଂଘନ କରିବା ସହ ପ୍ରକଳ୍ପରେ କାର୍ଯ୍ୟରତ ଓଡିଆ ଠିକା ଶ୍ରମିକ ମାନଙ୍କ ପ୍ରତି ଆନ୍ଧ୍ର ପ୍ରଶାସନ ପକ୍ଷପାତିତା ଅବଲମ୍ବନ କରୁଛି ବୋଲି ଅଭିଯୋଗ ଆଣିଛନ୍ତି ମାଛକୁଣ୍ଡ ହାଇଡ୍ରୋ ଇଲେକ୍ଟ୍ରିସିଟି ପ୍ରଜେକ୍ଟ ସିକ୍ୟୁରିଟି ଗାର୍ଡ ଏଣ୍ଡ କଂଟ୍ରାକ୍ଟ ଲେବର୍ ୟୁନିଅନ୍। ଚୁକ୍ତି ଅନୁଯାୟୀ ମାଛକୁଣ୍ଡ ଜଳ ବିଦ୍ୟୁତପ୍ରକଳ୍ପ ଉଭୟ ଓଡିଶା ଓ ଆନ୍ଧ୍ରର କିନ୍ତୁ ଆନ୍ଧ୍ର ପ୍ରଦେଶରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଥିବାରୁ ଆନ୍ଧ୍ର ସରକାରଙ୍କ ଆଇନ୍, ନିୟମ କାର୍ଯ୍ୟକାରୀ କରାଯିବା ସହ ଆନ୍ଧ୍ର ପ୍ରଦେଶ ସରକାରର ସର୍ବନିମ୍ନ ମଜୁରୀ ପ୍ରଦାନ କରା ଯିବାକୁ ୧୯୫୫ରେ ଦୁଇ ରାଜ୍ୟ ମଧ୍ୟରେ ଚୁକ୍ତି ହୋଇଥିଲା। କିନ୍ତୁ ଆନ୍ଧ୍ର ପ୍ରଶାସନ ଓ ଆପଜେନକୋ ଉକ୍ତ ଚୁକ୍ତିକୁ ଖୀଲାପ କରି ଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ପ୍ରକଳ୍ପରେ କାମ କରୁଥିବା ୮୫ଜଣ ଠିକା କର୍ମଚାରୀ ଓ ସୁରକ୍ଷା ଗାର୍ଡଙ୍କ ପ୍ରତି ପକ୍ଷପାତିତା ନୀତି ଅବଲମ୍ବନ କରୁଛନ୍ତି। ୧୯୫୫ରେ ହୋଇଥିବା ଚୁକ୍ତି ଅନୁଯାୟୀ, ଉତ୍ପାଦନର ୭୦ ପ୍ରତିଶତ ବିଦ୍ୟୁତ ୫୦ ବର୍ଷ ପାଇଁ ଆନ୍ଧ୍ର ନେବ ଓ ସମସ୍ତ ପ୍ରଶାସନିକ, ଅର୍ଥନୈତିକ କ୍ଷମତା ଆନ୍ଧ୍ର ପ୍ରଦେଶ ସରକାରକୁ ଦିଆଯାଇଛି। ହେଲେ ଏହାର ସୁଯୋଗ ନେଇ ପ୍ରକଳ୍ପ କର୍ତ୍ତୃପକ୍ଷ ଓଡିଆଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଠିକା କର୍ମଚାରୀଙ୍କ ନିମନ୍ତେ ଥିବା ଆନ୍ଧ୍ରର କୌଣସି ଯୋଜନା କାର୍ଯ୍ୟକାରୀ ନକରି ଓଲଟା ଏହା ଓଡିଶା ସୀମା ଭିତରେ ଥିବାରୁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାକୁ କହୁଛନ୍ତି। ଯାହାକି ଅତ୍ୟନ୍ତ ଅପ୍ରାସଙ୍ଗିକ ବିଷୟ। ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଥିଲେ ମଧ୍ୟ ଆନ୍ଧ୍ରର ଲୋକଙ୍କୁ ଅଧିକ ମଜୁରୀ ଦିଆ ଯାଉଥିବାବେଳେ ଓଡିଆଙ୍କୁ ଅଲଗା ରାଜ୍ୟ କହି ଠକି ଦିଆ ଯାଉଛି। ଏପରିକି ଗତ ୧୦ ବର୍ଷ ହେଲାଣି ୮୫ଜଣ ଯୁବକ ପ୍ରକଳ୍ପରେ କାମ କରୁଥିଲେ ମଧ୍ୟ ଆପଜେନକୋ କର୍ତ୍ତୃପକ୍ଷଙ୍କ ଇସାରାରେ ସମ୍ପୃକ୍ତ ଠିକାଦାର ଠିକ୍ ମଜୁରୀ ପ୍ରଦାନ ନକରିବା, ଇପିଏଫ୍ ପୈଠ ନକରିବା ଭଳି ଦୃଷ୍ଟାନ୍ତ ରହିଛି। ଏ ସମ୍ପର୍କରେ ଆପଜେନକୋ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ। ତେଣୁ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ଟ୍ରିସିଟି ପ୍ରଜେକ୍ଟ ସିକ୍ୟୁରିଟି ଗାର୍ଡ ଏଣ୍ଡ କଂଟ୍ରାକ୍ଟ ଲେବର ୟୁନିଅନ ଦାବି କରି ଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ତଥା ଜିଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ୩ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆପଜେନକୋ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ସଂଘ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ସଂଘ ସଭାପତି ସେକ୍ ଶାହାଜାହାନ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ହନ୍ତାଳ, ଉପ-ସଭାପତି ପ୍ରଫୁଲ କୁମାର ତୁରୁକ, ସାଧାରଣ ସମ୍ପାଦକ ଡାନିଏଲ୍ ଖରା, ସହ ସମ୍ପାଦକ ସୁନୀଲ ଗୌଡ, କୋଷାଧ୍ୟକ୍ଷ ମହେନ୍ଦ୍ର ପ୍ରସାଦ ଦାଶ, ସାୟଦ୍ ବାସା, ସଦନ ଦଳେଇ, ଚୈତନ ପାଲକା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.