Home ଜିଲ୍ଲା ପରିକ୍ରମା ମକର ସଂକ୍ରାନ୍ତିରେ ଉତ୍ସବ ମୁଖର ବାଲେଶ୍ୱର

ମକର ସଂକ୍ରାନ୍ତିରେ ଉତ୍ସବ ମୁଖର ବାଲେଶ୍ୱର

29

ବାଲେଶ୍ୱର, ୧୪ା୧ (ଓଡ଼ିଆ ପୁଅ/ଅଭୟ ଦାସ): ପବିତ୍ର ମକର ସଂକ୍ରାନ୍ତିରେ ଉତ୍ସବ ମୁଖର ହୋଇପଡ଼ିଛି ସହରଠାରୁ ପୁରପଲୀ ପର୍ଯ୍ୟନ୍ତ। ଓଡ଼ିଆ ଘରର ପ୍ରସିଦ୍ଧ ଏହି ପର୍ବକୁ ଆବାଳ ବୃଦ୍ଧ ବନୀତା ଅତି ଆନନ୍ଦର ସହ ପାଳନ କରୁଥିବା ଆଜି ଦେଖିବାକୁ ମିଳିଛି। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଆରମ୍ଭକୁ ଦୃଷ୍ଟିରେ ରଖି ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିବା ବେଳେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ମକର ପୂଜା ହୋଇଛି। ପବିତ୍ର ଏହି ପର୍ବ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାଏ। ସୂର୍ଯ୍ୟ-ଚନ୍ଦ୍ରଙ୍କ ଚଳନ ଓ ଗତିକୁ ନେଇ ମନୁଷ୍ୟ ଜୀବନ ପ୍ରଭାବିତ ହୋଇଥିବା ବେଳେ ଆଜିର ଦିନଟି ଗୋଟିଏ ବର୍ଷର ଅତ୍ୟନ୍ତ ଶୁଭ ଦିବସ ବୋଲି ବିବେଚନା କରାଯାଇଛି। ସାମାଜିକ ଜୀବନରେ କୌଣସି ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥାଏ। କୃଷି ପରିବାର ପାଇଁ ଏହି ପର୍ବର ମହତ୍ତ୍ୱ ବେଶ୍ ଅଧିକ। ବର୍ଷସାରା ଖରାବର୍ଷା ଖାଇ ଚାଷୀଟି କରିଥିବା ଚାଷରୁ ଫସଲ ଅମଳ ଶେଷ ହୋଇଥିବା ବେଳେ ବର୍ଷସାରର କଷ୍ଟକୁ ଭୁଲିବା ପାଇଁ ସେ ମକର ସଂକ୍ରାନ୍ତିକୁ ଅପେକ୍ଷା କରିଥାଏ। ମକରରେ ସମସ୍ତଙ୍କ ଘରେ ଚୁଡ଼ା ତିଳଉ ଓ ବିଭିନ୍ନ ପ୍ରକାର ମିଠାର ସୁଅ ଦେଖାଯାଇଥାଏ। ଏଥିପାଇଁ ବାଲେଶ୍ୱର ସହରର ମିଷ୍ଟାନ୍ନ ଦୋକାନମାନଙ୍କରେ ବିଭିନ୍ନ ପ୍ରକାରର ମକର ମିଠାର ସମ୍ବାର ଦେଖିବାକୁ ମିଳିଥିଲା। ମକର ଭୋଗ ପ୍ରସ୍ତୁତି ପାଇଁ ଫଳ ବଜାରରେ ମଧ୍ୟ ଭିଡ ଲଗାଇଥିଲେ। କୋରନା କଟକଣା କୋହଳ ହେବା ପରେ ୨୦୨୧ ବର୍ଷର ପ୍ରଥମ ପର୍ବ ପାଳିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ତେବେ ମକର ସଂକ୍ରାନ୍ତିରେ ଯୁବକ ଓ କିଶୋରଙ୍କ ଗୁଡ଼ି ଉଡ଼ାଇବାର ମଜା ବେଶ୍ ନିଆରା। ଶୁଷ୍କ ଓ ଅନୁକୂଳ ପାଗର ହାଲକା ଉତ୍ତରା ପବନରେ ଗୁଡ଼ି ଉଡ଼ାଇବା ଏବଂ ଏହାକୁ ଦେଖିବାକୁ ବିଭିନ୍ନ ସ୍ଥାନରେ ଲୋକ ରୁଣ୍ଡ ହୋଇଥା’ନ୍ତି। କେତେକ ସ୍ଥାନରେ ଗୁଡ଼ିଉଡ଼ା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଦେଶୀ ସୂତାରେ ଘରେ ତିଆରି ମାଞ୍ଜା ଲଗାଯାଉଥିବା ବେଳେ ସଂପ୍ରତି ଚାଇନାରୁ ଆସୁଥିବା ମାଞ୍ଜାଜାଦିଆ ସୂତାର ଚାହିଦା ବୃଦ୍ଧି ପାଇଛି। ତେବେ ଆଧୁନିକ ଚାକଚକ୍ୟରେ ମଣିଷ ଅଧିକ ମାତ୍ରାରେ ବସ୍ତୁବାଦୀ ହୋଇ ଉଠୁଥିବା ବେଳେ ମକର ସଂକ୍ରାନ୍ତିର ଆନନ୍ଦ କ୍ରମଶଃ ଫିକା ପଡ଼ିଯାଉଥିବା ଲକ୍ଷ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.