Home ଓଡ଼ିଶା ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ସ୍ମାରକୀ ଅବସରରେ ବାଲିଅନ୍ତା ରହଣୀ ଓ ହରିଜନଙ୍କ ମନ୍ଦିର ପ୍ରବେଶ ଉପରେ...

ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରା ସ୍ମାରକୀ ଅବସରରେ ବାଲିଅନ୍ତା ରହଣୀ ଓ ହରିଜନଙ୍କ ମନ୍ଦିର ପ୍ରବେଶ ଉପରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ

201

ଭୁବନେଶ୍ୱର, ୬ା୮ (ଓଡ଼ିଆ ପୁଅ) : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଭାରତ ସରକାରଙ୍କ ତରଫରୁ ଗାନ୍ଧୀଙ୍କ ଓଡ଼ିଶା ପଦଯାତ୍ରା ଓ ରହଣୀ ସ୍ଥଳର ଐତିହ୍ୟକୁ ସ୍ମରଣ କରି ଗାନ୍ଧୀ ରହିଥିବା ସ୍ଥାନଗୁଡ଼ିକର ଐତିହାସିକ ସ୍ମାରକୀ ଓ ଭାବାବେଗକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଡାକ ବିଭାଗ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ଆଜି ବାଲିଅନ୍ତା ବ୍ଲକର ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ ଠାରେ ଏକ ସ୍ମାରକୀ ଡାକ ଟିକଟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକ ଓ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଡାକ ଟିକଟ ପ୍ରଦର୍ଶନୀକୁ ଉଦ୍ ଘାଟନ କରିବା ସହ ଏହି ଅବସରରେ ବାଲିଅନ୍ତା ମହାତ୍ମା ପଦଯାତ୍ରା ସ୍ମୃତି ପରିଷଦ ସହଯୋଗରେ ପ୍ରକାଶିତ ବାଲିଅନ୍ତାରେ ଗାନ୍ଧୀଙ୍କ ରହଣୀର ସ୍ମାରକୀ ଡାକ ଲଫାପା ଉନ୍ମୋଚନ କରିଥିଲେ। ଉତ୍ସବରେ ଓଡ଼ିଶା ରାଜ୍ୟ ପ୍ରମୁଖ ମୁଖ୍ୟ ମହାଡାକପାଳ ଡକ୍ଟର ସନ୍ତୋଷ କୁମାର କମିଲା, ରାଜ୍ୟ ବିଭାଗ ନିର୍ଦ୍ଦେଶକ ଜି. ଗୁରୁନାଥନ୍, ଭୁବନେଶ୍ୱର ଡାକ ଡିଭିଜନ୍ ମୁଖ୍ୟ ସତ୍ୟବାଦୀ ବିଶ୍ୱାଳ, ବିଶିଷ୍ଟ ଡାକ ଟିକଟ ସଂଗ୍ରାହକ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ଚିଠିପତ୍ର ହିଁ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଭାବରେ ପୂର୍ବରୁ ବର୍ତ୍ତମାନ ଓ ଭବିଷ୍ୟତରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମତଦେଇ ଛାତ୍ରଛାତ୍ରୀମାନେ ଅଧ୍ୟୟନ ସହିତ ଡାକଟିକଟ ସଂଗ୍ରହ କଲେ ସେମାନଙ୍କ ଅର୍ନ୍ତନିହିତ ପ୍ରତିଭା ଜାଗ୍ରତ ହୋଇ ମେଧା ଶକ୍ତିର ବିକାଶ ହୋଇପାରିବ। ପ୍ରକାଶଥାଉକି, ଗାନ୍ଧୀଜୀ ତାଙ୍କ ଓଡ଼ିଶାରେ ହରିଜନ ପଦଯାତ୍ରା ସମୟରେ ୧୯୩୪ ମସିହା ମଇ ମାସ ୧୨ ତାରିଖରେ ସତ୍ୟଭାମାପୁରରେ ଅବସ୍ଥାନ କରିବା ସହ ୧୩, ୧୪, ୧୫ ତିନିଦିନ ଧରି କୁଆଖାଇ, କୁଶଭଦ୍ରା ନଦୀ ପାଶ୍ୱର୍ର ବାଲିଅନ୍ତା ହାଟପଡ଼ିଆ ଆମ୍ବତୋଟାରେ ସହଯୋଗୀମାନଙ୍କ ସହିତ ଅବସ୍ଥାନ କରି ଅହିଂସା, ଅସ୍ପୃଶ୍ୟତା ନିରାକରଣ ଓ ସ୍ୱାଧୀନତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇ ତାଙ୍କ ନେତୃତ୍ୱରେ ସ୍ଥାନୀୟ ନିକୁଞ୍ଜ ବିହାରୀ ମନ୍ଦିରରେ ହରିଜନମାନଙ୍କୁ ମନ୍ଦିର ପ୍ରବେଶ କରାଇ ସମୂହ ପଂକ୍ତି ଭୋଜନରେ ଆପ୍ୟାୟିତ କରିଥିଲେ। ଯାହାକି ଭାରତ ବର୍ଷରେ ହରିଜନମାନଙ୍କ ମନ୍ଦିର ପ୍ରବେଶ ପ୍ରଥମ ଘଟଣା। ଏହି ସ୍ମୃତିକୁ ଜାଗରିତ କରିବା ପାଇଁ ବିଧାୟକ ଶ୍ରୀ ବେହେରାଙ୍କ ଉଦ୍ୟମରେ ପୁରୁଣା ଜଗନ୍ନାଥ ସଡ଼କକୁ ଗାନ୍ଧୀ ଐତିହ୍ୟ ମାର୍ଗର ମର୍ଯ୍ୟାଦା ଦେଇ ଟଙ୍କପାଣିଠାରେ କୁଆଖାଇ ସେତୁ ନିକଟରେ ୧ କୋଟି ଟଙ୍କା ବ୍ୟୟରେ ଗାନ୍ଧୀ ଐତିହ୍ୟ ତୋରଣ ଓ ବାଲିଅନ୍ତା ଗାନ୍ଧୀ ପୀଠର ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୬୦ ଲକ୍ଷ ଟଙ୍କାର ସାଂସ୍କୃତିକ ମଣ୍ଡପ ଓ ଆନୁସଙ୍ଗିକ ଭିତ୍ତିଭୂମି ଉନ୍ନୟନ କରାଯାଇ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି ବୋଲି ମତ ଦେଇ ଆଗାମୀ ଦିନରେ ଏହାର ଅଧିକ ବିକାଶ ହେବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟଭାମାପୁର ପୋଷ୍ଟମାଷ୍ଟର ଇନ୍ଦିରା ପ୍ରିୟଦର୍ଶିନୀ ସଂଚାଳନ କରିଥିବା ବେଳେ ପ୍ରିୟଙ୍କା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଅଧ୍ୟକ୍ଷା କ୍ଷଣିକା ଦାସ, ଗାନ୍ଧୀ ସ୍ମୃତି ପରିଷଦର ସଭାପତି ବିନୋଦ କୁମାର ସାହୁ, ଶିକ୍ଷାବିତ୍ ନବୀନ କୁମାର ସାହୁ, ବଇଁଚୁଆ ସରପଞ୍ଚ ବିଜୟ କୁମାର ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ଆଡ୍ ଭୋକେଟ୍ ଅଶୋକ ରାଉତରାୟ, ସକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ସଂଗୀତଜ୍ଞ ବଶିଷ୍ଟ ନାୟକ, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ବେଦବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ, ବିଭିନ୍ନ ଗାନ୍ଧୀପ୍ରେମୀ, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଗାନ୍ଧୀ ବିଚାରଧାରା ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ଉପାୟନ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.